ବଢ଼ିବାରେ ଲାଗିଛି ଦାଦନ ଶ୍ରମିକଙ୍କ ସଂଖ୍ୟା
ରାଜ୍ୟ ବାହାରକୁ ଯାଉଥିବା ଦାଦନ ଶ୍ରମିକମାନେ ନିର୍ଯ୍ୟାତନା ହେଉଥିବାର ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଥିବାବେଳେ ଦାଦନ ଖଟିବାକୁ ଯାଉଥିବା ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏମାନଙ୍କୁ ରାଜ୍ୟ ବାହାରେ ଖଟାଇବାକୁ ନେଉଥିବା ଲାଇସେନ୍ସପ୍ରାପ୍ତ ଠିକାଦାରଙ୍କ ସଂଖ୍ୟା ବି ବଢୁଛି । ଓଡିଶାର ଶ୍ରମିକମାନେ ମୁଖ୍ୟତଃ ତାମିଲନାଡୁ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ଦିଲ୍ଲୀ, ଗୋଆ, ପଶ୍ଚିମବଙ୍ଗ, ଜାମ୍ମୁକାଶ୍ମୀର, ପଞ୍ଜାବ, ଛତିଶଗଡ, ଗୁଜୁରାଟ ଆଦି ରାଜ୍ୟମାନଙ୍କୁ ଯାଉଛନ୍ତି । ଆନ୍ଧ୍ରର ଇଟାଭାଟିରେ ସଂଖ୍ୟାଧିକ ଓଡିଆ ଦାଦନମାନେ କାର୍ଯ୍ୟ କରିଥାନ୍ତି ।
ସରକାରୀ ସୂଚନା ଅନୁଯାୟୀ ୨୦୧୨ ମସିହା ଠାରୁ ସରକାରୀ ତାଲିକାରେ ବର୍ଷକୁ ଲକ୍ଷେରୁ ଅଧିକ ଶ୍ରମିକ ରାଜ୍ୟ ବାହାରକୁ କାମ କରିବାକୁ ଯାଇଥିବାବେଳେ ୨୦୧୫ ମସିହାରେ ଏମାନଙ୍କ ସଂଖ୍ୟା ସର୍ବାଧିକ ଲକ୍ଷେ ୪୬ହଜାରରୁ ଅଧିକ ରହିଥିଲା । ଚଳିତବର୍ଷ ଅଗଷ୍ଟ ମାସସୁଦ୍ଧା ଲକ୍ଷେ ୧୫ହଜାରରୁ ଅଧିକ ଶ୍ରମିକ ରାଜ୍ୟ ବାହାକୁ କାମ କରିବାକୁ ଯାଇଥିବା ଜଣାପଡିଛି ।
ଏମାନଙ୍କୁ ରାଜ୍ୟ ବାହାରକୁ କାମ କରାଇବାକୁ ନେଉଥିବା ପଞ୍ଜିକୃତ ଠିକାଦାରମାନଙ୍କ ସଂଖ୍ୟା ବି ବଢିବାରେ ଲାଗିଛି । ୨୦୧୬ ମସିହାରେ ରାଜ୍ୟରେ ପଞ୍ଜିକୃତ ଶ୍ରମିକ ଠିକାଦାରଙ୍କ ସଂଖ୍ୟା ୨୧୧୮ ଥିବାବେଳେ ଚଳିତବର୍ଷ ତାହା ୨୪୯୮କୁ ବୃଦ୍ଧି ପାଇଛି । ସରକାରୀ ହିସାବରେ ଯେତିକି ସଂଖ୍ୟକ ଶ୍ରମିକ ଠିକାଦାର ଓ ଦାଦନ ଶ୍ରମିକଙ୍କ ସଂଖ୍ୟା ଦର୍ଶାଯାଉଛି ବାସ୍ତବ ସ୍ଥିତି ତାହାଠାରୁ ଢେର ଅଧିକ । ଅଣପଞ୍ଜିକୃତ ଠିକାଦାରଙ୍କ ଜରିଆରେ ରାଜ୍ୟର ପଶ୍ଚିମଓଡିଶାରୁ ହଜାର ହଜାର ଲୋକ ରାଜ୍ୟ ବାହାକୁ କାମ କରିବାକୁ ଯାଉଛନ୍ତି ।
