୩୨୫ ଜିଲ୍ଲା କରୋନା ମୁକ୍ତ, ୧୪ ଦିନ ହେଲା ୨୭ ଜିଲ୍ଲାରେ ନୂଆ ପଜିଟିଭ୍ ନାହିଁ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଭାରତର ୭୩୬ ଜିଲ୍ଲାରୁ ୩୨୫ ଜିଲ୍ଲାକୁ କରୋନା ଛୁଇଁନି। ଯେଉଁ ଜିଲ୍ଲାଗୁଡ଼ିକରେ କରୋନା ପଜିଟିଭ୍ଙ୍କୁ ଦେଖିବାକୁ ମିଳିଛି ସେଥିରୁ ୨୭ଟି ଜିଲ୍ଲା ଏବେ ସମସ୍ୟାରୁ ମୁକୁଳିବା ପଥରେ ରହିଛନ୍ତି। ଏହି ୨୭ଟି ଜିଲ୍ଲା ୧୭ଟି ରାଜ୍ୟରେ ଅବସ୍ଥିତ। ଏହି ଜିଲ୍ଲାଭୁଡ଼ିକରେ ଗଲା ୧୪ ଦିନ ଭିତରେ କୌଣସି ନୂଆ କରୋନା ପଜିଟିଭ୍ଙ୍କୁ ଚିହ୍ନଟ କରାଯାଇ ନାହିଁବୋଲି କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
କେନ୍ଦ୍ର ସରକାରଙ୍କ ଦ୍ଵାରା ଆୟୋଜିତ ନିତିଦିନିଆ କରୋନା ସୂଚନା ପ୍ରଦାନ ଅବସରାରେ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ୍ କହିଛନ୍ତି ଯେ, ଗଲା ୨୪ ଘଣ୍ଟା ଭିତରେ ଭାରତରେ ୯୪୧ଜଣ ନୂଆ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏ ଭିତରେ ୩୭ଜଣଙ୍କ ମୃତ୍ୟୁ ଘଟିଥିବା ସେ କହିଛନ୍ତି।
ଯେତିକି ଲୋକ କରୋନା ସଂକ୍ରମିତ ହୋଇଛନ୍ତି ସେମାନଙ୍କ ଭିତରୁ ୧୨,୦୨ ପ୍ରତିଶତ ସୁସ୍ଥ ହୋଇ ଘରକୁ ଫେରିଥିବା ସେ କହିଛନ୍ତି। ଏମାନଙ୍କ ସଂଖ୍ୟା ୧୪୮୮ ରହିଥିବା ବେଳେ ସମୁଦା୍ରୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୩୮୦ ବୋଲି ସେ ସୂଚନା ଦେଇଛନ୍ତି। ଦେଶରେ କରୋନା ଆକ୍ରାନ୍ତ ହୋଇ ୪୧୪ଜଣଙ୍କ ପ୍ରାଣ ଯାଇଥିବା ସୂଚନା ଦିଆଯାଇଛି।
ଏହି ଲକ୍ଡାଉନ୍ ସମୟରେ ପର୍ଯ୍ୟାପ୍ତ ଟେଷ୍ଟ କରିବା ପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ହୋଇଛି। ଏହାଦ୍ଵାରା ମହାମାରୀ ବ୍ୟାପିବା ରୋକାଯାଇପାରିବ ବୋଲି କୁହାଯାଇଛି। ଆଇସିଏମ୍ଆର୍ ପକ୍ଷରୁ ସୂଚନା ଦିଆଯାଇଛି ଯେ ଚୀନରୁ ୫ ଲକ୍ଷ କରୋନା ଟେଷ୍ଟିଂ କିଟ୍ ସରକାରଙ୍କ ହସ୍ତଗତ ହୋଇଛି ।ଏହି କିଟ୍କୁ ପ୍ରାକ୍ ନିଦାନ ପାଇଁ ନୁହେଁ ବରଂ ମହାମାରୀକୁ ରୋକିବା ଲାଗି ପରୀକ୍ଷା କରିବାରେ ବ୍ୟବହାର କରାଯିବ। ଏହି କିଟ୍ ଗୁଡ଼ିକରେ ୮୦ ପଅତିଶତ ସେନ୍ସିଟିଭିଟି ରହିଥିବା ବେଳେ ୮୪ ପ୍ରତିଶତ ସ୍ପେସିଫିସିଟି ରହିଥିବା ଆଇସିଏମ୍ଆର୍ ପକ୍ଷରୁ କୁହାଯାଇଛି।











