ଗରିବଙ୍କୁ ୩ ମାସ ମିଳିବ ମାଗଣା ରାସନ

ନୂଆଦିଲ୍ଲୀ (ଓଟି): ଦେଶର ଗରିବ ଲୋକଙ୍କୁ ୩ ମାସ ପର୍ଯ୍ୟନ୍ତ ମାଗଣା ରାସନ ଯୋଗାଇ ଦିଆଯିବ। ପ୍ରତିମାସରେ ୫ କିଲୋଗ୍ରାମ ରାସନ୍‌ ଦିଆଯିବ ବୋଲି ଆଜି ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେହିପରି ଶ୍ରମିକମାନଙ୍କ ସମସ୍ୟା ଦୂର କରିବାକୁ ପାଇଁ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ ଏବଂ ଆଇସିଏମଆର ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ କହିଛନ୍ତି ଯେ, ସୋମବାର ଆମେ କହିଥିଲୁ ଯେ ଆମର କିଟ୍ ଯାହା ଅଛି ୬ ସପ୍ତାହ ପର୍ଯ୍ୟନ୍ତ ରହିପାରେ। RT-PCR କିଟ୍ ପାଇଁ ଆମକୁ ଆଉ ଏକ କିସ୍ତି ମିଳିଛି। ଏଥିସହ ଆମେ RT-PCR ପାଇଁ ପାଖାପାଖି ୩୩ ଲକ୍ଷ କିଟ୍ ଅର୍ଡର କରୁଛୁ ଏବଂ ୩୭ ଲକ୍ଷ ଦ୍ରୁତ କିଟ୍ ଯେକୌଣସି ସମୟରେ ପହଞ୍ଚିବ ବୋଲି ଆଶା କରାଯାଉଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ସୂଚନା ଦିଆଯାଇଛି ଯେ ଏପର୍ଯ୍ୟନ୍ତ ୨ଲକ୍ଷ ୩୧ହଜାର ୯୦୨ ପରୀକ୍ଷା କରାଯାଇଛି। ଆଇସିଏମଆରରେ ୧୬୬ଟି ଓ ଘରୋଇ ୭୦ଟି ଲ୍ୟାବରେ ଟେଷ୍ଟ ଚାଲିଛି। ସେହିପରି କରୋନା କବଳରୁ ଆଜିଯାଏଁ ୧୦୩୬ ସୁସ୍ଥ ହୋଇଛନ୍ତି ଏବଂ ସମୁଦାୟ ୩୩୯ ଜଣଙ୍କ ମୃତ୍ୟୁ ଘଟିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୩୬୩ଜଣ ରହିଛି ଏବଂ କରୋନାରେ ୨୪ଘଣ୍ଟାରେ ୩୧ଜଣଙ୍କ ମୃତ୍ୟୁ ହୋଇଛି। ୨୪ଘଣ୍ଟାରେ ୧୨୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୭୯ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ଦିଆଯାଇଛି।

Leave a Reply

Your email address will not be published.