୪୮ ବିଧାନସଭା ଓ ୧୭ ଲୋକସଭା ଆସନରେ ବିଜେଡିର ନୂଆ ମୁହଁ
ବିଧାନସଭାରେ ବିଜେଡିର ୧୧୮ ବିଧାନସଭା ଆସନ ମଧ୍ୟରୁ ୮ଟି ପର୍ଯ୍ୟାୟରେ ସମସ୍ତ ୨୧ ଲୋକସଭା ଆସନ ଓ ୧୪୪ଟି ବିଧାନସଭା ଆସନ ଦଳ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏଥିରେ ୪୦ଜଣ ବିଧାୟକଙ୍କ ଟିକେଟ୍ ସମ୍ପୂର୍ଣ୍ଣ କଟିଥିବାବେଳେ ୪ଜଣ ବିଧାୟକଙ୍କ ବଦଳରେ ସେମାନଙ୍କ ପୁଅଙ୍କୁ ଟିକେଟ୍ ଦେଇଛି । ୪ଜଣ ବିଧାୟକଙ୍କୁ ସାଂସଦ ପ୍ରାର୍ଥୀ କରିଛି। ଅର୍ଥାତ୍ ମୋଟାମୋଟି ଭାବେ ଦେଖିଲେ ଏବେସୁଦ୍ଧା ଘୋଷିତ ୧୪୪ ବିଧାନସଭା ଆସନ ମଧ୍ୟରୁ ବିଜେଡି ନିଜର ୪୮ଜଣ ବିଧାୟକଙ୍କୁ ବିଧାନସଭାରେ ପ୍ରାର୍ଥୀ କରିନାହିଁ ଓ ମାତ୍ର ୬୮ଜଣ ଜଣ ବିଧାୟକଙ୍କୁ ପୁନଃ ମଇଦାନକୁ ଓହ୍ଲାଇଛି। କେନ୍ଦ୍ରାପଡ଼ା, ବାରିପଦା ଓ ଚମ୍ପୁଆ ବିଧାନସଭା ଆସନରେ ଏବେବି ଦଳ ନିଜର ପ୍ରାର୍ଥୀ ଘୋଷଣା କରିପାରିନି।

