ଇରାନରେ କରୋନାର କାଳରୂପ, ଗୁଜବ ନେଲାଣି ୭୦୦ ଜୀବନ
ନୂଆଦିଲ୍ଲୀ (ଓଡ଼ିଶା ଟାଇମ୍): ମହାମାରୀ କରୋନା ଭାଇରସ ସମଗ୍ର ବିଶ୍ୱରେ ତ୍ରାହି ତ୍ରାହି ଡାକ ସୃଷ୍ଟି କରିସାରିଲାଣି। ଆମେରିକାରେ ଏହା କାଳ ସାଜିଥିବାବେଳେ ଅବସ୍ଥା ଅନିୟନ୍ତ୍ରିତ ହୋଇଯାଇଛି। ତେବେ ଚୀନ ପରେ ମଧ୍ୟପ୍ରାଚ୍ୟ ଦେଶ ମଧ୍ୟରେ ଇରାନ ଦ୍ୱିତୀୟ ଗୁରୁତର ପ୍ରଭାବିତ ହୋଇଥିଲା। ଇରାନରେ ହଜାର ହଜାର ଲୋକେ ମହାମାରୀ କରୋନା କବଳିତ ହୋଇଥିବାବଳେ ଗୋଟିଏ ପରେ ଗୋଟିଏ ପ୍ରାଣ ଚାଲି ଯାଉଛି। ତେବେ ଏଭଳି ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି ଗୁଜବ। ଲୋକେ କରୋନାରୁ ଭଲ ହେବା ବିଶ୍ଵାସ (?) କରି ବିଷାକ୍ତ ରାସାୟନିକ ପଦାର୍ଥ ପିଇ ଯାଉଛନ୍ତି। ଫଳରେ କେବଳ ସେହି କାରଣରୁ ୭୦୦ରୁ ଅଧିକ ପ୍ରାଣ ହରାଇଥିବା ଜଣାପଡ଼ିଛି। ଏଥିସହ ୫ ହଜାରରୁ ଅଧିକ ଲୋକଙ୍କ ଅବସ୍ଥା ସଂକଟାପନ୍ନ ହୋଇପଡ଼ିଛି।

ସୂଚନା ଅନୁସାରେ ଗୁଜବକୁ ବିଶ୍ୱାସ କରି ଲୋକେ ବିଷାକ୍ତ ମିଥାନଲ ପିଇ ଯାଉଛନ୍ତି। ଫଳରେ ୭୨୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହୁରି ୫ହଜାରରୁ ଅଧିକ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ଫଳରେ ମହାମାରୀ କରୋନା ପରିସ୍ଥିତିରେ ଇରାନର ସ୍ୱାସ୍ଥ୍ୟ ସମସ୍ୟା ଅଧିକ ଜଟିଳ ହୋଇଯାଇଛି। ମିଥାନଲରେ ନୋଭେଲ କରୋନା ଭାଇରସ ନିୟନ୍ତ୍ରିତ ହେଉଥିବା ଗୁଜବକୁ ବିଶ୍ୱାସ କରି ଲୋକେ ପିଇଯାଉଛନ୍ତି। ଫଳରେ ଗତ ଫେବ୍ରୁଆରୀ ୨୦ରୁ ଏପ୍ରିଲ ୭ ସୁଦ୍ଧା ଦେଶରେ ୫୨୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ହଜାରରୁ ଅଧିକ ଲୋକେ ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଇରାନ ସରକାର ଦେଶରେ ମିଥାନଲ ଉତ୍ପାଦନ କରୁଥିବା ସଂସ୍ଥାଙ୍କୁ ସେଥିରେ ରଙ୍ଗ ମିଶ୍ରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଲୋକେ ଏହା ଖାଦ୍ୟ-ପେୟ ଉପଯୋଗ କରିପାରିବେନି। ମିଥାନଲ ଯୋଗୁ ଛାତିରେ ଯନ୍ତ୍ରଣା, ବାନ୍ତି, ଅନ୍ଧତ୍ୱ, ଅଙ୍ଗପ୍ରତ୍ୟଙ୍ଗ ଅଚଳ ଏପରିକି ଲୋକେ କୋମା ପରିସ୍ଥିତିକୁ ଚାଲିଯାଉଛନ୍ତି। ଏଭଳି ବିଷାକ୍ତ ପଦାର୍ଥ ଗ୍ରହଣ କରିବା ଯୋଗୁ ଦେଶର ପ୍ରାୟ ୯୦ ଜଣ ଦୃଷ୍ଟି ଶକ୍ତି ହରାଇଥିବା ଇରାନ ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
ଗତ ମଙ୍ଗଳବାର ଇରାନ୍ରେ କରୋନା ଆକ୍ରାନ୍ତ ୭୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫ ହଜାର ୮୭୭ରେ ପହଞ୍ଚିଛି। ସମଗ୍ର ମଧ୍ୟପ୍ରାଚ୍ୟରେ ଏହା କରୋନା ଜନିତ ସର୍ବାଧିକ ମୃତ୍ୟୁ ବୋଲି ମନ୍ତ୍ରାଳୟ କହିଛନ୍ତି।