ଯୋଜନାର ଲମ୍ୱା ଧାଡ଼ି ପରେ ବି ମୋଦି ସରକାର ଉପରେ ମତଦାତା କାହିଁକି ଅସନ୍ତୁଷ୍ଟ?
ଭୁବନେଶ୍ୱର,(ଓଟି): ନିକଟରେ ୫ଟି ରାଜ୍ୟର ନିର୍ବାଚନରେ ପରାଜୟ ପରେ ମୋଦି ସରକାର ଖୁବ୍ ଶୀଘ୍ର କୃଷିଋଣ ଛାଡ଼ ସହିତ ଗ୍ରାମାଞ୍ଚଳ ଓ କୃଷିକ୍ଷେତ୍ରର ଉନ୍ନତି ପାଇଁ କେତେକ ବଡ଼ ଘୋଷଣା କରିପାରନ୍ତି ବୋଲି ଆଲୋଚନା ହେଉଛି। କାରଣ ଏହିସବୁ ରାଜ୍ୟରେ ଗ୍ରାମାଞ୍ଚଳ ମତଦାତାଙ୍କର ଥିବା ଅସନ୍ତୋଷ ବିଜେପିକୁ କ୍ଷମତାଚ୍ୟୁତ କରିଛି। ଏହାର ପ୍ରଭାବ ମଧ୍ୟ ଆଗାମୀ ଲୋକସଭା ନିର୍ବାଚନରେ ପଡ଼ିବ ବୋଲି ବିଜେପି ରଣନୀତିକାରମାନେ ଆଶଙ୍କା ବ୍ୟକ୍ତ କରୁଛନ୍ତି।
ଦେଶର ୪୦୦ରୁ ଅଧିକ ଲୋକସଭା ଆସନ ଗ୍ରାମାଞ୍ଚଳରେ ରହିଛି। ଏହି ଲୋକସଭା କ୍ଷେତ୍ରରେ ରହୁଥିବା କୃଷକ ଓ ଗରିବ ଲୋକମାନଙ୍କର ଅସନ୍ତୋଷ ମୋଦି ସରକାରକୁ ଭୋଗିବାକୁ ପଡ଼ିପାରେ ବୋଲି ଅନୁମାନ କରାଯାଉଛି। କୃଷକମାନଙ୍କର ଆୟ ଦୁଇଗୁଣ କରିବାକୁ ମୋଦି ୨୦୧୪ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲେ। କ୍ଷମତା ଆସିବା ପରେ ମୋଦି କୃଷି ବୀମା ସହିତ ଅନେକ ସରକାରୀ ଯୋଜନାର ଘୋଷଣା କରିଥିଲେ। ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶ ଭଳି ରାଜ୍ୟରେ କୃଷିଋଣ ଛାଡ଼ ମଧ୍ୟ କରାଯାଇଛି। କୃଷିଜାତ ପଦାର୍ଥର ସହାୟକ ମୂଲ୍ୟ ଦେଢ଼ଗୁଣା ବୃଦ୍ଧି କରାଯାଇଛି। ଉଜ୍ଜଳା, ସ୍ୱଚ୍ଛ ଭାରତ ଅଭିଯାନ ଭଳି ଅନେକ ଯୋଜନା ଗ୍ରାମାଞ୍ଚଳ ମତଦାତାଙ୍କ ପାଇଁ କରାଯାଇଛି। ଏହା ପରେ ବି ସେମାନେ ମୋଦି ସରକାର ଉପରେ କାହିଁକି ଅସନ୍ତୁଷ୍ଟ ବୋଲି ପ୍ରଶ୍ନ ଉଠିବାରେ ଲାଗିଛି।
ପ୍ରକୃତରେ ସରକାର ଯେଉଁସବୁ ଯୋଜନାକୁ ଗେମଚେଞ୍ଜର ବୋଲି ମାନୁଥିଲା ତାହା ଅସନ୍ତୋଷର ମୂଳ କାରଣ ହୋଇଛି। ବିଜେପି ପ୍ରତିଶ୍ରୁତିର ପାହାଡ଼ ଛିଡ଼ା କରି କ୍ଷମତାକୁ ଆସିଥିଲା। ଲଗାତର ଘୋଷଣା ଓ ବିଜ୍ଞାପନ ମାଧ୍ୟମରେ ଏହି ପ୍ରତିଶ୍ରୁତିକୁ ଆହୁରି ଉଚ୍ଚା କରିଛି। ବିଜେପି କ୍ଷମତାକୁ ଆସିବା ପରେ ଦେଶର ଅନେକ ଅଞ୍ଚଳ ମରୁଡ଼ିଗ୍ରସ୍ତ ହୋଇଛି। କିନ୍ତୁ ସରକାର ମରୁଡ଼ିର ସ୍ଥାୟୀ ମୁକ୍କାବିଲା ଦିଗରେ କୌଣସି ପଦକ୍ଷେପ ନେଇନାହିଁ।
୧୯୬୦ ମସିହା ପରେ ପ୍ରଥମ ଥର ପାଇଁ ବିଜେପି ସରକାର ମରୁଡ଼ି, ବନ୍ୟା ଓ ବାତ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ କୌଣସି ପଦକ୍ଷେପ ନେଇନାହିଁ। କୃଷକମାନଙ୍କ ପାଇଁ ସରକାର ଯେଉଁ କୃଷିବୀମା ଯୋଜନା କରିଛନ୍ତି ତାହାର ଭିତ୍ତିଭୂମି ନଥିବାରୁ ତାହା ବିଫଳ ହୋଇଛି। ଅପରପକ୍ଷରେ ଗ୍ରାମାଞ୍ଚଳର ଲୋକମାନଙ୍କର ରୋଜଗାର ବଢ଼ିବା ପରିବର୍ତ୍ତେ କମ୍ ହେବାରେ ଲାଗିଛି। ପରିଣାମ ସ୍ୱରୁପ ଏବେ ଦେଶର ଗ୍ରାମାଞ୍ଚଳରେ ରହୁଥିବା କୃଷକ ଓ ମତଦାତାମାନେ ବିଜେପି ଉପରେ ନିଜର ଆସ୍ଥା ହରାଇଛନ୍ତି।