ପାରିଶିଖର ଓ ରତନପୁର ଗାଁରେ ଶୋକର ଛାୟା
କାନ୍ଦୁଛି ଜନ୍ମମାଟି ଓ କାନ୍ଦୁଛି ପରିବାର। ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ଦୁଇ ଓଡ଼ିଆ ବୀର ଯବାନ ପ୍ରସନ୍ନ ସାହୁ ଓ ମନୋଜ କୁମାର ବେହେରାଙ୍କ ମରଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛି। ସେମାନଙ୍କ ମରଶରୀର ପହଞ୍ଚିବା ପରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଆତ୍ମୀୟ ଓ ପ୍ରିୟଜନ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ୍ ଓରାମ୍, ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା, ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ସାଂସଦ ପ୍ରସନ୍ନ ପାଟଶାଣୀ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ପରେ ପାର୍ଥିବ ମରଶରୀରକୁ ସ୍ୱତନ୍ତ୍ର ଗାଡ଼ିରେ ସେମାନଙ୍କ ଜନ୍ମମାଟିକୁ ନିଆଯାଉଛି। ଏହି ଖବର ପ୍ରକାଶ ପାଇବା ପରେ ଦୁଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ପ୍ରିୟଜନ, ବନ୍ଧୁବାନ୍ଧବ ଓ ରାଜନେତାମାନେ ଚାତକ ପକ୍ଷୀଟି ପରି ସହିଦଙ୍କ ପାର୍ଥିବ ଶରୀର ପହଞ୍ଚିବାକୁ ଅନାଇ ରହିଛନ୍ତି।

ସହିଦ ପ୍ରସନ୍ନ କୁମାର ସାହୁଙ୍କ ମରଶରୀରକୁ ଜଗତସିଂହପୁର ନାଉଗାଁ ପରିଶିଖର ଗାଁକୁ ନିଆଯିବା ବେଳେ ସହିଦ ମନୋଜ କୁମାର ବେହେରାଙ୍କ ମରଶରୀରକୁ ତାଙ୍କ ଜନ୍ମମାଟି କଟକ ନିଆଳିର ରତନପୁର ଗାଁକୁ ନିଆଯାଉଛି। ଯେଉଁଠି ତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ସହ ଶେଷ ବିଦାୟ ଦିଆଯିବ। ତା’ପୂର୍ବରୁ ଭୁବନେଶ୍ୱର ବିମାନ ବିନ୍ଦରରେ ସିଆର୍ପିଏଫ୍ ପକ୍ଷରୁ ସ୍ୱତନ୍ତ୍ର ସମ୍ମାନ ବ୍ୟବସ୍ଥା କରାଯାଇଥିଲା।
ଅନ୍ୟପକ୍ଷରେ ସହିଦଙ୍କ ପରିବାର ପାଇଁ ରାଜ୍ୟ ସରକାର ଅନୁକମ୍ପା ରାଶି ବଢ଼ାଇଛନ୍ତି। ସହିଦ୍ ଦୁଇ ଯବାନଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରିଯିବ। ଏହାଛଡ଼ା ସେମାନଙ୍କ ପିଲାମାନଙ୍କ ପଢ଼ିବା ଖର୍ଚ୍ଚ ସରକାର ବହନ କରିବେ। ଦୁଇ ସହିଦ୍ଙ୍କ ଗାଁକୁ ମଡେଲ ପଞ୍ଚାୟତ ଭାବେ ଘୋଷଣା କରାଯିବ। ସେମାନେ ପଢ଼ୁଥିବା ସ୍କୁଲକୁ ସହିଦଙ୍କ ନାଁରେ ନାମିତ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।
ଦୁଇ ଦିନ ହେଲା କାହା ଘରେ ଚୁଲି ଜଳୁନି। ଲୋକେ ଖାଇବା ପିଇବା ଭୁଲି ଗଲେଣି। ପିଲାଠାରୁ ବୁଢ଼ା ସମସ୍ତଙ୍କ ଆଖି ଲୁହ ଛଳ ଛଳ। କଥା କହିବା ବେଳେ କଣ୍ଠରୋଧ ହୋଇଯାଉଛି। ଏମିତି ଚିତ୍ର ହେଉଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ପାରିଶିଖର ଏବଂ କଟକ ଜିଲ୍ଲା ନିଆଳି ବ୍ଲକର ରତନପୁର ଗାଁର। ଦୁଇ ବୀର ଯବାନଙ୍କୁ ହରାଇ ଏହି ଗାଁ ପୂରା ସ୍ତବ୍ଧ ହୋଇଯାଇଛି। ସହିଦଙ୍କ ପରିବାରର ଲୋକେ କାନ୍ଦି କାନ୍ଦି ନୟାନ୍ତ ହୋଇଯାଇଥିବା ବେଳେ ଗାଁ ଲୋକଙ୍କ ଆଖିରୁ ବି ଲୁହ ଶୁଖୁନି।
ଝିଅ ଜନ୍ମଦିନ ପାଇଁ ଗାଁକୁ ୪୦ ଦିନ ଛୁଟିରେ ଆସିଥିଲେ। ଧୁମ୍ଧାମରେ ଝିଅ ଜନ୍ମଦିନ ପାଳିଥିଲେ। କଥା ଦେଇଥିଲେ ମାର୍ଚ୍ଚ ମାସରେ ପୁଣି ଘରକୁ ଆସିବେ। ହେଲେ ଏବେ ତାଙ୍କ ଶବ ଘରକୁ ଫେରୁଛି, ଏତିକି କହି ଭୂଇଁରେ କାନ୍ଦି କାନ୍ଦି ଗଡ଼ି ଯାଇଥିଲେ ସହିଦ ଯବାନ ମନୋଜ ବେହେରାଙ୍କ ସ୍ତ୍ରୀ ଇଲି ବେହେରା। ମନୋଜଙ୍କ ମା’ ବାପା ବି ଧୈର୍ଯ୍ୟ ହରାଇ ବସିଛନ୍ତି। ନିଜ ଆଖି ଆଗରେ ପୁଅ ଚାଲିଯିବାର ଦୁଃଖଦ ଘଟଣାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଉଭୟ। ମନୋଜଙ୍କ ମା’ କାନ୍ଦି କାନ୍ଦି ଚେତାଶୂନ୍ୟ ହୋଇଯାଉଥିବା ବେଳେ ବାପା ଦମ୍ଭର ସହ କହିଛନ୍ତି, ‘ମୋ ପୁଅ ବୀର ଯବାନ’।
ନିଆଳି ବ୍ଲକ ରତନପୁର ଗ୍ରାମର ଜଟାଧାରୀ ସ୍ୱାଇଁଙ୍କ ପୁଅ ୨୦୦୬ରେ ସିଆର୍ପିଏଫ୍ ୮୨ ବାଟାଲିୟନରେ ନିଯୁକ୍ତି ପାଇଥିଲେ। ପରିବାରର ଅଭାବ ଅନଟନକୁ ଅତି ନିକଟରୁ ଦେଖିଥିବା ମନୋଜ ଚାକିରିଟିଏ ପାଇଁ ପାଠ ପଢ଼ିବା ବେଳୁ ହିଁ ଉଦ୍ୟମ ଜାରି ରଖିଥିଲେ।
ମନୋଜଙ୍କୁ ହରାଇ ରତନପୁର ଗାଁ ଯେମିତି ଝୁରୁଛି ସେମିତି ପ୍ରସନ୍ନଙ୍କ ପାଇଁ ଜଗତସିଂହପୁର ଜିଲ୍ଲାର ପାରିଶିଖର ଗାଁ ମଧ୍ୟ କାନ୍ଦୁଛି। ପ୍ରସନ୍ନ ଆତଙ୍କବାଦୀ ହମ୍ଲାରେ ସହିଦ ହେବା ଖବର ଜଣାପଡ଼ିବା ପରେ କୋଳାହଳ ପୂର୍ଣ୍ଣ ଗାଁରେ ପୂରା ନୀରବ ପାଲଟି ଯାଇଛି। ପ୍ରସନ୍ନ ଖୁବ୍ ଭଲ ମଣିଷ ଥିଲେ। ଗାଁକୁ ଆସିଲା ମାତ୍ରେ ଲୋକଙ୍କୁ ଏକାଠି କରି ବିଭିନ୍ନ ମେଳା ମହୋତ୍ସବ ଆୟୋଜନ କରନ୍ତି। ତାଙ୍କର ଇଚ୍ଛା ଥିଲା କି ଚାକିରି ଶେଷ ହେବା ପରେ ପିଲାଙ୍କୁ ଏକାଠି କରି ଏକ କ୍ଳବ ଘର ନିର୍ମାଣ କରିବେ। ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କୁ ସହଯୋଗ କରିବେ। ହେଲେ ତାଙ୍କ ସ୍ୱପ୍ନ ପୂରଣ ହୋଇପାରିଲା ନାହିଁ, କୋହଭରା କଣ୍ଠରେ ଏହା କହିଛନ୍ତି ଶିଖର ଗ୍ରାମବାସୀ।