ଯୁକ୍ତଦୁଇ: ଏବର୍ଷ ଲାଗୁହବନି ୩୩% କଣ୍ଟ!
ଭୁବନେଶ୍ଵର(ଓଟି): କଣ୍ଟ ଲଗାଇଥିଲେ। ହେଲେ ସେଥିରୁ ଓହରିଲେ। ଯୁକ୍ତଦୁଇ ଦ୍ଵିତୀୟବର୍ଷକୁ ଯିବାକୁ ହେଲେ ପ୍ରଥମବର୍ଷ ଅତିକମ୍ରେ ୩୩% ମାର୍କ ରଖିବାକୁ ହେବ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ। ତେବେ ଏହାକୁ ନେଇ ଦେଖାଦେଲା ଛାତ୍ର ଅଶାନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ପିଲାମାନେ ଆନ୍ଦୋଳନ କଲେ। ଚାରିଆଡ଼େ ବିକ୍ଷୋଭ ପ୍ରଦର୍ଶନ ଓ ରାସ୍ତାଘାଟରେ ନିଆଁ ଲାଗିବା ପରେ ଶେଷରେ ସରକାର ବାଧ୍ୟହୋଇ ଉକ୍ତ ନିଷ୍ପତ୍ତିରୁ ଆଜି ଓହରିଛନ୍ତି। ତେଣୁ ଚଳିତବର୍ଷ ୩୩% ବାଧ୍ୟତାମୂଳକ ହେବନି। ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ଏହି ଘୋଷଣା କରିଛନ୍ତି। ଏନେଇ ସରକାର ପୁଣି ବିଚାର କରିବେ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି। ଖାଲି ସେତିକି ନୁହେଁ; ଛାତ୍ରଛାତ୍ରୀଙ୍କୁ ଫେଲ୍ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି। ପିଲାମାନେ ଯଦି ପ୍ରସ୍ତୁତ ନୁହନ୍ତି ତାହେଲେ ଚଳିତବର୍ଷ ନିୟମ ଲାଗୁ କରାନଯିବା ସମ୍ପର୍କରେ ସରକାର ବିଚାର କରିବେ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଫଳରେ ଛାତ୍ରଛାତ୍ରୀଙ୍କୁ ଆଶ୍ଵାସନା ମିଳିଥିବା କୁହାଯାଉଛି। ସୂଚନାଯୋଗ୍ୟ ଆଜି ରମାଦେବୀ ଜୁନିୟର କଲେଜର ଛାତ୍ରୀ ଓ ନୀଳାଦ୍ରିବିହାର ସ୍ଥିତ ଆଚାର୍ଯ୍ୟ ହରିହର ମହାବିଦ୍ୟାଳୟର ଛାତ୍ରମାନେ ଆନ୍ଦୋଳନ କରିଥିଲେ।











