ନାଟକ ଚାଲିଥିଲା, ସତରେ ଫୁଟିଗଲା ବାଣ
ବ୍ରହ୍ମପୁର (ଓଟି): ଗଞ୍ଜାମ ଜିଲ୍ଲାରେ ପୁଣି ବଡ଼ ଅଘଟଣ ଘଟିଛି। ନାଟକ ଚାଲିଥିବାବେଳେ ସତକୁ ସତ ବାଣ ଫୁଟିଯିବା ଫଳରେ ୪ ଶିଶୁ ସମେତ ୮ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ସମସ୍ତ ଆହତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା କେ. ରାମଚନ୍ଦ୍ରପୁର ଗାଁରେ ଏଭଳି ଦୁର୍ଘଟଣା ଘଟିଛି। ଗାଁରେ ଦୋଳପୂର୍ଣ୍ଣିମା ଉପଲକ୍ଷେ ମହାଭାରତ ନାଟକ ଚାଲିଥିଲା। ସେତିକିବେଳେ ବାଣ ବିସ୍ଫୋରଣ ଘଟିଥିଲା। ନାଟକ ଚାଲିଥିବାବେଳେ ଷ୍ଟେଜ ତଳେ ଗଚ୍ଛିତ ରଖାଯାଇଥିବା ବାଣ ଫୁଟି ଯିବା ଫଳରେ ୮ଜଣ ଗୁରୁତର ହୋଇଥିଲେ। ସେମାନଙ୍କୁ ପ୍ରଥମେ ଆସ୍କା ମେଡିକାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ଦେଖାଦେଇଛି।