୪୧୧କୋଟି ବ୍ୟାଙ୍କ ଋଣ ଠକେଇ; ୪ବର୍ଷ ପରେ ଅଭିଯୋଗ କଲା ଏସ୍ବିଆଇ
ଭୁବନେଶ୍ୱର,(ଓଡ଼ିଶା ଟାଇମ୍): ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ପ୍ରାୟ ୪୧୧କୋଟି ଟଙ୍କା ଠକି ନେଇଥିବା ରାମଦେବ ଇଣ୍ଟରନ୍ୟାସନାଲ ନାମକ ଏକ କମ୍ପାନୀର ତିନି ମାଲିକଙ୍କ ବିରୋଧରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ମାମଲା ରୁଜୁ କରିଛି । ତେବେ କମ୍ପାନୀ ମାଲିକମାନେ ଟଙ୍କା ଠକି ନେଇ ୪ବର୍ଷ ହେଲା ବିଦେଶ ପଳାଇ ଯାଇଥିବାବେଳେ ଏସବିଆଇ ଏବେ ସେମାନଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନିକଟରେ ଅଭିଯୋଗ କରିଛି ।
ଏସବିଆଇର ଅଭିଯୋଗ ଆଧାରରେ ସିବିଆଇ କମ୍ପାନୀ ମାଲିକ ସୁରେଶ କୁମାର, ନରେଶ କୁମାର ଓ ସଙ୍ଗୀତାଙ୍କ ବିରୋଧରେ ଏପ୍ରିଲ ୨୮ରେ ମାମଲା ରୁଜୁ କରିଥିବା ଜଣାଯାଇଛି । ଏହି ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ଲୁକଆଉଟ ନୋଟିସ ଜାରି କରିଛି । ବାସୁମତୀ ଚାଉଳ ରପ୍ତାନୀ କରୁଥିବା ରାମଦେବ ଇଣ୍ଟରନ୍ୟାସନା କମ୍ପାନୀ ଏସବିଆଇ ଠାରୁ ୧୭୩ କୋଟି ଟଙ୍କା ଋଣ ନେଇଥିବାବେଳେ କାନାଡା ବ୍ୟାଙ୍କରୁ ୭୬କୋଟି ଟଙ୍କା, ୟୁନିୟନ ବ୍ୟାଙ୍କରୁ ୫୧କୋଟି ଟଙ୍କା, କର୍ପୋରେସନ ବ୍ୟାଙ୍କରୁ ୩୬କୋଟି ଓ ଆଇଡିବିଆଇ ବ୍ୟାଙ୍କରୁ ୧୨କୋଟି ଟଙ୍କା ଋଣ ନେଇଛି । ୨୦୧୬ରୁ କମ୍ପାନୀର ଋଣକୁ ନନ ପରଫରମିଙ୍ଗ ଆସେଟ (ଏନପିଏ) ଘୋଷଣା କରାଯାଇଛି ।
ଏସବିଆଇ ପକ୍ଷରୁ ବିଭିନ୍ନ ସମୟରେ ଋଣ ଆଦାୟ ନିମନ୍ତେ ଅନୁସନ୍ଧାନ କରାଯାଇଥିଲା । ମାତ୍ର ୨୦୧୬ରୁ କମ୍ପାନୀ ମାଲିକମାନେ ନିଖୋଜ ଥିବା ଜଣାପଡିଥିଲା । ୨୦୨୦ ଫେବୃଆରୀରେ ଏସବିଆଇ ଏ ସମ୍ପର୍କରେ ସିବିଆଇ ନିକଟରେ ଅଭିଯୋଗ କରିଥିଲା । ଋଣ ଅର୍ଥକୁ ଏନପିଏ ଘୋଷଣା କରିବାର କିଛି ବର୍ଷ ପରେ ଏସବିଆଇ ଏପରି ଅଭିଯୋଗ କରିଥିଲା । ଯାହା ପରୋକ୍ଷରେ ଋଣ ଗ୍ରହୀତାଙ୍କ ପ୍ରତି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅନୁକମ୍ପାକୁ ପ୍ରଦର୍ଶନ କରୁଛି । ବଡ ବ୍ୟବସାୟୀମାନଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ଋଣ ଦିଆଯିବା ପରେ ସେମାନେ ଋଣ ହଡପ କରି ବିଦେଶ ପଳାଇ ଯିବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯାଉଛି ।