ସମସ୍ତଙ୍କୁ ଭଲରେ ରଖ
ସନ୍ଧ୍ୟାଦୀପ ଦାନ କଲାବେଳେ ମା’ କ’ଣ କହେ, ତାହା ବୁଝା ପଡ଼େନା। କିନ୍ତୁ ସର୍ବଶେଷରେ ’ସମସ୍ତଙ୍କୁ ଭଲରେ ରଖ’ ହେ ପ୍ରଭୁ କହି ମୁଣ୍ଡିଆ ମାରିଲା ବେଳେ ଆମେ ସବୁ ନଇଁପଡ଼ୁ। ମୁଣ୍ଡିଆଟିଏ ମାରିଦେଇ ନିଜ ପାଠପଢ଼ାରେ ଲାଗିଯାଉ। ପିଲାବେଳର ଅଭ୍ୟାସ ଏବେ ସହରର ବ୍ୟବସ୍ତ ଜୀବନ ଏବଂ କାର୍ଯ୍ୟ ଚାପରେ ଚାପି ହୋଇ ଯାଇଛି। ଏମିତିକି ସନ୍ଧ୍ୟା କେବେ ଦେଖିଥିଲୁ ବୋଲି ଯଦି କିଏ ପ୍ରଶ୍ନ ପଚାରେ ତେବେ ତାହାର ଉତ୍ତର ଖୋଜିବାକୁ ଯେତିକି ସମୟ ଲାଗିବ ବୋଧ ହୁଏ ଆଉ ଗୋଟିଏ ସନ୍ଧ୍ୟା ଖୋଜି ପାଇବା ସହଜ ହେବ!
ଆଜି ଏ ବିପର୍ଯ୍ୟୟ ସମୟରେ ସେଇ କଥା ମନେ ପଡ଼ିବାର କାରଣ ହେଉଛି ମା’ର ସେଇ ଡାକରାରେ ନିଜର ମଙ୍ଗଳ କାମନା ନଥିଲା, ବରଂ ସମଗ୍ର ବସୁଧାକୁ କୁଟୁମ୍ବ ଭାବେ ଗ୍ରହଣ କରିବାର ବାର୍ତ୍ତା ଥିଲା। ଜଗତରେ ସମସ୍ତେ ଭଲରେ ରହିଲେଯେ ଆମେ ଭଲରେ ରହିପାରିବା ତାହା ସେ ଜାଣତ ବା ଅଜାଣତରେ ଅନୁଭବ କରିଥିଲା।
ସେଇ ବାର୍ତ୍ତା ଆଜି ସମସ୍ତଙ୍କ ପାଇଁ ଅପରିହାର୍ଯ୍ୟ। ଚାଲନ୍ତୁ ସେଇଆ ହିଁ ପ୍ରାର୍ଥନା କରିବା! ଅନ୍ୟ କାହା ପାଇଁ ନୁହେଁ ଏ ବିଶ୍ଵର କଲ୍ୟାଣ ପାଇଁ।











