ଏବେ ଶ୍ରୀକାନ୍ତ କୁଆଡେ଼ ଯିବେ ?

କଂଗ୍ରେସରୁ ବହିଷ୍କୃତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ପରବର୍ତ୍ତୀ ପଦକ୍ଷେପକୁ ନେଇ କିଛି ମହଲ ଅଙ୍କକଷା ଆରମ୍ଭ କରିଦେଇଛନ୍ତି। ସେ କ’ଣ ଭାରତୀୟ ଜନତା ପାର୍ଟିରେ ଯୋଗ ଦେବେ କି? ଏ ପ୍ରଶ୍ନ ମଧ୍ୟ ଆଲୋଚିତ ହେଉଛି। ବିଜୟ ମହାପାତ୍ର ବିଜେପି ଛାଡ଼ିଥିବାରୁ ଏହି ଦଳ ଶ୍ରୀକାନ୍ତଙ୍କୁ ନେଇପାରେ ବୋଲି କିଛି ମହଲ ଯୁକ୍ତି କରୁଛନ୍ତି। କିନ୍ତୁ ଶ୍ରୀକାନ୍ତ ଏମିତି ଭାବମୂର୍ତ୍ତି ତିଆରି କରିସାରିଛନ୍ତି, କେଉଁ ଦଳ ତାଙ୍କୁ ନେବା ପାଇଁ ଆଗ୍ରହ ପ୍ରକାଶ କରିବା ସମ୍ଭାବନା କ୍ଷୀଣ।

ତେବେ ଏକଲା ଚାଲୁଥିବା ଦାମ ରାଉତ ଶ୍ରୀକାନ୍ତଙ୍କୁ ବଡ଼ ପ୍ରଶଂସା କରିଥିବାରୁ ତାଙ୍କ ଆଗାମୀ ଦଳରେ ବଡ଼ ଭୂମିକା ନେଇପାରନ୍ତି ଶ୍ରୀକାନ୍ତ। ଦାମ କହିଛନ୍ତି, ତାଙ୍କ ନୂଆ ଦଳରେ ସେ ସଭାପତି କିମ୍ୱା ଅନ୍ୟ ପଦବୀଧାରୀ ହେବେ ନାହିଁ। ଶ୍ରୀକାନ୍ତ ଜନ୍ମ ନେଇଥିବା ଏହି ଦଳର ସଭାପତି ମଧ୍ୟ ହୋଇପାରନ୍ତି।

ରାଜ୍ୟ ବିଜେପିରେ ଏବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକଚାଟିଆ ନେତୃତ୍ୱ ଓ ମାର୍ଗଦର୍ଶନରେ କାର୍ଯ୍ୟ କରୁଛି। ନିର୍ବାଚନ ପାଖେଇ ଆସୁଥିବା ବେଳେ ଶ୍ରୀକାନ୍ତଙ୍କ ଭଳି ନେତାଙ୍କୁ ଆଣି ବିଜେପି ନିଜ ଦଳ ଭିତରେ ହଲଚଲ ସୃଷ୍ଟି କରିବା ପାଇଁ କେବେ ବି ସୁଯୋଗ ଦେବ ନାହିଁ। ବିଜେପି ନେତାଙ୍କ କହିବା କଥା, ଶ୍ରୀକାନ୍ତ ଯେଉଁ ଦଳକୁ ଯିବେ, ସେଠାରେ ଅସନ୍ତୋଷର ମଞ୍ଜି ବୁଣିବା ଆରମ୍ଭ କରିଦେବେ। ସେ ଯାହା କହୁଛନ୍ତି, ସେଥିରେ ଯୁକ୍ତିଯୁକ୍ତ କାରଣ ଅଛି। କିନ୍ତୁ ଦଳ ପାଇଁ ସେ ଏକ ସମ୍ପତ୍ତି ହୋଇପାରିବେ ନାହିଁ। ତେଣୁ ବିଜେପି ଶ୍ରୀକାନ୍ତଙ୍କୁ ବ୍ୟବହାର କରିପାରେ, ହେଲେ ଦଳକୁ ଆଣିବା ଲାଗି କଦାପି ଚେଷ୍ଟା କରିବ ନାହିଁ।

