ଦୁଇ ‘ବ୍ରେନ୍ ଡେଡ୍’ ବଞ୍ଚାଇଲେ ୭ ଜୀବନ

ନୂଆଦିଲ୍ଲୀ(ଓଟି): ବିଭିନ୍ନ କାରଣରୁ ସେମାନଙ୍କ ଜୀବନ ବଞ୍ଚିପାରିଲାନି। ହୋଇଗଲା ବ୍ରେନ୍‌ ଡେଡ୍‌। ତେବେ ସେମାନଙ୍କ ଅଙ୍ଗପ୍ରତ୍ୟଙ୍ଗ ରୋପଣ ହୋଇପାରିଛି ଅନ୍ୟ ରୋଗୀଙ୍କ କ୍ଷେତ୍ରରେ। ଫଳରେ ୭ଜଣ ନୂଆ ଜୀବନ ଲାଭ କରିପାରିଛନ୍ତି। ଆହୁରି କେତେଜଣ ମଧ୍ୟ ଦୁନିଆର ଆଲୋକ ଦେଖିପାରିବାର ପଥ ଉନ୍ମୁକ୍ତ ହୋଇଛି। କାହାଣୀ ଭଳି ଲାଗୁଥିଲେ ମଧ୍ୟ ଘଟଣା ସତ। ନିକଟରେ ଓଡ଼ିଶାରେ ଏଭଳି ଏକ ଘଟଣା ଘଟିଥିଲା।

ଓଡ଼ିଶାରେ ପ୍ରିୟଙ୍କା ହୋଇଛନ୍ତି ଅମର

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ପ୍ରିୟଙ୍କା ଦୁର୍ଘଟଣାଗସ୍ତ ହୋଇ ଆପୋଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ବ୍ରେନ୍‌ ଡେଡ୍‌ ହୋଇଯାଇଥିଲା। ଝିଅକୁ ଏଭଳି ଅବସ୍ଥାରେ ହରାଇ ସମ୍ପୃକ୍ତ ପରିବାର ଦୁଃଖରେ ଭାଙ୍ଗି ପଡ଼ିଥିଲେ ମଧ୍ୟ ସମାଜ ପାଇଁ ସୃଷ୍ଟି କରିଥିଲେ ଉଦାହରଣ। ପ୍ରିୟଙ୍କାଙ୍କ ଅଙ୍ଗଦାନ ପାଇଁ ସେମାନେ ଦେଇଥିଲେ ସ୍ଵୀକୃତି। ଫଳରେ କଟକ ବଡ଼ ମେଡିକାଲ୍‌ରେ ଜଣେ ରୋଗୀଙ୍କ ଶରୀରରେ ଲାଗିଥିଲା ପ୍ରିୟଙ୍କାଙ୍କ କିଡ୍‌ନୀ। ସେହିପରି ଆପୋଲ୍‌ରେ ଉପକୃତ ହୋଇଥିଲେ ଆଉଜଣେ ରୋଗୀ। ଉକ୍ତ ଘଟଣା ଓଡ଼ିଶାରେ ବିରଳ ଓ କଟକ ବଡ଼ ମେଡିକାଲ ସେହି ଘଟଣାରେ ସଫଳତାର ସହ ଇତିହାସ ସୃଷ୍ଟି କରିଥିଲା।

