ବିଶ୍ୱରେ ପ୍ରଥମ: ଫିନଲାଣ୍ଡ ଧାର୍ଯ୍ୟ ହେଲା ସପ୍ତାହରେ ୪ ଦିନ ଓ ଦିନକୁ ୬ ଘଣ୍ଟା କାର୍ଯ୍ୟ

 

ଏହା ଦ୍ୱାରା ସଶକ୍ତ ପରିବାର ଓ ସୁଦୃଢ ଦେଶ ଗଠନ ଲାଗି ମାର୍ଗ ଖୋଲିବ ¦ ଏଥିସହ ଦେଶର ଉତ୍ପାଦନ କ୍ଷମତା ମଧ୍ୟ ବଢିବ
– ସନ୍ନା ମରୀନ, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ(ଓଟି): ସରକାରୀ ହେଉ କି ବେସରକାରୀ; କାମ କ୍ଷେତ୍ରର ବୋଝରେ ପ୍ରାୟ ଲୋକେ ଚିନ୍ତିତ ହୋଇପଡନ୍ତି। କେବେ କେମିତି ଛୁଟି ମିଳିବ ଏଇ ଚିନ୍ତା ସଭିଙ୍କୁ ଘାରିଥାଏ। ବିଶେଷକରି ଆମ ଦେଶରେ ଊଣାଅଧିକ ବ୍ୟତିକ୍ରମ ବାଦ୍ ଦେଲେ ସବୁଠି ଏଭଳି ସ୍ଥିତି। ରବିବାର ମୁଖ୍ୟତଃ ଆମର ସାପ୍ତାହିକ ଛୁଟି ରହୁଥିବାବେଳେ ସରକାରୀ କ୍ଷେତ୍ର ସମେତ କେତେକ ବେସରକାରୀ ସଂସ୍ଥା ସେକେଣ୍ଡ ସଟର୍ ଡେ ବା ମାସର ଦ୍ୱିତୀୟ ଶନିବାରକୁ ଛୁଟିଦିନ ଦେଇଥାନ୍ତି। ସେହିପରି ବ୍ୟାଙ୍କ କ୍ଷେତ୍ରରେ ଶନିବାର ଓ ଛୁଟିକୁ ନେଇ କିଛି ନୂଆ ନିୟମ ଘୋଷଣା ନିକଟ ଅତୀତରେ ହୋଇଥିଲା। ଏସବୁ ଭିତରେ ଅନେକ ହୁଏତ ଜାଣିଥିବେ ଯେ ଏଇ ଛୁଟି ବ୍ୟବସ୍ଥା ଭିନ୍ନ ଭିନ୍ନ ଦେଶରେ ସ୍ୱତନ୍ତ୍ର; କିନ୍ତୁ ଏଠାରେ ଆମେ ଯେଉଁ ଦେଶ ଆଉ ଯାହା କହିବାକୁ ଯାଉଛୁ; ତାହା ଜାଣିବା କ୍ଷଣି ଆପଣ ହୁଏତ ସେ ଦେଶକୁ ଚାଲିଯିବାକୁ ମନକରିବେ! କାହିଁକି ଜାଣନ୍ତି?

ସେ ଦେଶରେ ସପ୍ତାହକୁ ୪ ଦିନ କାର୍ଯ୍ୟ ଦିବସ ଆଉ ଦିନକୁ ମାତ୍ର ୬ ଘଣ୍ଟାର କାମ। ହଁ, ଅବିଶ୍ୱସନୀୟ ଆଉ ଆଶ୍ଚର୍ଯ୍ୟ ଲାଗୁଥିବା ଏହି ନୂଆ ଧାରା ଫିନଲାଣ୍ଡରେ ଆରମ୍ଭ ହେବାକୁଯାଉଛି। ଏହାରି ଉଦ୍ୟୋକ୍ତା ହେଉଛନ୍ତି ପ୍ରଧାନମନ୍ତ୍ରୀ ସନ୍ନା ମରୀନ।

