ନିର୍ବାଚନରେ ରେକର୍ଡ଼ ସଂଖ୍ୟକ ଅଭିଯୁକ୍ତ, ବିଜେପିରେ ସର୍ବାଧିକ ୫୯%

ଭୁବନେଶ୍ଵର, (ଓଟି): ବିଗତ ତିନିବର୍ଷର ନିର୍ବାଚନ ଭିତରେ ଚଳିତ ବର୍ଷ ସବୁଠାରୁ ଅଧିକ ଅପରାଧ ଅଭିଯୁକ୍ତ ପ୍ରାର୍ଥୀ ଲୋକଙ୍କ ପାଖଷର ଭୋଟ୍‌ ନିବେଦନ କରିଛନ୍ତି। ଅର୍ଥାତ୍‌ କୌଣସି ନା କୌଣସି ଅପରାଧ ରେକର୍ଡ଼ ଥାଇ ପ୍ରାର୍ଥୀ ହୋଇଛନ୍ତି। ସମୁଦାୟ ପ୍ରାର୍ଥୀଙ୍କର ୩୦ ପ୍ରତିଶତ ପ୍ରାର୍ଥୀ ହେଉଛନ୍ତି ଏହି ବର୍ଗର। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ ତଥା ଓଡ଼ିଶାରେ ବିଧାନସଭା ନିର୍ବାଚନ ଶେଷ ହେବାକୁ ଯାଉଥିବା ବେଳେ ଓଡ଼ିଶା ଇଲେକ୍ସନ୍‌ ୱାଚ୍‌ ଏବଂ ଏଡିଆର୍‌ର ମିଳିତ ସହଯୋଗରେ ପ୍ରକାଶିତ ରିପୋର୍ଟ ଏହା ସୂଚନା ଦେଉଛି।  

ଏଥିରେ କୁହାଯାଇଛି ଯେ, ୨୦୧୯ ନିର୍ବାଚନରେ ସମୁଦାୟ ୧୧୩୭ ଜଣ ପ୍ରାର୍ଥୀ ବିଧାୟକ ହେବା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେମାନଙ୍କ ଭିତରୁ ୧୧୨୧ ଜଣଙ୍କ ସତ୍ୟପାଠକୁ ଅନୁଶୀଳନ କରାଯାଇଛି। ବାକି ୧୬ଜଣ ପ୍ରାର୍ଥୀ ସତ୍ୟପାଠ ଦାଖଲ କରିନାହାନ୍ତି ବା ଦାଖଲ କରିଥିବା ସତ୍ୟପାଠ ଅସ୍ପଷ୍ଟ ରହିଛି। ଏହି ୧୧୨୧ଜଣଙ୍କ ଭିତରୁ ୩୩୨ଜଣଙ୍କ ନାଁରେ ଅପରାଧିକ ମାମଲା ଦାୟର ହୋଇଛି। ଏହା ସମୁଦାୟ ପ୍ରାର୍ଥୀ ୩୩ ପ୍ରତିଶତ। ସେହିପରି ୨୫୭ ପ୍ରାର୍ଥୀଙ୍କ ନାଁରେ ହତ୍ୟା, ଦୁଷ୍କର୍ମ ଭଳି ଜଘନ୍ୟ ଅପରାଧିକ ମାମଲା ବିଚାରାଧୀନ ରହିଛି। ଅର୍ଥାତ୍‌ ସମୁଦାୟ ପ୍ରାର୍ଥୀଙ୍କ ଭିତରୁ ୨୩ ପ୍ରତିଶତ ପ୍ରାର୍ଥୀ ବିଭିନ୍ନ ସଙ୍ଗୀନ ଅପରାଧରେ ଅଭିଯୁକ୍ତ।

୨୦୦୯ ମସିହାରେ ଏହି ସଂଖ୍ୟା ୨୯୨ ଥିଲା। ସେତେବେଳେ ସମୁଦାୟ ୧୨୬୧ଜଣ ପ୍ରାର୍ଥୀଙ୍କ ଦ୍ଵାରା ଦାଖଲ ସତ୍ୟପାଠକୁ ଅନୁଶୀଳନରେ ସାମିଲ୍‌ କରାଯାଇଥିଲା। ସେହିପରି ୨୦୧୪ ନିର୍ବାଚନରେ ୧୪୨୦ ପ୍ରାର୍ଥୀଙ୍କ ଭିତରୁ ୩୩୩ଜଣଙ୍କ ନାଁରେ ମାମଲା ରହିଥିଲା। ଏହି ସଂଖ୍ୟଶ ସମୁଦାୟ ସଂଖ୍ୟାର ୨୩ ପ୍ରତିଶତ।

୨୦୧୯ରେ ଯେଉଁ ପ୍ରାର୍ଥୀମାନେ ନିଜ ନାଁରେ ଅପରାଧିକ ମାମଲା ଅଭିଯୋଗ ଥିବା ଦର୍ଶାଇଛନ୍ତି ସେମାନଙ୍କ ଭିତରୁ ୭ ଜଣ ବିଭିନ୍ନ ଅପରାଧରେ ଦଣ୍ଡିତ ଥିବା ମଧ୍ୟ ଜଣାଇଛନ୍ତି। ୯ ଜଣ ଦଫା ୩୦୨ ହତ୍ୟା ସମ୍ପର୍କିତ ମାମଲାରେ ଅଭିଯୁକ୍ତ ଥିବାବେଳେ ୬୩ ଜଣ ହତ୍ୟା ଉଦ୍ୟମ ୩୦୬ ଦଫାରେ ଅଭିଯୁକ୍ତ। ମହିଳାଙ୍କ ବିରୋଧରେ ଅତ୍ୟାଚାର ଅଭିଯୋଗ ମାମଲାରେ ୪୯ ପ୍ରାର୍ଥୀ ରହିଛନ୍ତି। ୧୭ ଜଣ ଅପହରଣ ମାମଲାରେ ସମ୍ପୃକ୍ତ।

ବିଜେପିରେ ସର୍ବାଧିକ ଅଭିଯୁକ୍ତ

ଏହି ୩୩୨ ଅଭିଯୁକ୍ତ ପ୍ରାର୍ଥୀଙ୍କ ଭିତରେ ପଦ୍ମଫୁଲ ଅଥାତ୍‌ ବିଜେପି ଚିହ୍ନରେ ଲଢ଼ୁଥିବା ପ୍ରାର୍ଥୀଙ୍କ ସଂଖ୍ୟା ସର୍ବାଧିକ। ବିଜେପି ପକ୍ଷରୁ ଟିକେଟ୍‌ ପାଇଥିବା ସମୁଦାୟ ୧୪୫ ପ୍ରାର୍ଥୀଙ୍କ ଭିତରୁ ୮୬ ଜଣ ଅର୍ଥାତ୍‌ ୫୯ ପ୍ରତିଶତ ହେଉଛନ୍ତି ଅଭିଯୁକ୍ତ। ସେମାନଙ୍କ ଭିତରୁ ୬୭ ଜଣ ଅର୍ଥାତ୍‌ ୪୬% ସଙ୍ଗୀନ ମାମଲାରେ ଅଭିଯୁକ୍ତ।

ସେହିପରି ବିଜେଡିର ୧୪୬ ପ୍ରାର୍ଥୀ ଙ୍କ ଭିତରୁ ୫୮ ଜଣ ଅର୍ଥାତ୍‌ ୪୦% ଅଭିଯୁକ୍ତ ଥିବାବେଳେ ୨୭% ଅର୍ଥାତ୍‌ ୪୦ ଜଣ ପ୍ରାର୍ଥୀ ସଙ୍ଗୀନ ମାମଲାରେ ଅଭିଯୁକ୍ତ।

୧୩୯ ପ୍ରାର୍ଥୀଙ୍କ ଭିତରୁ ୬୪ ଜଣ ଅର୍ଥାତ୍‌ ୪୬ ପ୍ରତିଶତ ହେଉଛନ୍ତି ବିଭିନ୍ନ ଅପରାଧରେ ଅଭିଯୁକ୍ତ ପ୍ରାର୍ଥୀ ଯେଉଁମାନେ କଂଗ୍ରେସ ପକ୍ଷରୁ ନିର୍ବାଚନ ଲଢ଼ୁଛନ୍ତି।

Leave a Reply

Your email address will not be published. Required fields are marked *