#IndiaFightsWithCorona: ୮୦% ଆକ୍ରାନ୍ତଙ୍କ ନାହିଁ ଲକ୍ଷଣ

ନୂଆଦିଲ୍ଲୀ(ଓଟି): ମହାମାରୀ କରୋନାକୁ ହରାଇବା ପାଇଁ ସାରା ଦେଶ ବଡ଼ କଠିନ ପରିସ୍ଥିତିରେ ସଂଘର୍ଷ ଜାରି ରଖିଛି। ସରକାରୀ ସ୍ତରରେ ନିଆଯାଉଛି ବ୍ୟାପକ ପଦକ୍ଷେପ। ତେବେ ସଂକ୍ରମଣ ବ୍ୟାପୁଛି ଓ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହା ଚିନ୍ତାର କାରଣ ପାଲଟିଥିବାବେଳେ ପୁଣି ଏହାକୁ ବଳି ଯାଇଛି ବିଲକ୍ଷଣ ସଂକ୍ରମଣ ଘଟଣା। ଅର୍ଥାତ୍‌ ଜଣଙ୍କ ପରୀକ୍ଷା ରିପୋର୍ଟରେ ପଜିଟିଭ୍‌ ଆସୁଥିବା ବେଳେ ତାଙ୍କ ନିକଟରେ କରୋନା ଜନିତ କୌଣସି ଲକ୍ଷଣ ନଦେଖାଯିବା ବଡ଼ ସମସ୍ୟା ସୃଷ୍ଟି କରିଛି। ଏନେଇ ବିଶେଷଜ୍ଞଙ୍କ ଠାରୁ ଆରମ୍ଭ କରି ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀ ମଧ୍ୟ ଚିନ୍ତାରେ ପଡ଼ି ଯାଇଛନ୍ତି। ଏପରିକି ୮୦ ପ୍ରତିଶତ ସଂକ୍ରମିତଙ୍କ ନିକଟରେ କୌଣସି ଲକ୍ଷଣ ଦେଖାଯାଉନଥିବା ବିଶେଷଜ୍ଞ କହିଛନ୍ତି।

ଆଇସିଏମଆରର ବରିଷ୍ଠ ବୈଜ୍ଞାନିକ ରମଣ ଆର୍ ଗଙ୍ଗାଖେଦକାରଙ୍କ କହିବା ଅନୁସାରେ ୮୦ ପ୍ରତିଶତ ସଂକ୍ରମିତଙ୍କଠାରେ କୋଭିଡ-୧୯ର କୌଣସି ଲକ୍ଷଣ ଦେଖିବାକୁ ମିଳୁନାହିଁ। ଫଳରେ ରୋଗ ଚିହ୍ନଟ କରିବାରେ ସମସ୍ୟା ସୃଷ୍ଟି ହେଉଛି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୦୦୦ ଛୁଇଁଥିବା ବେଳେ ୫୪୩ ଜଣ ପ୍ରାଣ ହରାଇଲେଣି। କିନ୍ତୁ ଏମାନଙ୍କ ମଧ୍ୟରୁ ଅନେକଙ୍କ ନିକଟରେ କରୋନା ଜନିତ କୌଣସି ଲକ୍ଷଣ ନାହିଁ। ଲକ୍ଷଣ ନଥିଲେ ସମସ୍ତଙ୍କର ଟେଷ୍ଟ କରିବା ଏକ ପ୍ରକାର ଅସମ୍ଭବ; ତେଣୁ କେବଳ ହଟସ୍ପଟରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ତେବେ ମେ’ ମାସରେ ଭାରତ କରୋନା ମୁକାବିଲାରେ ଅନେକାଂଶରେ ସଫଳ ହେବ ଓ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇବ ବୋଲି ବୈଜ୍ଞାନିକ ଗଙ୍ଗାଖେଦକାର ଆଶା ବ୍ୟକ୍ତ କରିଛନ୍ତି।

ଅନ୍ୟପକ୍ଷରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ନିକଟରେ ଏକ ଗମ୍ଭୀର ତଥ୍ୟ ଦେଇଥିଲେ। ଲକ୍ଷଣ ଦେଖାଯାଉ ନଥିବା ୭୩୬ଜଣଙ୍କ ନମୁନା ପରୀକ୍ଷା କରାଯାଇଥିବାବେଳେ ୧୮୬ଟି କେସ୍‌ ପଜିଟିଭ୍ ରିପୋର୍ଟ ଆସିଥିଲା। ସେମାନେ କେତେବଳେ ଓ କେମିତି ସଂକ୍ରମଣର ଶିକାର ହେଲେ ଜାଣି ପାରୁନାହାନ୍ତି।

ତେଣୁ କରୋନା ମହାମାରୀ ଅଦୃଶ୍ୟ ଆତଙ୍କ ଭଳି ଏହାର ସଂକ୍ରମଣ ଦିଗ ବଡ଼ ସନ୍ଦେହଜନକ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *