ଫେରନ୍ତା ପ୍ରବାସୀଙ୍କୁ ସାହା ହେବ ଏମ୍ଜିଏନ୍ଆରଇଜିଏସ୍: କେନ୍ଦ୍ର ସରକାରଙ୍କ ଅତିରିକ୍ତ ୪୦ ହଜାର କୋଟି
- ଖୁବ୍ ଶୀଘ୍ର ମଲ୍ଟିମୋଡ୍ ଡିଜିଟାଲ୍ ବା ଅନ୍ଲାଇନ୍ରେ ପାଠ୍ୟକ୍ରମ ପ୍ଲାଟ୍ଫର୍ମ
- ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପିଲାଙ୍କ ଲାଗି ସ୍ଵତନ୍ତ୍ର ଟେଲିଭିଜନ୍
- ବିଶ୍ଵବିଦ୍ୟାଳୟକୁ ଅନ୍ଲାଇନ୍ ପାଠ୍ୟକ୍ରମ ଆରମ୍ଭ ମଞ୍ଜୁରୀ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): କରୋନା କ୍ଷତିକୁ ଭରଣା କରିବା ତଥା ଅର୍ଥନୀତିକ ଧାରାକୁ ପୁନଃକ୍ଷମ କରିବା ଲକ୍ଷ୍ୟରେ ଭାରତ ସରକାର ଆତ୍ମ ନିର୍ଭରଶୀଳ ପ୍ୟାକେଜ୍ ଘୋଷଣା କରିଛନ୍ତି। ଗଲା ୪ ଦିନ ହେଲା ଅର୍ଥମନ୍ତ୍ରୀ ଏହି ପ୍ୟାକେଜ୍ର ରୂପରେଖକୁ ଉଲ୍ଲେଖ କରିଛନ୍ତି ।ଆଜି ଏହାର ଶେଷ ଘୋଷଣାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏମ୍ଜିଏନ୍ଆରଇଜିଏସ୍ ଯୋଜନାକୁ ଅତିରିକ୍ତ ୪୦ ହଜାର କୋଟି ଟଙ୍କା ଅନୁଦାନ ଘୋଷଣା କରିଛନ୍ତି। ପୂର୍ବରୁ ବଜେଟ୍ରେ ୬୧ ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା। ଅର୍ଥାତ୍ ଚଳିତ ଆର୍ଥିକ ବର୍ଷରେ ୧ଲକ୍ଷ ୧ କୋଟି ଟଙ୍କା ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଖର୍ଚ କରାଯିବ।
ଏହି ଅର୍ଥ ଯୋଗାଣ ଦ୍ଵାରା ପ୍ରବାସୀଙ୍କୁ କାର୍ଯ୍ୟ ଯୋଗାଇବାରେ ସରକାର ସକ୍ଷମ ହୋଇପାରିବେ। ଏହାସହ ଗ୍ରାମାଞ୍ଚଳ ତଥା ତୃଣମୂଳ ସ୍ତରରର ସ୍ଵାସ୍ଥ୍ୟ ଅନୁଷ୍ଠାନ ଗୁଡ଼ିକର କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇଁ ଅର୍ଥମନ୍ତ୍ରୀ ସ୍ଵତନ୍ତ୍ର ଆବଣ୍ଟନ ବ୍ୟବସ୍ଥା କରିଛନ୍ତି। ତେବେ ଏହାର ପରିମାଣ କେତେ ତାହା ଉଲ୍ଲେଖ କରାଯାଇ ନାହିଁ।
ପିଲାଙ୍କ ପାଠ ପଢ଼ା ପାଇଁ ଅନ୍ଲାଇନ୍ ପାଠ ପଢ଼ା ଉପରେ ଗୁରୁତ୍ଵାରୋପ କରାଯିବ। ଗୋଟିଏ ସ୍ଵତନ୍ତ୍ର ଟିଭି ଚ୍ୟାନେଲ୍ ଖୋଲାଯିବ। ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ଯାଏ ଏଠାରେ ପାଠ୍ୟକ୍ରମ ପଢ଼ାଯିବ।
କେନ୍ଦ୍ର ସରକାର ଦେଶର ୧୦୦ ଶ୍ରେଷ୍ଠ ବିଶ୍ଵବିଦ୍ୟାଳୟକୁ ଅନ୍ଲାଇନ୍ ପାଠ୍ୟକ୍ରମ ଆରମ୍ଭ କରିବାକୁ ଅନୁମତି ଦେବେ। ଏହି ପାଠ୍ୟକ୍ରମ ଅନ୍ଲାଇନ୍ରେ ଆରମ୍ଭ ହେବ।