ସେଠାରେ ଯେତେବେଳେ କୌଣସି ସମସ୍ୟା ବିଶେଷକରି ମାସ ମାସ ଖଟିବାପରେ ପାଉଣା ନମିଳିବା କିମ୍ବା ଦୁର୍ଘଟଣାର ଶିକାର ହେଲାପରେ ଦାଦନ ଶ୍ରମିକଙ୍କ କରୁଣ କାହାଣୀ ପଦାକୁ ଆସୁଛି । କିଏ ପୋଡିହୋଇ ଓଡିଶା ଫେରୁଛି ତ ଆଉ କିଏ ହାତ ଗୋଡ ହରାଇ ଆସୁଛି । ଏଭଳି ସ୍ଥିତିରେ ସମ୍ପୃକ୍ତ ଶ୍ରମିକଙ୍କ ସଂକ୍ରାନ୍ତରେ ରାଜ୍ୟ ସରକାର ଅବଗତ ହେଉଛନ୍ତି ।
ଗତ ଦଶ ବର୍ଷ ମଧ୍ୟରେ ରାଜ୍ୟ ବାହାରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ଫେରାଇ ଆଣିବାଲାଗି ୧୩୨ ଟି ଅଭିଯୋଗ ସରକାରଙ୍କର ହସ୍ତଗତ ହୋଇଥିବାବେଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପ୍ରାୟ ୫ହଜାର ଜଣ ଶ୍ରମିକଙ୍କୁ ଫେରାଇ ଅଣାଯାଇଛି । ନିୟମ ଉଲ୍ଲଙ୍ଘନ କରି ଏମାନଙ୍କୁ କାମରେ ଲଗାଇବାକୁ ନେଇଥିବା ଠିକାଦାର ଓ କାମ କରୁଥିବା ସଂସ୍ଥା ମାଲିକଙ୍କ ବିରୁଦ୍ଧରେ ମାମଲା ରୁଜୁ ହେଉଛି ।
୨୦୧୪ ରୁ ୨୦୧୭ ମସିହା ମଧ୍ୟରେ ରାଜ୍ୟ ବାହାରେ କାର୍ଯ୍ୟରତ ୧୧୨ ଜଣ ଶ୍ରମିକଙ୍କ ମୃତ୍ୟୁ ଅଭିଯୋଗ ଆସିଥିବାବେଳେ ଶ୍ରମିକ କ୍ଷତିପୂରଣ ଆଇନ୍ ଅନୁଯାୟୀ ସେମାନଙ୍କ ପରିବାରବର୍ଗଙ୍କୁ ଆଠ ଲକ୍ଷରୁ ଅଧିକ ଟଙ୍କା ସହାୟତା ପ୍ରଦାନ କରାଯାଉଛି । ରାଜ୍ୟ ବାହାରେ କାର୍ଯ୍ୟରତ ଶ୍ରମିକମାନଙ୍କ ସୁରକ୍ଷା ଲାଗି ସଂଖ୍ୟାଧିକ ବେସରକାରୀ ସଂସ୍ଥା କାର୍ଯ୍ୟ କରୁଥିବାବେଳେ ଅନେକ ସମୟରେ କିନ୍ତୁ ଦାଦନ ନିର୍ଯ୍ୟାତନାର ଅଭିଯୋଗ ଆସିବାରେ ଲାଗିଛି ।
ସେହିଭଳି ରାଜ୍ୟ ଭିତରେ ବିଶେଷକରି ପଶ୍ଚିମାଞ୍ଚଳର ଲୋକେ କିଭଳି ନିଜ ଇଲାକାରେ କାମପାଇବେ ଓ ବାହାରକୁ ଖଟିବାକୁ ଯିବେନାହିଁ ସେଥିପାଇଁ ଯେତେ ଉଦ୍ୟମ କରାଗଲେ ବି କିଛି ଅଣପଞ୍ଜିକୃତ ଶ୍ରମିକ ଠିକାଦାରମାନେ ଗାଁ ଗହଳର ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ରାଜ୍ୟ ବାହାରକୁ ଖଟାଇବାକୁ ନେଇ ଯାଉଛନ୍ତି ।