ଯେଉଁ ବିଧାନସଭା ଆସନରେ ପ୍ରାର୍ଥୀ ପରିବର୍ତ୍ତନ

ବିଜେଡି ଯେଉଁ ୪୮ ବିଧାନସଭା ଆସନରେ ନିଜର ବର୍ତ୍ତମାନର ବିଧାୟକଙ୍କୁ ଟିକେଟ୍ ଦେଇନି ସେଗୁଡ଼ିକ ହେଲା ଗୁଣୁପୁର, ଚିତ୍ରକୋଣ୍ଡା,ଭବାନୀ ପାଟଣା, ନର୍ଲା, ବ୍ରହ୍ମପୁର, ଛତ୍ରପୁର, ପାରଳାଖେମୁଣ୍ଡି, ମୋହନା, ଆସିକା, କବିସୂର୍ଯ୍ୟନଗର, ଖଲ୍ଲିକୋଟ, ବାଲିଗୁଡ଼ା, ଦଶପଲ୍ଲା, କଣ୍ଟାବାଞ୍ଜି, ବିଜେପୁର, ଲୋଇସିଂହା, ପଟାଙ୍ଗୀ, ଲାଞ୍ଜିଗଡ଼, ମାଲକାନଗିରି, ଫୁଲବାଣୀ, ରଣପୁର, ଢେଙ୍କାନାଳ, ତେଲକୋଇ, କେନ୍ଦୁଝର, କରଞ୍ଜିଆ, ଜଟଣୀ, ରେଙ୍ଗାଳୀ, ଯଶୀପୁର, ସାରସକଣା, ଉଦଳା, ବଡ଼ସାହି, ଜୟଦେବ, ରାଇରଙ୍ଗପୁର। ମୋରଡ଼ା, ବରୀ, ଭୁବନେଶ୍ୱର-ମଧ୍ୟମ, ଭୁବନେଶ୍ୱର-ଉତ୍ତର, ଖଣ୍ଡପଡ଼ା, କୋରେଇ ଓ ଆଠମଲ୍ଲିକ ବିଧାନସଭା ଆସନରେ ଦଳୀୟ ବିଧାୟକଙ୍କୁ ଟିକେଟ୍ ମିଳିନି।
ବାଙ୍କି, ଚୌଦ୍ୱାର, ପାଟଣା ଓ ବାସୁଦେବପୁର ବିଧାନସଭା ଆସନରେ ଦଳୀୟ ବିଧାୟକଙ୍କ ପରିବର୍ତ୍ତେ ସେମାନଙ୍କ ପୁଅଙ୍କୁ ପ୍ରାର୍ଥୀ କରାଯାଇଛି। ବାଙ୍କିରେ ପ୍ରଭାତ ତ୍ରିପାଠୀଙ୍କ ପରିବର୍ତ୍ତେ ତାଙ୍କ ପୁଅ ଦେବୀରଞ୍ଜନ ତ୍ରିପାଠୀ, ଚୌଦ୍ୱାରରେ ପ୍ରଭାତ ବିଶ୍ୱାଳଙ୍କ ପରିବର୍ତ୍ତେ ସୌଭିକ ବିଶ୍ୱାଳ, ପାଟଣାରେ ହୃଷିକେଶ ନାଏକଙ୍କ ପରିବର୍ତ୍ତେ ପୁଅ ଜଗନ୍ନାଥ ନାଏକ, ବାସୁଦେବପୁରରେ ବିଜୟଶ୍ରୀ ରାଉତରାୟଙ୍କ ପରିବର୍ତ୍ତେ ପୁଅ ବିଷ୍ଣୁବ୍ରତ ରାଉତରାୟଙ୍କୁ ଦଳ ଟିକେଟ୍ ଦେଇଛି। ସେହିପରି ପାରାଦୀପ ଆସନରେ ଦଳୀୟ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କୁ ଦଳରୁ ବହିଷ୍କାର କରିଥିଲେ ମଧ୍ୟ ତାଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ବିଜେଡି ଟିକେଟ୍ ଦେଇଛି।
ଏସବୁ ବ୍ୟତୀତ ୪ ବିଧାୟକ- ଧର୍ମଗଡ଼ର ପୁଷ୍ପେନ୍ଦ୍ର ସିଂହଦେଓ, ଝରିଗାଁର ରମେଶ ଚନ୍ଦ୍ର ମାଝୀ, ତିର୍ତ୍ତୋଲର ଡଃ ରାଜଶ୍ରୀ ମଲ୍ଲିକ ଓ ପାଲଲହଡ଼ାର ମହେଶ ସାହୁଙ୍କୁ ସାଂସଦ ପ୍ରାର୍ଥୀ କରାଯାଇଥିବାରୁ ଦଳ ସେମାନଙ୍କ ଆସନରେ ମଧ୍ୟ ନୂଆ ପ୍ରାର୍ଥୀ ଦେଇଛି।
୧୬ଜଣ ମହିଳାଙ୍କୁ ବିଧାନସଭା ଦଳୀୟ ଟିକେଟ୍

ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା, ବିଜେଡି ଘୋଷଣା କରିଥିବା ୧୪୪ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରେ ମାତ୍ର ୧୬ଜଣ ମହିଳାଙ୍କୁ ଦଳୀୟ ଟିକେଟ୍ ଦେଇଛି। ଅପରପକ୍ଷରେ ଦଳ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ଆରକ୍ଷଣ ପାଇଁ ଜାତୀୟସ୍ତରରେ ଦାବି କରୁଛି। ରାଜ୍ୟର ୨୧ଟି ଲୋକସଭା ଆସନ ମଧ୍ୟରୁ ବିଜେଡି ୭ଟିରେ ମହିଳା ପ୍ରାର୍ଥୀ ଦେଇଛି।
ଟିକଟ ନ ପାଇ ହତାଶ ହୋଇଥିବା ନେତା
ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ହେବାକୁ ଗୋଡ଼ ଟେକି ବସିଥିବା ବିଜେଡିର ଅଧିକାଂଶ ମହିଳା ଓ ଯୁବ ନେତାମାନଙ୍କୁ ଶକ୍ତ ଧକ୍କା ଲାଗିଛି। ଦଳୀୟ ଟିକେଟ୍ ପାଇବା ପାଇଁ ବିଜେଡିର ୩ ଛାମୁଆ ସଂଗଠନ ମହିଳା, ଯୁବ ଓ ଛାତ୍ର ଶାଖାର ମୁଖ୍ୟମାନେ ଜୋରଦାର ପ୍ରୟାସ କରିଥିଲ। ବିଜେଡି ମହିଳା ସାମ୍ମୁଖ୍ୟର ସଭାନେତ୍ରୀ ମୀନତି ବେହେରା, ଯୁବ ବିଜେଡି ମୁଖ୍ୟ ଅମ୍ରେଶ ପତ୍ରୀ, ବିଜେଡି ଛାତ୍ର ମୁଖିଆ ରାଣାପ୍ରତାପ ପାତ୍ରଙ୍କୁ ଶେଷରେ ନିରାଶ ହେବାକୁ ପଡ଼ିଛି।
ସେହିପରି ବିଜେଡି ମହିଳା କାର୍ଯ୍ୟକାରୀ ସଭାନେତ୍ରୀ ସୁଲୋଚନା ଦାସ ଓ ଶ୍ରୀମୟୀ ମିଶ୍ର, ସାଧାରଣ ସମ୍ପାଦକ ସୁଲତା ଦେଓ ଓ ସମ୍ପାଦିକା ଏଲିନା ଦାଶ ମଧ୍ୟ ଟିକେଟ୍ ପାଇଁ ଲବି କରି ବିଫଳ ହୋଇଛନ୍ତି।
ଏମାନଙ୍କ ବ୍ୟତୀତ ବିଜେଡି ମିଡିଆ ସଂଯୋଜକ ମାନସ ମଙ୍ଗରାଜ, ଅଭିନେତା ଅରିନ୍ଦମ ରାୟ, ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମର ସଂଯୋଜକ ତଥା ରାଜ୍ୟ ସମ୍ପାଦକ ବିଜୟ ନାୟକଙ୍କୁ ଶେଷରେ ନିରାଶ ହେବାକୁ ପଡ଼ିଛି।
ନିର୍ବାଚନ ରଣାଙ୍ଗନରେ ବିଜେଡିର ୫ ରାଜ୍ୟସଭା ସାଂସଦ

ବିଜେଡି ଚଳିତ ସାଧାରଣ ନିର୍ବାଚନରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଅନୁଭବ ମହାନ୍ତି ଓ ଅଚ୍ୟୁତ ସାମନ୍ତଙ୍କୁ ଯଥାକ୍ରମେ ବରଗଡ଼, କେନ୍ଦ୍ରାପଡ଼ା ଓ କନ୍ଧମାଳ ଲୋକସଭା ଆସନରୁ ପ୍ରାର୍ଥୀ କରିଥିବାବେଳେ ସାଂସଦ ପ୍ରତାପ କେଶରୀ ଦେବଙ୍କୁ ଆଳି ଓ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଖଣ୍ଡପଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ କରିଛି।
୧୭ ଲୋକସଭା ଆସନରେ ନୂଆ ମୁହଁ

ଚଳିତ ନିର୍ବାଚନରେ ଶାସକ ବିଜେଡି ୧୭ଟି ଲୋକସଭା ଆସନରେ ନୁଆ ପ୍ରାର୍ଥୀ ଦେଇଛି। ସେହି ଲୋକସଭାଗୁଡିକ ହେଲା ଭୁବନେଶ୍ୱର, ଢ଼େଙ୍କାନାଳ,ସମ୍ୱଲପୁର, ବରଗଡ଼, କଳାହାଣ୍ଡି ନବରଙ୍ଗପୁର, କୋରାପୁଟ, ବ୍ରହ୍ମପୁର, ଆସ୍କା, କନ୍ଧମାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼।
କେବଳ କଟକ, ପୁରୀ, ବାଲେଶ୍ୱର ଓ ବଲାଙ୍ଗୀର ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରାଯାଇନାହିଁ। ରାଜ୍ୟର ୨୧ଟି ଲୋକସଭା ଆସନ ମଧ୍ୟରୁ ବିଜେଡି ୭ଟିରେ ମହିଳା ପ୍ରାର୍ଥୀ ଦେଇଛି।