କେନ୍ଦ୍ରାପଡ଼ାରେ ଟିକଟ ଆଶୟୀଙ୍କ ଲମ୍ୱାଧାଡ଼ି
ରାଜନୈତିକ ଦୃଷ୍ଟିକୋଣରୁ ଅଧିକ ସଚେତନ ବୋଲି କୁହାଯାଉଥିବା କେନ୍ଦ୍ରାପଡା ଜିଲ୍ଲାରେ ଥିବା ୫ଟି ବିଧାନସଭା ଆସନ ପାଇଁ ଦିନକୁ ଦିନ ଆଶାୟୀଙ୍କ ତାଲିକା ଲମ୍ୱୁଥିବାରୁ ଗାଁ ଗହଳରେ ଥିବା ବିଭିନ୍ନ ଦଳ ବିଶେଷକରି ବିଜେଡି, କଂଗ୍ରେସ ଓ ବିଜେପି କର୍ମୀ ବାଉଳା ହେଲେଣି। କାହା ହାତ ଧରିବେ ଓ କାହା ହାତ ଛାଡିବେ ତାହା ଜାଣିପାରୁ ନାହାନ୍ତି। ପ୍ରାର୍ଥୀପତ୍ର ଦାଖଲ ବେଳକୁ ଏହି ସମସ୍ୟା ଆହୁରି ଉତ୍କଟ ହେବବୋଲି କୁହାଗଲାଣି।

ଜିଲ୍ଲାରେ ରହିଛି କେନ୍ଦ୍ରାପଡ, ପାଟକୁରା, ମହାକାଳପଡା, ଆଳି ଓ ରାଜନଗର ବିଧାନସଭା ଆସନ। ଏହି ଆସନପାଇଁ ବିଜେଡି, କଂଗ୍ରେସ ଓ ବିଜେପିର ତାଲିକା ଲମ୍ୱିବାରେ ଲାଗିଥିବାବେଳେ ବିଜେଡିର ଆଶାୟୀମାନେ ଏ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛନ୍ତି। ତାଲିକା ଲମ୍ୱୁଛି ପାଟକୁରା, ମହାକାଳପଡା ଓ ଆଳି ବିଧାନସଭା ଆସନକୁ ନେଇ। ପାଟକୁରା ବିଧାନସଭା ପାଇଁ ବର୍ତ୍ତମାନର ବିଧାୟକ ବେଦ ପ୍ରକାଶ ଅଗ୍ରୱାଲାଙ୍କୁ ମିଶାୟୀ ଆଶାୀ ସଂଖ୍ୟା ୭ଟପିଗଲାଣି। ଏମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଅତନୁ ସବ୍ୟସାଚୀଙ୍କ ଭାଇ ଓ ବର୍ତ୍ତମାନର ବିଜେଡି ଆଗଧାଡିର ନେତା ରବି ସ୍ୱାଇଁ ବି ଅଛନ୍ତି। ଖଦିବୋର୍ଡ ଅଧ୍ୟକ୍ଷ ତେଜେଶ୍ୱର ଏଠାରୁ ଟିକଟ ପାଇବା ଦୌଡରେ ବି ଅଛନ୍ତି। ଏମାନଙ୍କ ସହିତ ଆଉ କିଛି ନେତା ବି ଦିନରାତି ଏକକରି ବିଜେଡି ଟିକଟ ପାଇବାପାଇଁ ଲାଗି ପଡିଛନ୍ତି।
ଏହା ପଛକୁ ରହିଛି ମହାକଳପଡା ବିଧାନସଭା ଆସନ। ଏଠାରେ ବର୍ତ୍ତମାନର ବିଧାୟକ ଅତୁନୁ ସବ୍ୟସାଚୀ ନାୟକ ଥିବାବେଳେ ତାଙ୍କ ପଛକୁ ଆଉ ୪/୫ଜଣ ଯୋଡିହୋଇ ଗଲେଣି। ସଦ୍ୟ ଆଶାୟୀ ତାଲିକାରେ ଅଛନ୍ତି ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନର ସଦସ୍ୟା ତଥା କେନ୍ଦ୍ରାପଡାର ପୂର୍ବତନ ବିଧାୟିକା ସିପ୍ରା ମଲିକ। ସିପ୍ରାଙ୍କ ପିତା ତଥା କେନ୍ଦ୍ରାପଡାର ଲୋକପ୍ରିୟ ନେତା ପ୍ରହଲାଦ ମଲ୍ଲିକଙ୍କ କର୍ମକ୍ଷେତ୍ର ଏହି ନିର୍ବାଚନମଣ୍ଡଳୀରେ ଆସୁଥିବାରୁ ସିପ୍ରା ଏବେ ଏଠାରୁ ଲଢିବାପାଇଁ ଆଶାୟୀ। ବିଶେଷକରି ବିଧାୟକ ଶ୍ରୀ ନାୟକଙ୍କ ନାମ ସହିତ ସିବିଆଇ ସମନ ଯୋଡିହେବା ପରେ ସିପ୍ରା ଅଧିକ ଉସିାହିତ ଥିବା ଲକ୍ଷ୍ୟ କରାଯାଉଛି। ଆଳିରେ ମଧ୍ୟ ଅନୁରୂପ ସ୍ଥିତି। ଯଦିଓ ଏଠାରେ ଏଠାରେ କଂଗ୍ରେସ ବିଧାୟକ ଦେବେନ୍ଦ୍ର ଶର୍ମା ଅଛନ୍ତି ତଥାପି ପ୍ରତାପ ଦେବ ସାଂସଦ ହୋଇ ଦିଲ୍ଲୀ ଦରବାରକୁ ଯିବାପରେ ତାଙ୍କ ସ୍ଥାନ ଦଖଲ ପାଇଁ ବିଜେଡି ଆଶାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଅବଶ୍ୟ ସଂରକ୍ଷିତ କେନ୍ଦ୍ରାପଡା ଓ ଅଣସଂରକ୍ଷିତ ରାଜନଗର ଆସନରେ ବିଜେଡି ଆଶାୟୀଙ୍କ ସଂଖ୍ୟା ଅନ୍ୟ ଆସନ ଭଳି ସେତେଟା ନାହିଁ।

କେବଳ ଜିଲ୍ଲାରେ ଯେ ବିଜେଡିର ଏଭଳି ସ୍ଥିତି ତାହା ନୁହେଁ ଏଠାରେ କିଛିଟା ଶକ୍ତି ଗୋଟାଇ ଥିବା ବିଜେପି ଓ ସଂଘପରିବାରର ଅନେକ ଆଶାୟୀ ପଦ୍ମ ଚିହ୍ନରେ ଲଢିବାକୁ ପ୍ରସ୍ତୁତ। ଲବି ବି ଜୋରଦାର ଚଳାଇଛନ୍ତି। ଗୋଟିଏ ଗୋଟିଏ ଆସନରେ ଏମାନଙ୍କ ସଂଖ୍ୟା ୨/୩ ହେଲାଣି। ପାଟକୁରା, ମହାକାଳପଡା ଓ ରାଜନଗରେ ଏକାଧିକ ବିଜେପି ଆଶାୟୀ ଥିବା ଜଣାଯାଇଛି। କଂଗ୍ରେସ ଆଶାୟୀଙ୍କ ସଂଖ୍ୟା ବି କିଛି କମ୍ ନୁହେଁ। ଅନ୍ୟ ଦୁଇଦଳ ତୁଳନାରେ ଯଦିଓ ଏମାନେ ପଛରେ ଅଛନ୍ତି ତଥାପି ରାହୁଳଙ୍କ ଘନ ଘନ ଓଡିଶା ଗସ୍ତପରେ ଜିଲ୍ଲାରେ କଂଗ୍ରେସ ଆଶାୟୀଙ୍କ ସଂଖ୍ୟା ବଢିଛି।
ଏଥିଯୋଗୁଁ ଏବେ ଏହି ତିନିଦଳର ସମର୍ଥକମାନେ ଚିନ୍ତାରେ ପଡିଛନ୍ତି। ଜଣଙ୍କ ପାଖକୁ ଗଲାବେଳକୁ ଅନ୍ୟଜଣେ ସନ୍ଦେହ ଚକ୍ଷୁରେ ଦେଖୁଛି। ତେଣୁ ସେମାନେ କାହା ସାଙ୍ଗରେ ରହିବେ ଓ କାହା ସାଙ୍ଗ ଛାଡିବେ ତାହା ଜାଣିପାରୁ ନାହାନ୍ତି। ଅବସ୍ଥା ଏଭଳି ହୋଇଛି ଯେ ବିଭିନ୍ନ ଦଳର କିଛି କଟ୍ଟର ସମର୍ଥକ ଏବେ ଆଉ ରାଜନୀତିରେ ନାହାନ୍ତି ବୋଲି କହି ବୁଲିଲେଣି।