ଫନି ମୁକାବିଲା : ୮ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା

ଓଡିଶା ଉପକୂଳରେ ଫନି ପହଞ୍ଚିବା ପୂର୍ବରୁ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ୮ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ମହିଳା ,ଶିଶୁ ଓ ଦିବ୍ୟାଙ୍ଗଙ୍କୁ ପ୍ରଥମେ ସ୍ଥାନାନ୍ତର କରାଯିବ ଓ ଏହାପରେ ଅନ୍ୟମାନଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯିବ। ଅତୀତରେ ଓଡ଼ିଶାରେ ଏତେ ସଂଖ୍ୟକ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ନାହିଁ। ଏହା ହେବ ଓଡିଶାର ସବୁଠୁ ବଡ ସ୍ଥାନାନ୍ତରଣ। ଏହାଛଡା ଆସନ୍ତାକାଲିଠାରୁ ଆଶ୍ରୟସ୍ଥଳୀରେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି।

ଆସନ୍ତା ୩ ତାରିଖରେ ପୁରୀ ଉପକୂଳ ଛୁଇଁବ ଅତି ଭୟଙ୍କର ରୂପ ଧାରଣ କରିଥିବା ବାତ୍ୟା ଫନି । ବାତ୍ୟା ଫନି ଓଡିଶା ଉପକୂଳ ଆଡକୁ ଯେତିକି ମାଡି ଆସୁଛି ଜନସାଧାରଣଙ୍କ ମନରେ ଭୟ ସେତିକି ବଢିବାରେ ଲାଗିଛି । ଆଉ ଏସବୁ ଭିତରେ ଫନିର ମୁକାବିଲା କରିବା ପାଇଁ ସଚିବାଳୟରେ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟ ଶାସନ ସଚିବ ଓ ବିଭାଗୀୟ ସଚିବଙ୍କ ସହ ଆଲୋଚନା ପରେ ନବୀନ ଫନି ମୁକାବିଲା ନେଇ ଗଣମାଧ୍ୟମରେ ବଡ ବୟାନ ଦେଇଛନ୍ତି।

ସମୀକ୍ଷା ବୈଠକ ପରେ ନବୀନ କହିଛନ୍ତି, ବାତ୍ୟା ଫନିର ମୁକାବିଲା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ । ସମସ୍ତଙ୍କ ଜୀବନ ଅମୂଲ୍ୟ, ତେଣୁ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ୧୦୦ ପ୍ରତିଶତ ସ୍ଥାନାନ୍ତର ଉପରେ ଫୋକସ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାବାଦ୍ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ବିଦ୍ୟୁତ୍ ସେବା, ପାନୀୟ ଜଳ ସେବା ଓ ଯୋଗାଯୋଗ ଉପରେ ଗୁରୁତ୍ୱ ଦେବାକୁ ବିଭାଗୀୟ ସଚିବଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ପୁରୀରୁ ୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ

କାଲି ଦିନ ୧୨ଟା ସୁଦ୍ଧା ପୁରୀ ଜିଲ୍ଲାରୁ ୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ଚିଲିକା ଭିତରେ ଥିବା ଓ ଏହାକୁ ଲାଗି ରହିଥିବା ସବୁ ଗାଁ ଲୋକଙ୍କୁ ପ୍ରଥମେ ସ୍ଥାନାନ୍ତର କରାଯିବ। ପୁରୀର ବିଭିନ୍ନ ହୋଟେଲର ତଳ ମହଲାରେ ଥିବା ପର୍ଯ୍ୟଟକଙ୍କୁ ମଧ୍ୟ ସ୍ଥାନାନ୍ତର କରାଯିବ। ମୁହାଣ ନିକଟବର୍ତ୍ତୀ ଗାଁର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳର ଲୋକଙ୍କୁ ମଧ୍ୟ ସ୍ଥାନାନ୍ତର କରାଯିବ ବୋଲି ପୁରୀ ଜିଲ୍ଲା ଦାୟିତ୍ୱରେ ଥିବା ଅଧିକାରୀ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି।

Leave a Reply

Your email address will not be published.