ଆଉ ୯ ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା, ୩ ବରିଷ୍ଠ କଟିଲେ, ଭର୍ତ୍ତୃହରି ସୁରକ୍ଷିତ
କଟକ ଲୋକସଭା ଆସନରେ ଭର୍ତ୍ତୃହରି ମହତାବ ହିଁ ନିର୍ବାଚନ ଲଢ଼ିବେ। ବିଜେଡି ତାଙ୍କ ପାଇଁ ସପ୍ତମଥର ଲାଗି ସାଂସଦ ହେବାର ସୁଯୋଗ ଦେଇଛି। ୧୯୯୮ ମସିହାରୁ ସେ କଟକ ଆସନରେ ନିର୍ବାଚନ ଲଢ଼ି ବିଜୟୀ ହେଉଛନ୍ତି। ଏଥର ପାର୍ଟି ତାଙ୍କୁ ଟିକେଟ୍ ଦେଇ ନପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଥିଲା ଆଜିର ଘୋଷଣା ପରେ ଏହି ଆଶଙ୍କା ଦୂର ହୋଇଛି। ଏହାଙ୍କ ସହ ବିଜେଡି ୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଆହୁରି ୧୦ ଆସନ ପାଇଁ କିଏ ପ୍ରାର୍ଥୀ ହେବେ ତାହାକୁ ଝୁଲାଇ ରଖାଯାଇଛି।
ଅତ୍ୟନ୍ତ ସଂଯମ ସହକାରେ ବିଜେଡିର ନିର୍ବାଚନ କମିଟି ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରୁଛି। ଗୋଟିଏ ପରେ ସରକାର ବିରୋଧୀ ତତ୍ତ୍ଵ, ଅନ୍ୟପଟେ ବିଧାୟକମାନଙ୍କ ଲୋକପ୍ରିୟତା ହ୍ରାସ ତା’ ଭିତରେ ପୁଣି କର୍ମୀଙ୍କ ଅସନ୍ତୋଷ ଆଉ ବିରୋଧୀ ଦଳର ଖୋଲା ଦ୍ଵାର ଦଳକୁ ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ପକାଇଛି। ଫଳରେ ଗଲା ଦୁଇମାସ ତଳେ ଯେଉଁ ଆତ୍ମବିଶ୍ଵାସ ଚରମ ସୀମାରେ ଥିଲା ସେଥିରେ ହ୍ରାସ ପାଇଥିବା ଲକ୍ଷ କରାଯାଇଛି।
ମାତ୍ର ୨୮ଟି ଆସନରେ ପ୍ରାର୍ଥୀ ଘୋଷଣା ପାଇଁ ଦଳକୁ ମାପିଚୁପି ପଦକ୍ଷେପ ନେବାକୁ ହେଉଛି। ପୁଣି ଉପକୂଳରେ ଥିବା ଟାଣୁଆ ନେତାଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁ ନଥିବା ବିଜେଡି ଅନେକ ସମୟରେ ସେଇ ଚକ୍ରବ୍ୟୁହରେ ପ୍ରବେଶ କରୁଛି। ଏହିକ୍ରମରେ ଆଜି ୯ଟି ବିଧାନସଭା ମଣ୍ଡଳୀ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ବାକି ପଡ଼ିଛି ଆହୁରି ୧୦ ଆସନରେ ପ୍ରାର୍ଥୀ ତାଲିକା।
ନଜର ପକାଇ ନିଅନ୍ତୁ କେଉଁଠୁ କିଏ ହେଲେ ବିଜେଡି ପ୍ରାର୍ଥୀ:
କେଉଁଠୁ | କିଏ |
ଚିଲିକା | ପ୍ରଶାନ୍ତ ଜଗଦ୍ଦେବ |
ଜୟଦେବ | ଅରବିନ୍ଦ ଢାଲି |
ବେଗୁନିଆ | ରାଜେନ୍ଦ୍ରକୁମାର ସାହୁ |
ଖୋର୍ଦ୍ଧା | ଜ୍ୟୋତିନ୍ଦ୍ରନାଥ ମିତ୍ର |
ଦେବଗଡ଼ | ରୋମାଞ୍ଚ ରଞ୍ଜନ ବିଶ୍ଵାଳ |
ବସ୍ତା | ନିତ୍ୟାନନ୍ଦ ସାହୁ |
ରାଇରଙ୍ଗପୁର | ବାସନ୍ତୀ ମାରାଣ୍ଡୀ |
ମୋରଡ଼ା | ରାଜକିଶୋର ଦାସ |
ବରୀ | ସୁନନ୍ଦା ଦାସ |
ଏହି ତାଲିକାରେ ବରିଷ୍ଠ ନେତା ତଥା ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଓ ବିଧାୟକ ଦେବାଶୀଷ ନାୟକଙ୍କୁ ଟିକେଟ୍ ଦିଆଯାଇ ନାହିଁ। ଦେବାଶୀଷଙ୍କ ନିର୍ବାଚନ ମଣ୍ଡଳୀରେ ଏଥର ନୂଆ ମୁହଁ ସୁନନ୍ଦା ଦାସ ଟିକଟ ପାଇଛନ୍ତି। ଶଶିଭୂଷଣ ବେହେରାଙ୍କୁ ପଛକୁ ଠେଲି ପୁଣି ଅରବିନ୍ଧ ଢାଲିଙ୍କ ଆବିର୍ଭାବ ହୋଇଛି ଭୁବନେଶ୍ଵର, ଜୟଦେବ ନିର୍ବାଚେନ ମଣ୍ଡଳୀରେ।
ସେହିପରି ମୟୁରଭଞ୍ଜ ରାଜା ପ୍ରବୀଣ ଭଞ୍ଜାଦେଓଙ୍କୁ ଏଥର ନିର୍ବାଚନ ଟିକଟ ନାହିଁ। ଦଳ ତାଙ୍କୁ ରାଜ୍ୟସଭାରେ ଥଇଥାନ କରିପାରେ।
ଗତକାଲି ଘେଶଷଣାରେ ବେଗୁନିଆ ଆସନରୁ ପ୍ରଶାନ୍ତଙ୍କୁ ବାଦ୍ ଦିଆଯାଇଥିଲା। ଆଜି ତାଙ୍କୁ ଚିଲିକାରୁ ଦଳ ପ୍ରାଥ;ୀ କରାଇଛି। ବେଗୁନିଆକୁ ଯାଇଛନ୍ତି ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର ସାହୁ। ରାଜେନ୍ଦ୍ରଙ୍କ ସ୍ଥାନରେ ପୁରୁଣା ମୁହଁ ଜିତୁ ମିତ୍ରଙ୍କୁପୁଣି ମଉକା ମିଳିଛ।
ବସ୍ତାରେ ନିତ୍ୟାନନ୍ଦ ସାହୁ ପ୍ରାର୍ଥୀ ହେବେ। ରାଇରଙ୍ଗପୁରରୁ ବାସନ୍ତୀ ମାରାଣି ଏବଂ ଦେବଗଡ଼ରୁ ଯୁବ ଚେହେରା ରୋମାଞ୍ଚ ରଞ୍ଜନଙ୍କୁ ଦଳ ଭୋଟ୍ ପାଇଁ ଭରସା କରିଛି।