ବିଶ୍ୱର ଦ୍ୱିତୀୟ କମ୍ ବୟସ୍କ ଶାସନ ମୁଖ୍ୟ ( ପ୍ରଥମ ହେଉଛନ୍ତି ଅଷ୍ଟ୍ରିଆ ପ୍ରଧାନମନ୍ତ୍ରୀ ୩୩ ବର୍ଷିୟ ସେବାସ୍ତିଆନ୍ କ୍ରୁଜ୍) ୩୪ ବର୍ଷୀୟା ତଥା ଏକ ସନ୍ତାନର ଜନନୀ ହୋଇଥିବା ସୁନ୍ଦରୀ ସନ୍ନାଙ୍କ କହିବା ହେଲା ଜନତାଙ୍କୁ କାମର ଚାପ ଦେଲେ ଦକ୍ଷତାର ବିକାଶ ହୋଇପାରିବନି ବରଂ ଜଣେ ପାରିବାରିକ କ୍ଷେତ୍ରରେ ହସଖୁସି ରହିପାରିଲେ କର୍ମ କ୍ଷେତ୍ରରେ ଆଗ୍ରହର ସହ ଦକ୍ଷତା ପ୍ରତିପାଦନ କରିପାରିବେ। ଫଳରେ ଦେଶର ଉତ୍ପାଦନ କ୍ଷମତା ବଢିବା ସହ ବିକାଶ ତ୍ୱରାନ୍ୱିତ ହୋଇପାରିବ। ଖାସ୍ ଏଥିଲାଗି ପ୍ରଧାନମନ୍ତ୍ରୀ ମରୀନ ଏଭଳି ନିଷ୍ପତ୍ତି ନେବା ସହ ଦେଶରେ ନୂଆ ନିୟମ ଲାଗୁକରି ବିଶ୍ୱ ଲାଗି ଏକ ଉଦାହରଣ ସୃଷ୍ଟି କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ଫିନଲାଣ୍ଡରେ ସପ୍ତାହକୁ ୫ ଦିନ ଏବଂ ଦୈନିକ ୮ ଘଣ୍ଟା କାମ କରିବାକୁ ପଡୁଥିଲା। ତେବେ ପଡୋଶୀ ଦେଶ ସ୍ୱିଡେନ ଏଭଳି ଅଭିନବ ଉପାୟ ଅବଲମ୍ବନ କରି ସଫଳ ହୋଇଥିବାରୁ ନରୀନ ସେଇ ନୀତି ଆପଣାଇଛନ୍ତି। ସ୍ୱିଡେନରେ ୨୦୧୫ରୁ ଦିନକୁ ୬ ଘଣ୍ଟା କାର୍ଯ୍ୟ କରିବାକୁ ପଡୁଥିଲାବେଳେ ସପ୍ତାହରେ ୩ ଦିନ ଛୁଟି ରହିଆସୁଛି। ନରୀନ ଆଉ ପାଦେ ବଢି ଦିନର କାର୍ଯ୍ୟ ସମୟ ଆଉ ୨ ଘଣ୍ଟା କମ୍ ନିଷ୍ପତ୍ତି ନେଇଛନ୍ତି।

ଗତ ଡିସେମ୍ବରରେ ସୋସିଆଲ ଡେମୋକ୍ରାଟିକ୍ ପାର୍ଟି ଅଫ୍ ଫିନଲାଣ୍ଡର ନେତ୍ରୀ ସନ୍ନା ମରୀନ ପ୍ରଧାନମନ୍ତ୍ରୀ ପଦାସୀନ ହୋଇଥିବାବେଳେ ଏହା ପୂର୍ବରୁ ସେ ପରିବହନ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ସେତେବେଳେ ସେ ଏହି ପ୍ରସ୍ତାବ ସଦନରେ ରଖିଥିଲେ କିନ୍ତୁ ଦେଶର କ୍ଷତି ହେବ ବୋଲି ଦର୍ଶାଇ ଖାରଜ କରିଦିଆଯାଇଥିଲା। ମନେରଖିବାକୁ ହେବ ଯେ ଏହା ପୂର୍ବରୁ ଗତ ନଭେମ୍ବର ମାସରେ ଜାପାନର ମାଇକ୍ରୋସଫ୍ଟ କମ୍ପାନୀ ସପ୍ତାହରେ ୪ ଦିନ କାର୍ଯ୍ୟ ଦିବସକୁ ସ୍ୱୀକୃତ ଦେଇସାରିଛି।

[] ରିପୋର୍ଟ: ଏସପି

Leave a Reply

Your email address will not be published.