ଠିକ୍‌ ସେହିପରି ଘଟଣା ଦିଲ୍ଲୀରେ ଘଟିଛି। ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଦୁଇ ରୋଗୀ ୪୮ ଘଣ୍ଟା ଭିତରେ ୭ ଜଣଙ୍କୁ ନୂଆ ଜୀବନ ଦେଇଛନ୍ତି। ସେମାନଙ୍କ ପରିବାରଲୋକଙ୍କ ଅନୁମତି କ୍ରମେ ଅଙ୍ଗ ସଂଗ୍ରହ କରାଯିବା ସହ ପ୍ରତିରୋପଣ କରାଯାଇ ସାତଜଣଙ୍କ ଜୀବନ ବଞ୍ଚାଇ ଦିଆଯାଇଛି। ବ୍ରେନ୍‌ ଡେଡ୍‌ଙ୍କ ମଧ୍ୟରୁ ଜଣେ ୨୬ବର୍ଷ ବୟସ୍କ ୟୁପିର କାସଗଞ୍ଜ ନିବାସୀ ଏବଂ ଅନ୍ୟଜଣେ ୬୧ ବର୍ଷ ବୟସ୍କ ଦିଲ୍ଲୀ ନିବାସୀ ବୋଲି ଏମ୍ସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ଏମ୍ସ ହସ୍ପିଟାଲର ଡାକ୍ତର ୨ଟି ଯକୃତ, ୨ ବୃକକ୍ ଓ ୨ ହୃଦୟ ପ୍ରତିରୋପଣ କରିଛନ୍ତି। ଦୁଇଟି ବୃକକ ଆରଏମଏଲ ହସ୍ପିଟାଲ୍‌ରେ ୨ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା। ଖାଲି ସେତିକି ନୁହେଁ ଅଙ୍ଗଦାନରେ ମିଳିଥିବା  କର୍ଣ୍ଣିଆ,  ହାର୍ଟ ବଲବ ଏବଂ ହାଡ଼ଗୁଡିକୁ ସୁରକ୍ଷିତ ଟିସୁ ବ୍ୟାଙ୍କରେ ରଖାଯାଇଛି। ସେସବୁ ମଧ୍ୟ ଆଉକେତେକଙ୍କ ଜୀବନ ବଞ୍ଚାଇ ପାରିବ। ୟୁପିର ୨୬ବର୍ଷ ବୟସ୍କ ସଚ୍ଚିନ ଦିନ ମଜୁରିଆ ଭାବେ କାମ କରୁଥିବାବେଳେ ସେ ଗତ ୧୩ରେ ଦୁଇ ମହଲା ଛାତରୁ ତଳକୁ ଖସିପଡ଼ିଥିଲେ ଏବଂ ୧୫ ତାରିଖରେ ତାଙ୍କର ବ୍ରେନ୍ ଡେଡ୍ ହୋଇଯାଇଥିଲା। ଏହାପରେ ଏମ୍ସରେ ଓଆରବିଓର ଅଧିକାରୀ ତାଙ୍କ ପରିବାରଲୋକଙ୍କ ସହ କଥା ହୋଇଥିଲେ ଓ ସେମାନେ ସଚ୍ଚିନଙ୍କ ଅଙ୍ଗଦାନ ପାଇଁ ରାଜି ହୋଇଥିଲେ ।  ଅନୁରୂପ ଭାବେ ଦିଲ୍ଲୀର ୬୧ ବର୍ଷୀୟ ଅନିଲ ମିତ୍ତଲଙ୍କୁ ଡାକ୍ତର ବ୍ରେନ୍ ଡେଡ୍ ଘୋଷଣା କରିଥିଲେ। ତାଙ୍କର ଯକୃତ, ବୃକକକୁ ଏମ୍ସ ଏବଂ ରାମ ଲୋହିଆ ମେଡିକାଲରେ ରୋଗୀଙ୍କଠାରେ ପ୍ରତିରୋପଣ କରାଯାଇଥିଲା। ସେହିଭଳି ତାଙ୍କର ହାର୍ଟ ବଲବ ଏବଂ ଦୁଇଟି କର୍ଣ୍ଣିଆକୁ ସୁରକ୍ଷିତ ରଖାଯାଇଛି ।

ସମ୍ପୃକ୍ତ ୨ ପରିବାର ଲୋକଙ୍କୁ ବିଭିନ୍ନ ମହଲରୁ ସାଧୁବାଦ ଜ୍ଞାପନ କରାଯାଉଛି।

Leave a Reply

Your email address will not be published. Required fields are marked *