୨୯ରେ ୩୯୮ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
ଦେଶବ୍ୟାପୀ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୯ରେ ଅନୁଷ୍ଠିତ ହେବ। ୯ଟି ରାଜ୍ୟର ୭୧ଟି ଲୋକସଭା ଆସନରେ ଭୋଟ ଗ୍ରହଣ ହେବ। ଓଡ଼ିଶାର ୬ଟି ସଂସଦୀୟ ଆସନରେ ୫୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୫୧୪୮୮୩ ଭୋଟର। ସେହିପରି ୪୧ଟି ବିଧାନସଭା ଆସନ ପାଇଁ ମଇଦାନରେ ଅଛନ୍ତି ୩୪୬ ପ୍ରାର୍ଥୀ। ପାଟକୁରା ଆସନରୁ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକ କାରଣରୁ ଏଠାରେ ୨୯ ତାରିଖ ବଦଳରେ ମେ’ ୧୯ରେ ଭୋଟ ଗ୍ରହଣ ହେବ।

ସରକାର ରହିବ କି ଯିବ, ତାହା ଚତୁର୍ଥ ପର୍ଯ୍ୟାୟ ଆସନଗୁଡ଼ିକର ଫଳାଫଳରେ ନିର୍ଦ୍ଧାରିତ ହୋଇଯିବ। ସେଥିପାଇଁ ୪ର୍ଥ ପର୍ଯ୍ୟାୟ ନିର୍ବାଚନରେ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ପୂରା ଦମ ଲଗାଇ ଦେଇଛନ୍ତି। ଅନ୍ୟ ତିନି ପର୍ଯ୍ୟାୟ ତୁଳନାରେ କଂଗ୍ରେସ ଏହି ପର୍ଯ୍ୟାୟରେ ଅଧିକ ସକ୍ରିୟ ବୋଲି ଆଭାସ ମିଳୁଛି।

ଚତୁର୍ଥ ପର୍ଯ୍ୟାୟ ପ୍ରଚାର ଶନିବାର ସନ୍ଧ୍ୟାରେ ଶେଷ ହୋଇଛି। ସୋମବାର ଦିନ ୬ ଲୋକସଭା, ୪୧ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ। ବାକି ଗୋଟିଏ ଆସନରେ ଭୋଟ ହେବ ମେ’ ୧୯ ତାରିଖରେ। ସବୁ ୪ଟି ଯାକ ମତଦାନର ଫଳାଫଳ ପ୍ରକାଶ ପାଇବ ମେ’ ୨୩ ତାରିଖରେ।
ଭୋଟ ସରିବା ଆଗରୁ, ଫଳ ପ୍ରକାଶ ପାଇବା ପୂର୍ବରୁ ବିଜୁ ଜନତା ଦଳର ଶପଥ ଗ୍ରହଣର ନିମନ୍ତ୍ରଣପତ୍ର ଘୂରି ବୁଲୁଛି ସୋସିଆଲ ମିଡିଆରେ। ଅବଶ୍ୟ ଏହାକୁ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ବିଚାରକୁ ନେବେ କି ନାହିଁ ସନ୍ଦେହ। ତେବେ ଏହାକୁ କିଏ ଭାଇରାଲ କରିଛି, କାହିଁକି କରିଛି, ଏହା ତଦନ୍ତ ସାପେକ୍ଷ। ହେଲେ ମଧ୍ୟ ଗୋଟିଏ କଥା ବୁଝାପଡ଼ିଯାଉଛି ଯେ, ଚତୁର୍ଥ ପର୍ଯ୍ୟାୟ ମତଦାନକୁ ପ୍ରଭାବିତ କରିବା ସକାଶେ ଏହା ଶାସକ ଦଳର ହିଁ ବିଧିବଦ୍ଧ ଯୋଜନା ବୋଲି ମନେହେଉଛି। କାରଣ ଏହି ପର୍ଯ୍ୟାୟ ହିଁ ସ୍ଥିର କରିବ ସରକାର ଗଢ଼ିବ କିଏ? ବିଜେଡି ଏବଂ ବିଜେପି ସରକାର ଗଢ଼ିବା ନେଇ ଦାବି କରିଆସୁଛନ୍ତି। କିନ୍ତୁ ଚାବିକାଠି ରହିଛି ଏହି ପର୍ଯ୍ୟାୟରେ।
୨୦୧୪ ନିର୍ବାଚନରେ ଏହି ୪୨ଟି ଆସନ ଭିତରୁ ମାତ୍ର ଗୋଟିଏ ଆସନ ଭାରତୀୟ ଜନତା ପାର୍ଟି ଖାତାକୁ ଯାଇଥିଲା। ରେମୁଣାରୁ ବିଜେପି ଜିଣିଥିଲା। କଂଗ୍ରେସ ରାଜନଗର, ଆଳି, ଜଗତସିଂହପୁର ଏବଂ ସାଲେପୁର ଆସନ ଜିଣିଥିଲା। ବାକି ୩୭ଟି ଆସନ ପାଇଥିଲା ବିଜୁ ଜନତା ଦଳ।
ସେ ନିର୍ବାଚନ ଏକତରଫା ଥିଲା। ଏଥର ନିର୍ବାଚନ ବିଜୁ ଜନତା ଦଳ ସକାଶେ ବଡ଼ କଠିନ ବୋଲି ସରିଥିବା ତିନି ପର୍ଯ୍ୟାୟ ନିର୍ବାଚନରୁ ସ୍ପଷ୍ଟ ହୋଇଗଲାଣି। ୨୦୧୪ରେ ୧୧୭ ଆସନ ଜିଣିଥିଲା ବିଜେଡି। ସେଥିରୁ ଯଦି ୩୭ ଆସନ ଉପକୂଳ ଓଡ଼ିଶାରୁ ମିଳିଥିଲା, ତେବେ ବାକି ଓଡ଼ିଶାରୁ ୮୦ଟି ଆସନ ବିଜେଡିକୁ ମିଳିଥିଲା।

ଏବେ ବିଜେପି ସହ କଣ୍ଟାକୁ କଣ୍ଟା ମୁକାବିଲା ହୋଇଥିବାରୁ ବିଜେଡି ଆବଶ୍ୟକ ସଂଖ୍ୟା ପ୍ରଥମ ତିନି ପର୍ଯ୍ୟାୟରୁ ପାଇ ପାରିବ ନାହିଁ ବୋଲି ସଗ୍ଧେତ ମିଳିବା ପରେ ଏବେ ଶାସକ ଦଳ ବିଜ୍ଞାପନ ଭେଳିକି ସହ ନିମନ୍ତ୍ରଣପତ୍ର ଭଳି ଯୋଜନାର ସାହାଯ୍ୟ ନେଉଛି।
ଲୋକସଭା ନିର୍ବାଚନ ବିଜେପିକୁ ଅଧିକ ସୁହାଇବ। ଯଦି ସ୍ପ୍ଲିଟ ଭୋଟିଂ ଅଧିକ ଆସନରେ ହୋଇ ନଥାଏ, ତେବେ ବିଜେଡି ବିଧାନସଭାରେ ମଧ୍ୟ ଆସନ ସଂଖ୍ୟାକୁ ନେଇ ବିଜେପି ଠାରୁ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହେବ। ସେଥିପାଇଁ ଆରପାର ନୀତିରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସକାଶେ ଉଭୟ ଦଳ ଲାଗିପଡ଼ିଛନ୍ତି।