ଶ୍ରୀକାନ୍ତ ବିଜୁଙ୍କ ଅବୁଝା ପୁଅ ବୋଲି ଏକ ଭାବମୂର୍ତ୍ତି ଓଡ଼ିଶାରେ ତିଆରି କରିଥିଲେ। ତାଙ୍କ ଉପରେ ବିଜୁଙ୍କ ଆଶୀର୍ବାଦ ଥିଲା। କିନ୍ତୁ ଯେଉଁ ମୁହୂର୍ତ୍ତରେ ଶ୍ରୀକାନ୍ତ ଦିଲ୍ଲୀ ଗଲେ, ଓଡ଼ିଶାରେ ଜନତା ଦଳର ପତନ ପର୍ବ ଆରମ୍ଭ ହୋଇଗଲା। ବିଜୟଙ୍କ ସହିତ ଶ୍ରୀକାନ୍ତଙ୍କ ପଡ଼ୁ ନଥିଲା। ତେଣୁ ସେ କେନ୍ଦ୍ରାପଡ଼ାର ଅନ୍ୟତମ ବରିଷ୍ଠ ନେତା ନଳିନୀଙ୍କୁ ବିଜୟଙ୍କ ବିରୋଧରେ ଲଗାଇ ଦେଇଥିବା ଅଭିଯୋଗ ଉଠିଥିଲା। ବସନ୍ତ ବିଶ୍ୱାଳଙ୍କ ସହ ହାତ ମିଳାଇ ସେ ଦିଲୀପ ରାୟଙ୍କ ଘର ଉପରେ ଭିଜିଲାନ୍ସ ଚଢ଼ାଉ କରିଥିଲେ ବୋଲି ଜନତା ଦଳ ଭିତରେ ଚର୍ଚ୍ଚା ବି ଶୁଣିବାକୁ ମିଳିଥିଲା।

ବିଜୁଙ୍କ ବିରୋଧରେ କଂଗ୍ରେସ ସରକାର ଅମଳରେ ଭିଜିଲାନ୍ସ ମାମଲା ଏବଂ ଚାର୍ଜସିଟ ଇତ୍ୟାଦିରେ ତତକାଳୀନ ମୁଖ୍ୟମନ୍ତ୍ରୀ ଜେବି ପଟ୍ଟନାୟକ ଶ୍ରୀକାନ୍ତଙ୍କୁ ବ୍ୟବହାର କରିଥିଲେ। ଓଡ଼ିଶାରେ ଜନତା ଦଳ ୧୨୩ରୁ ୪୬କୁ ଖସିଆସିଥିଲା। ଶ୍ରୀକାନ୍ତ ମଣ୍ଡଳର ଜଣେ ବଡ଼ ପ୍ରବକ୍ତା ଥିଲେ। ବିଜୁଙ୍କ ତୁଳନାରେ ସେ ଶରଦ ଯାଦବ, ଲାଲୁ ପ୍ରସାଦ ଏବଂ ରାମବିଳାସ ପାଶ୍ୱୱାନଙ୍କୁ ଅଧିକ ଗୁରୁତ୍ୱ ଦେବା ଦେଖିବାକୁ ମିଳିଥିଲା। ବିଜୁ ତାଙ୍କ ଦ୍ୱାରା ଅପମାନିତ ହୋଇଥିଲେ। ଏହାର ପରିଣତି ସ୍ୱରୂପ ବିଜୁଙ୍କ ମୃତ୍ୟୁ ପରେପରେ ଶ୍ରୀକାନ୍ତଙ୍କ ବିରୋଧରେ ଏକ ପ୍ରବଳ ଜନମତ ସୃଷ୍ଟି ହୋଇଥିଲା। ଅବସ୍ଥା ଏମିତି ହୋଇଥିଲା ଯେ, ସେ ପୁରୀ ସ୍ୱର୍ଗଦ୍ୱାରକୁ ମଧ୍ୟ ଆସିପାରି ନଥିଲେ।

