#Lockdown3.0: ଆଜି ଫେରିଲେ ୭୪୫୭ ଶ୍ରମିକ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ବିଭିନ୍ନ ରାଜ୍ୟରେ କାମ କରୁଥିବା ୭୪୫୭ଜଣ ଶ୍ରମିକ ଆଜି ବସ୍ ଓ ଟ୍ରେନ୍ ଯୋଗେ ଓଡ଼ିଶ ଫେରିଛନ୍ତି। ସେମାନଙ୍କୁ ଆବଶ୍ୟକପ୍ରକ୍ରିୟା ଦେଇ କ୍ଵାରେଣ୍ଟିନ୍ ହୋମ୍କୁ ପଠାଇ ଦିଆଯାଇଛି। ଏମାନଙ୍କୁ ମିଶାଇ ଓଡ଼ିଶାକୁ ସମୁଦାୟ ୩୫ ହଜାର ୫୪୦ଜଣ ଶ୍ରମିକ ଫେରି ଆସିଛନ୍ତି। ମେ’ ୩ ତାରିଖରୁ ଓଡ଼ିଶାକୁ ବାହାର ରାଜ୍ୟରେ କାମ କରୁଥିବା ଓଡ଼ିଆ ଶ୍ରମିକ, ଫଶିଥିବା ତୀର୍ଥଯାତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ବ୍ୟବସ୍ଥା କରାଯାଇଛି। ଏଥିପାଇଁ ସ୍ଵତନ୍ତ୍ର ବସ୍ ଓ ଟ୍ରେନ୍ ଯୋଗେ ବ୍ୟବସ୍ଥା କରାଯାଇଛି। ତେବେ ଦୁର୍ଘଟଣା ଓ ସୁରକ୍ଷା କାରଣରୁ ଏଣିକି ବସ୍ ଯାତ୍ରା ବାତିଲ କରାଯାଇଛି କେବଳ ଟ୍ରେନ୍ରେ ପ୍ରବାସୀଙ୍କୁ ଅଣାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
ଏହି ଶ୍ରମିକମାନଙ୍କ ଲାଗି କ୍ଵାରେଣ୍ଟୀନ୍ ହୋମ୍ରେ ହୋଟେଲ୍ ଭଳି ସୁବିଧା ସୁଯୋଗ କରାଯାଇଛି। ସେମାନଙ୍କ ଲାଗି ୬୭୯୮ଟି ପଞ୍ଚାୟତରେ ୧୧୩୨୮ଟି ଅସ୍ଥାୟୀ ଚିକିତ୍ସାକେନ୍ଦ୍ର ଗଠନ କରାଯାଇଛି ବୋଲି ପଞ୍ଚାୟତିରାଜ ସଚିବ ଦେଓରଞ୍ଜନ ସିଂହ କହିଛନ୍ତି। ଏହି କେନ୍ଦ୍ରରେ ୫ ଲକ୍ଷରୁ ଅଧିକ ଶଯ୍ୟା ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି। ପ୍ରତି ଶଯ୍ୟାଠୁ ଅନ୍ୟ ଶଯ୍ୟାର ଦୂରତା ଦୁଇମିଟର ରଖାଯାଇଛି। ଏମାନଙ୍କ ସବୁଦିନର ଖାଇବା ପ୍ରଦାନ ଲାଗି ସ୍ଵତନ୍ତ୍ର ମେନ୍ୟୁ ଗ୍ରହଣ କରାଯାଇଛି। ଏଥିରେ ଖାଇବା ମେନ୍ୟୁକୁ ଜିଲ୍ଲାପାଳଙ୍କ ଦ୍ଵାରା ନିର୍ଦ୍ଧାରଣ କରାଯାଇଛି।
ଗ୍ରାମାଞ୍ଚଳର ଫେରନ୍ତାଙ୍କ ଲାଗି ଆନୁଷ୍ଠାନିକ କ୍ଵାରେଣ୍ଟୀନ ବାଧ୍ୟତାମୂଳକ ହୋଇଥିବା ବେଳେ ସହରାଞ୍ଚଳରେ ହୋମ୍ କ୍ଵାରେଣ୍ଟୀନ ଅନୁମତି ରହିଛି। ଯେଉଁମାନଙ୍କ ଘରେ ସୁବିଧା ନଥିବ ସେମାନଙ୍କ ଲାଗି ସମ୍ପୃକ୍ତ ମ୍ୟୁନିସିପାଲିଟି ବ୍ୟବସ୍ଥା କରିବେ। ବା ସମ୍ପୃକ୍ତ ଫେରନ୍ତା ନିର୍ଦ୍ଧାରିତ ହୋଟେଲ୍ରେ ନିଜ ଖର୍ଚରେ ରହିପାରିବେ।
ମହିଳା, ଗର୍ଭବତୀ ଏବଂ ତୃତୀୟଲିଙ୍ଗଙ୍କ ପାଇଁ ଗ୍ରାମାଞ୍ଚଳରେ ହୋମ୍ କ୍ଵାରେଣ୍ଟୀନ ଅନୁମତି ରହିଛି। ନହେଲେ ଏମାନଙ୍କ ଲାଗି ସ୍ଵତନ୍ତ୍ର ଆୟୋଜନ କରାଯାଇପାରିବ ବୋଲି କୋଭିଡ୍-୧୯ ମୁଖପାତ୍ର ସୁବ୍ରତୋ ବାଗ୍ଚୀ କହିଛନ୍ତି।