କେନ୍ଦ୍ରାପଡ଼ା ଜିଲ୍ଲାକୁ ଫେରିଲେ ୮୮୬୦
କେନ୍ଦ୍ରାପଡ଼ା,(ଓଟି): ଦେଶର ବିଭିନ୍ନ ଅଞ୍ଚଳ ଏବଂ ଦେଶ ବାହାରେ ଥିବା ପ୍ରାୟ ୧୦ ହଜାର ଲୋକ ଏବେ କେନ୍ଦ୍ରାପଡ଼ା ଫେରି ଆସିଛନ୍ତି । କରୋନା ସଂକ୍ରମଣ ଭୟରେ ସେମାନେ ଜିଲ୍ଲାକୁ ଫେରିଥିଲେ ମଧ୍ୟ ସେମାନେ କେନ୍ଦ୍ରାପଡ଼ାରେ କରୋନା ବାହକ ହୋଇପାରନ୍ତି ବୋଲି ଆଶଙ୍କା କରାଯାଇଛି । ଏଣୁ ଆବଶ୍ୟକ ପ୍ରଶାସନିକ ପଦକ୍ଷେପ ନିଆଯାଇଛି ।
ମିଳିଥିବା ସୂଚନା ଅନୁସାରେ ବିଦେଶରେ ରହୁଥିବା ୫୯୧ ଜଣ ଏବେ ସୁଦ୍ଧା କେନ୍ଦ୍ରାପଡ଼ା ଜିଲ୍ଲାକୁ ଫେରିଆସିଥିବା ବେଳେ ଦେଶର ବିଭିନ୍ନ ରାଜ୍ୟରେ ରହୁଥିବା ୮୮୬୦ ଜଣ ଫେରିଆସିଛନ୍ତି । ଏହି ବ୍ୟକ୍ତିମାନେ ରାଜ୍ୟ ସରକାରଙ୍କ ନିକଟରେ ନିଜ ନାମ ପଞ୍ଜିକରଣ କରିଛନ୍ତି । କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଜିଲ୍ଲାର ୨୪୯ଟି ପଂଚାୟତରେ ୨୮୩ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇ ୧୨୪୦୩ଟି ଶଜ୍ୟା ପ୍ରସ୍ତୁତ କରାଯାଇଛି ।
ଏଥିସହ କେନ୍ଦ୍ରପଡ଼ା ଓ ପଟାମୁଣ୍ଡାଇ ପୌରାଂଚଳରେ ୯ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇ ୨୮୦ଟି ଶଯ୍ୟା ପ୍ରସ୍ତୁତ କରାଯାଇଛି । ସେହିପରି କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ୩୦୦, ଛତା ପଲିଟେକନିକ କଲେଜରେ ୨୬୦, କେନ୍ଦ୍ରାପଡ଼ା ଆଦର୍ଶ ବିଦ୍ୟାଳରେ ୧୬୦, ପଟାମୁଣ୍ଡାଇ ଓବିସି ଛାତ୍ରାବାସରେ ୧୫୦, କେନ୍ଦ୍ରାପଡ଼ା ସାନ୍ଧ୍ୟ ମହାବିଦ୍ୟାଳୟରେ ୧୩୦ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ କୋଭିଡ଼-୧୯ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯାଇଛି ।
ଜିଲ୍ଲାରେ ଲକଡାଉନ ଉଲଂଘନ କରିଥିବା ନେଇ ଏବେ ସୁଦ୍ଧା ୫୮ଟି ମାମଲା ରୁଜ୍ଜୁ ହୋଇଥିବା ବେଳେ ୧୦୧ ଜଣଙ୍କ ନାମରେ ମାମଲା ରୁଜ୍ଜୁ କରାଯାଇଛି ଓ ୪୯ଟି ବାଇକ, ୨ଟି ଅଟୋ ପ୍ରଶାସନ ପକ୍ଷରୁ ଜବତ କରାଯିବା ସହ ୨୫୫୦୦ ଟଙ୍କା ଜୋରିମାନା ଆଦାୟ ହୋଇଛି ।