୧୯୯୮ ଲୋକସଭା ନିର୍ବାଚନରେ କେନ୍ଦ୍ରାପଡ଼ା ଆସନରୁ ଜନତା ଦଳ ପ୍ରାର୍ଥୀ ଭାବେ ବହୁ ବିପୁଳ ଭୋଟ ବ୍ୟବଧାନରେ ଶ୍ରୀକାନ୍ତ ହାରିଯାଇଥିଲେ। ସେ ଥିବା ଅବସ୍ଥାରେ ଓଡ଼ିଶାରେ ଜନତା ଦଳର ପତନ ପର୍ବର ମୁଣ୍ଡି ମରାଯାଇଥିଲା। ୧୯୯୯ରେ ସେ କଂଗ୍ରେସରେ ଯୋଗ ଦେଇଥିଲେ। ସେ ଯୋଗଦେବା ପରେ କଂଗ୍ରେସର ବିପର୍ଯ୍ୟୟ ଆରମ୍ଭ ହୋଇଥିଲା। ୨୦୦୦ ନିର୍ବାଚନରେ କଂଗ୍ରେସ କ୍ଷମତାଚ୍ୟୁତ ହେଲା।

କିନ୍ତୁ ୨୦୦୯ରେ ସେ ବାଲେଶ୍ୱର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୟୁପିଏ ସରକାରରେ ରାଷ୍ଟ୍ରମନ୍ତ୍ରୀ ଭାବେ ଯୋଗ ଦେଇଥିଲେ। କେନ୍ଦ୍ରମନ୍ତ୍ରୀ ଥିବା ଅବସ୍ଥାରେ ସେ ଓଡ଼ିଶା ବ୍ୟାପାରରେ ଅଧିକ ସକ୍ରିୟ ହୋଇପଡ଼ିଥିଲେ। ୨୦୧୩ରେ ନିରଞ୍ଜନ ପଟନାୟକଙ୍କୁ ସଭାପତି ପଦରୁ ହଟାଇ ଦିଆଯିବା ଲାଗି ଯେଉଁ ଯୋଜନା ହୋଇଥିଲା, ତାହାର ମୁଖ୍ୟ ସୂତ୍ରଧର ଥିଲେ ଶ୍ରୀକାନ୍ତ। ଜୟଦେବ ଜେନା ନିର୍ବାଚନ ପୂର୍ବରୁ ସଭାପତି ଦାୟିତ୍ୱ ପାଇଥିଲେ। କିନ୍ତୁ ବସ୍ତୁତଃ ବସ ଥିଲେ ଶ୍ରୀକାନ୍ତ। ହେଲେ ୧୬ଟି ଆସନରେ ବିଜୟୀ ହୋଇ କଂଗ୍ରେସ ବିରୋଧୀ ଦଳ ନେତା ଆସନ ଦଖଲ କରିବାକୁ ସଫଳ ହୋଇଥିଲା।

ଜୟଦେବ- ଶ୍ରୀକାନ୍ତ ଯୋଡ଼ି କଂଗ୍ରେସ ସମ୍ଭାଳୁଥିବା ବେଳେ ଟିକଟ ବିକ୍ରି ପରି ଗୁରୁତର ଅଭିଯୋଗ କଂଗ୍ରେସକୁ ଦୋହଲାଇ ଦେଇଥିଲା। ଶ୍ରୀକାନ୍ତ ଯେତେବେଳେ ପ୍ରଭାବ ବିସ୍ତାର କରିବା ଆରମ୍ଭ କଲେ, ସେତେବେଳେ ଓଡ଼ିଶାରେ ସେହି ଦଳର ବିପର୍ଯ୍ୟୟ ଆରମ୍ଭ ହୋଇଥିଲା।

କଂଗ୍ରେସରୁ ବିଦା ହେବା ପରେ ଦଳୀୟ କର୍ମୀ ମହଲରୁ ଶ୍ରୀକାନ୍ତ କୌଣସି ସମବେଦନା ବା ସମର୍ଥନ ପାଇ ନାହାନ୍ତି। କଂଗ୍ରେସ ଭବନକୁ ଯିବାଆସିବା ମଧ୍ୟ ତାଙ୍କର ବିଶେଷ ନଥିଲା। ସେ ବହିଷ୍କୃତ ହେବା ପରେ କଂଗ୍ରେସର ଭାଗ୍ୟ ଉଦୟ ହେବ କି ନାହିଁ, ତାହା ଭିନ୍ନ ପ୍ରସଙ୍ଗ। କିନ୍ତୁ ତାଙ୍କର ଅତୀତ ଇତିହାସକୁ ଦେଖି ଅନ୍ୟ କୌଣସି ଦଳ ତାଙ୍କୁ କୋଳେଇ ନେବ କି ନାହିଁ, ସେନେଇ ସନ୍ଦେହ ସୃଷ୍ଟି ହୋଇଛି।

Leave a Reply

Your email address will not be published.