ବ୍ରିଟେନରୁ ସ୍ୱଦେଶ ଫେରିଲେ ୩୨୬ ଭାରତୀୟ
ଭୁବନେଶ୍ୱର,(ଓଡ଼ିଶା ଟାଇମ୍) : କରୋନା ଲକଡାଉନ ଯୋଗୁଁ ବ୍ରିଟେନରେ ଫସି ରହିଥିବା ଭାରତୀୟଙ୍କୁ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୩୨୬ଜଣଙ୍କୁ ସ୍ୱଦେଶ ଫେରାଇ ଅଣାଯାଇଛି । ଏୟାର ଇଣ୍ଡିଆର ଏକ ବିମାନ ରବିବାର ଏହି ଭାରତୀୟଙ୍କୁ ଆଣି ମୁମ୍ବାଇର ଛତ୍ରପତି ଶିବାଜୀ ଆନ୍ତର୍ଜାତିକ ବିମାନବନ୍ଦରରେ ଅବତରଣ କରିଛି ।
ବନ୍ଦେ ଭାରତ ମିଶନରେ ଏୟାର ଇଣ୍ଡିଆ ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣୁଛି । ଏହି ମିଶନ ରବିବାର ଚତୁର୍ଥ ଦିନରେ ପହଞ୍ଚିଛି । ଆଗାମୀ ଦିନରେ ଏୟାର ଇଣ୍ଡିଆ ଅଧିକ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବାର ଅଭିଯାନ କରିବ । ଶନିବାର ମେ ୯ ତାରିଖରେ ବନ୍ଦେ ଭାରତ ଅଭିଯାନରେ ୧୩୭୩ ଭାରତୀୟଙ୍କୁ ବିଦେଶରୁ ଫେରାଇ ଆଣିଥିଲା । ବନ୍ଦେ ଭାରତ ବିମାନଗୁଡିକ ଦୁବାଇ, କୁଏତ, ମୁସକାଟ, ସାରଜା, କ୍ୱାଲାଲମ୍ପପୁର ଓ ଢାକାରୁ ଉଡାଣ କରିଥିଲା ।
ମେ ୭ତାରିଖରେ ଭାରତ ସରକାର ବିଦେଶରେ ଅଟକି ରହିଥିବା ନିଜ ନାଗରିକଙ୍କୁ ଫେରାଇ ଆଣିବା ସମ୍ପର୍କରେ ଘୋଷଣା କରିଥିଲେ । ଘୋଷଣା ଅନୁଯାୟୀ ମେ ୭ରୁ ୧୩ ତାରିଖ ମଧ୍ୟରେ ୮୪ଟି ବିମାନ ଉଡାଣ କରିବ । ଏହା ସହିତ ନୌସେନାର ଯୁଦ୍ଧ ଜାହାଜ ମଧ୍ୟ ଏହି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେବ ।