କାମ କରୁଥିଲେ, ୩ ଓଡ଼ିଆ ଜଳିଗଲେ
ଭୁବନେଶ୍ଵର(ଓଟି): ଖଟିବାକୁ ଯାଇଥିଲେ; ହେଲେ ସେଠାରେ ଜୀଅନ୍ତା ଜଳିଗଲେ। ଏଭଳି ଦୁଃଖଦ ଘଟଣାକ୍ରମରେ ୩ ଜଣ ଓଡ଼ିଆ ପ୍ରାଣ ହରାଇଛନ୍ତି ଗୁଜରାଟରେ। ଅହମ୍ମଦାବାଦସ୍ଥିତ ଲୋଟସ୍ ଲେବେଲ୍ ଇଣ୍ଡଷ୍ଟ୍ରି ନାମକ ଏକ ସୂତାକଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୩ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଦୟାନିଧି ଖୁଣ୍ଟିଆ, ଚିନ୍ମୟ ଖୁଣ୍ଟିଆ ଓ କାମେଶ ସିଂ। ଏ ସମେସ୍ତ ଯାଜପୁର ସଦର ଥାନା ଅଧୀନ ଜମଧର ପଞ୍ଚାୟତର ବୋଲି ଜଣାପଡ଼ିଛି। ଉକ୍ତ ସୂତାକଳରେ ଦୁଇବର୍ଷ ହେଲା ସେମାନେ କାମ କରୁଥିଲେ। ଶନିବାର ସନ୍ଧ୍ୟାରେ ସେମାନେ କାମ କରୁଥିବାବେଳେ ସୂତାକଳରେ ହଠାତ୍ ନିଆଁ ଲାଗିଯାଇଥିଲା। ଏଥିରେ ପୋଡ଼ି ହୋଇ ଦୟାନିଧି, ଚିନ୍ମୟ ଓ କାମେଶ ପ୍ରାଣ ହରାଇଥିବା ଜଣାପଡ଼ିଛି। ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନଥିବାବେଳେ ପ୍ରାୟ ୧୫ଟି ଦମକଳ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ଅଗ୍ନିକାଣ୍ଡ ଓ ମୃତ୍ୟୁ ଖବର ସମ୍ପର୍କରେ ଶ୍ରମିକମାନଙ୍କ ଗାଁରେ ଖବର ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବାବେଳେ ମୃତଦେହ ଗାଁ’କୁ ଫେରେଇ ଆଣିବା ପାଇଁ ପରିବାର ଲୋକେ ଜିଲ୍ଲା ପ୍ରଶାସନ ନିକଟରେ ନିବେଦନ କରିଛନ୍ତି। ଜିଲ୍ଲାପାଳ ଇନ୍ଦ୍ରମଣି ନାୟକ ଓ ଯାଜପୁର ବିଡିଓ ପ୍ରମୁଖ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ମୃତଦେହ ଫେରାଇ ଆଣିବାକୁ ଉଦ୍ୟମ କରାଯାଉଥିବା ଭାରପ୍ରାପ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି।











