5-ଟି ପ୍ରଭାବ: ଗୋଟିଏ ସପ୍ତାହରେ ୩୧୬୬ ପଦୋନ୍ନତି
ଭୁବନେଶ୍ଵର, (ଓଟି): ଓଡ଼ିଶା ପ୍ରଶାସନରେ କେବେ ହୋଇନଥିବା ଘଟଣା ଏବେ ଦେଖିବାକୁ ମିଳୁଛି। ଯେଉଁଠି କର୍ମଚାରୀଟିକୁ ନିଜର ପ୍ରାପ୍ୟ ପଦୋନ୍ନତି ପାଇଁ ମାସ ପରେ ମାସ ଅପେକ୍ଷା କରିବାକୁ ପଡ଼ୁଥିଲା ଏବେ ସେଥିପାଇଁ ଏକ ନିର୍ଦିଷ୍ଟ ତିଥି ସ୍ଥିର ହୋଇପାରିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ଓଡ଼ିଶା ସରକାର ୩୯ଟି ବିଭାଗର ୩୧୬୬ କର୍ମଚାରୀଙ୍କ ପଦୋନ୍ନତି ଗୋଟିଏ ସପ୍ତାହରେ ଶେଷ କରିପାରିଛନ୍ତି। ଏଥିରେ ଗ୍ରୁପ୍ ଏ ଠାରୁ ଆରମ୍ଭ କରି ଗ୍ରୂପ୍-ଡି କର୍ମଚାରୀଙ୍କ ତାଲିକା ସାମିଲ୍। ପ୍ରଶାସନ ଗ୍ରହଣ କରିଥିବା 5-ଟି ନୀତିର ପ୍ରଭାବ ଦ୍ଵାରା ଏହା ସମ୍ଭବ ହୋଇଛି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ନିମ୍ନ ଓ ମଧ୍ୟମ ବର୍ଗର କର୍ମଚାରୀଙ୍କ ପଦୋନ୍ନତି କ୍ଷେତ୍ରରେ ପୂର୍ବରୁ ଅନେକ ବିଳମ୍ବ ହେଉଥିଲା। ଏଥିରେ ଅନେକ କର୍ମଚାରୀ ହଇରାଣ ବି ହେଉଥିଲେ। ଏ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରି ଡିସେମ୍ବର ୩୧ ସୁଦ୍ଧା ସମସ୍ତ ପଦୋନ୍ନତି କାର୍ଯ୍ୟକୁ ଶେଷ କରିବାକୁ ନିର୍ଦେଶ ଦେଇଥିଲେ, ଯାହାକୁ କାର୍ଯ୍ୟକାରୀ କରିବାକୁ ଯାଇ ଓଡ଼ିଶା ସରକାର ଏହି ସଫଳତା ଲାଭ କରିଛନ୍ତି।
ଏହି ତଥ୍ରରେ କୁହାଯାଇଛି ଯେ, ଡିସେମ୍ବର ୨୪ରୁ ୩୧ ଭିତରେ ଗ୍ରୁପ୍ ଏ ବର୍ଗରେ ୮୫୨, ଗ୍ରୁପ୍ ବିରେ ୫୨୭, ଗ୍ରୁପ୍ ସିରେ ୧୪୯୬ ଓ ଗ୍ରୁପ୍ ଡିରେ ଥିବା ୨୯୧ ଜଣଙ୍କୁ ପଦୋନ୍ନତି ଦିଆଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୧୯ ଜାନୁୟାରୀରୁ ନଭେମ୍ବର ମାସ ଭିତରେ ସରକାର ୯୭୬୬ ଜଣଙ୍କୁ ପଦୋନ୍ନତି ପ୍ରଦାନ କରିଥିଲେ। ଅର୍ଥାତ୍ ଡିସେମ୍ବର ମାସର ପଦୋନ୍ନତି ସଂଖ୍ୟାକୁ ହିସାବ କଲେ ୨୦୧୯ରେ ସମୁଦାୟ୧୨୯୩୨ ଜଣଙ୍କୁ ପଦୋନ୍ନତି ଦିଆଯାଇଛି। କେବଳ ଜିଲ୍ଲା ସ୍ତରରେ ୩୧୩୯ ଜଣଙ୍କୁ ପଦୋନ୍ନତି ଦିଆଯାଇଥିବା ସରକାରଙ୍କ ପକ୍ଷରୁ ଦର୍ଶାଯାଇଛି।
ବିଭାଗୀୟ ସ୍ତରରେ ସ୍ଵରାଷ୍ଟ୍ର ବିଭାଗ ପକ୍ଷରୁ ୨୩୩୦ ଜଣଙ୍କୁ ପଦୋନ୍ନତି ମିଳିଥିବା ବେଳେ କୃଷି ବିଭାଗରୁ ୧୩୦୭, ସ୍ଵାସ୍ଥ୍ୟ ବିଭାଗରୁ ୧୨୫୧ ଜଣଙ୍କୁ ପଦୋନ୍ନତି ମିଳିଛି।