ନାଗରିକତା ସଂଶୋଧନ ବିଲ୍‌: ୫ ରାଜ୍ୟର ବିରୋଧ

ଭୁବନେଶ୍ଵର, (ଓଡ଼ିଶଶ ଟାଇମ୍‌): ସଂସଦର ଉଭୟ ଗୃହରେ ପାରିତ ହୋଇଥିବା ନାଗରିକତା ସଂଶୋଧନ ବିଲ୍‌କୁ ନେଇ ଦେଶର ଉତ୍ତର ପୂର୍ବାଞ୍ଚଳରେ ଅପ୍ରୀତୀକର ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ହିଂସା ସାଙ୍ଗକୁ ବିରୋଧ ପ୍ରଦର୍ଶନ ଜାରି ରହିଛି। ସେଠାରେ ଏହି ବିଲ୍‌କୁ ବିରୋଧ କରାଯାଉଥିବାବେଳେ ଆଉ ୫ଟି ରାଜ୍ୟ ରାଜନୀତିକ ସ୍ଵାର୍ଥ ରକ୍ଷା ଉଦ୍ଦେଶ୍ୟରେ ବିଲ୍‌କୁ ବିରୋଧ କରିବା ଆରମ୍ଭ କରିଛନ୍ତି। ଏହି ରାଜ୍ୟଗୂଡ଼ିକ ହେଲା: କେରଳ, ପଶ୍ଚିମବଙ୍ଗ, ପଞ୍ଜାବ, ମେଘାଳୟ ଏବଂ ଛତିଶଗଡ଼। ସେମାନେ ନୂଆ ପ୍ରବର୍ତ୍ତିତ ଏହି ନାଗରିକତା ସଂଶୋଧନ ବିଲ୍‌କୁ ଗ୍ରହଣ କରିବେ ବନାହିଁ ବୋଲି କହିଛନ୍ତି। ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏହିଭଳି ପ୍ରତିକ୍ରିୟା ରଖିବା ପରେ କେନ୍ଦ୍ର-ରାଜ୍ୟ ମୁହାଁମୁହିଁ ଆରମ୍ଭ ହୋଇଛି। 

ନାଗରିକତା ସଂଶୋଧନ ଆଇନ ଅନୁସାରେ ଡିସେମ୍ବର ୩୧, ୨୦୧୪ ପର୍ଯ୍ୟନ୍ତ ଭାରତ ଆସିଥିବା ସମସ୍ତ ଅଣ ମୁସ୍‌ଲିମ୍‌ ଶରଣାର୍ଥୀଙ୍କୁ ଭାରତର ନାଗରିକତା ମିଳିବ। ତେବେ ଏହି ‌ଆଇନକୁ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ସର୍ବାଧିକ ବିରୋଧ କରି ବ୍ୟାପକ ହିଂସାକାଣ୍ଡ ସୃଷ୍ଟି ହୋଇଛି। ଆସାମ, ମେଘାଳୟ, ତ୍ରିପୁରା‌ ଭଳି ରାଜ୍ୟରେ ଜୋର୍‌ଦାର ଆନ୍ଦୋଳନ ଚାଲିଛି । ତେବେ ଦେଶର ଅନ୍ୟ ଅଂଚଳରେ ସ୍ଥିତି ସ୍ବାଭାବିକ ରହିଛି। ଅଧିକାଂଶ ରାଜ୍ୟ ସରକାର ଏହାକୁ ସମର୍ଥନ ଓ ସ୍ବାଗତ କରିଥିବାବେଳେ ୫ଟି ରାଜ୍ୟ ଖୋଲାଖୋଲି ବିରୋଧ କରିଛନ୍ତି। ପଶ୍ଚିମବଙ୍ଗ, କେରଳ, ଛତିଶଗଡ଼ ଏବଂ ପଞ୍ଜାବ ସରକାର ନାଗରିକତା ସଂଶୋଧନ ବିଲ୍‌କୁ ଆରମ୍ଭରୁ ବିରୋଧ କରି ଆସୁଥିଲେ। ଯଦି କୌଣସି ରାଜ୍ୟ ସିଏବିକୁ ସୁପ୍ରିମ୍‌ କୋର୍ଟରେ ଚ୍ୟାଲେଞ୍ଜ କରିବେ, ତାହେଲେ କୋର୍ଟ ଏହି ମାମଲାରେ କେବଳ ଆଇନର ସମୀକ୍ଷା କରିପାରିବ, କିନ୍ତୁ ରାଜ୍ୟମାନଙ୍କୁ ଏହା ଲାଗୁ ନ କରିବାର ସ୍ବାଧୀନତା ଦେଇପାରିବ ନାହିଁ ସମ୍ବିଧାନ ବିଶେଷଜ୍ଞମାନେ କହିଛନ୍ତି। 

Leave a Reply

Your email address will not be published. Required fields are marked *