#କୋଭିଡ-୧୯: ଚାଲିଗଲା ୬୦୦ ଜୀବନ, ୩୦୦୦ ଅସୁସ୍ଥ
ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ଭାଇରସ୍ ଯୋଗୁ ଗୋଟିଏ ପରେ ଗୋଟିଏ ସଂକଟ ଘନେଇବାରେ ଲାଗିଛି। ଏହା ବିଶ୍ଵ ସ୍ତରରେ ବଡ଼ ସମସ୍ୟା ସୃଷ୍ଟି କରିଛି। ଇରାନରେ ସମ୍ପ୍ରତି ୩୮୦୦ ଜଣଙ୍କର ମୃତ୍ୟୁ ଘଟିସାରିଛି। ଏଭଳି ସ୍ଥିତିରେ ବିଷାକ୍ତ ମଦ ପିଇ ସେଠାରେ ୬୦୦ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୩୦୦୦ରୁ ଅଧିକ ଲୋକ ଗୁରୁତର ହୋଇଥିବା ସୂଚନା ରହିଛି। ତେବେ ମଦ ପିଇଲେ କରୋନାରୁ ବର୍ତ୍ତିବାର ବାଟ ମିଳିଯିବ ଭାବି ସେମାନେ ଭାବିନେଇଥିଲେ, ଯାହାକି ଶହଶହ ଜୀବନ ନେଇଯାଇଛି।
ଗତ ମଙ୍ଗଳବାର ଇରାନର ମୁଖପାତ୍ର ଘୋଲାମ ହୁସେନ୍ ଇସମାଇଲୀ ଦେଇଥିବା ସୂଚନା ଅନୁସାରେ, ଲୋକାମାନେ କରୋନା ଭାଇରସ୍ ଔଷଧ ଭାବି ନିଟ୍ ମଦ୍ୟପାନ କରିଥିଲେ। ଏହା ପରେ ବହୁ ସଂଖ୍ୟକ ଲୋକେ ଅସୁସ୍ଥ ହୋଇଥିଲେ। ବିଷାକ୍ତ ମଦ୍ୟପାନ ଯୋଗୁଁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ମଦ୍ୟପାନ ଦ୍ୱାରା କରୋନା ଠିକ୍ ହୋଇନଥାଏ ବରଂ ଜୀବନ ଚାଲିଯାଏ ବୋଲି ସେ ପ୍ରକାଶ କରିଛନ୍ତି।
ଏଥିସହ ସମ୍ପୃକ୍ତ ଘଟଣାରେ ଅନେକ ଲୋକଙ୍କ ଗିରଫ ମଧ୍ୟ କରାଯାଇଛି।