୨୭୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର
ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୧୧ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୯୫ଟି ଆସନ ପାଇଁ ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି। ଓଡ଼ିଶାରେ ୫ଟି ଲୋକସଭା ସହ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ମତଦାନ ଚାଲିଛି। ଏହି ୫ଟି ଲୋକସଭା ଆସନ ହେଲା- ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା। ଏହା ଅଧୀନରେ ଥିବା ୩୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବି ଭୋଟ ଗ୍ରହଣ ଚାଲିଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଆଜି ୩୭୦୧ ସମ୍ବେଦନଶୀଳ ବୁଥରେ ଚାଲିଛି ମତଦାନ । ଏଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ୭୩୯ଟି ବୁଥରେ ସିଏପିଏଫ୍ ନିୟୋଜିତ .ହୋଇଛନ୍ତି । ସେହିଭଳି ୬୨୩ ବୁଥରେ ସିସିସିଟିଭି ଲାଗିଛି । ୮୯୨ ମାଇକ୍ରୋ ଅବଜର୍ଭର ନିୟୋଜିତ ରହିଛନ୍ତି । ଅନ୍ୟପଟେ ଭିନ୍ନକ୍ଷମ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେଥିପାଇଁ ୧୬ ହଜାର ୮୮୨ ସ୍ୱେଚ୍ଛାସେବୀ ନିୟୋଜିତ ରହିବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି ।
ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସ୍କା ଲୋକସଭା ସହ ଏହା ଅଧୀନସ୍ଥ ୩୫ ଗୋଟି ବିଧାନସଭା ଆସନ ପାଇଁ ମତଦାନ ସାବ୍ୟସ୍ତ କରୁଛନ୍ତି ଭୋଟର । ତେବେ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ୩୫ ଜଣ ସାଂସଦ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏମାନଙ୍କ ମଧ୍ୟରେ ୩୦ ଜଣ ପୁରୁଷ ଓ ୫ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ଏହି ନିର୍ବାଚନରେ ୩୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୪ ଜଣ ଜାତୀୟ ଦଳର, ୫ ଜଣ ରାଜ୍ୟସ୍ତରୀୟ ଦଳର, ୯ ଜଣ ଅନ୍ୟାନ୍ୟ ଦଳର ହୋଇଥିବାବେଳେ ୭ ଜଣ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନରେ ଅଂଶଗ୍ରହଣ କରିଛନ୍ତି ।
ସେହିପରି ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ୨୪୪ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏମାନଙ୍କ ମଧ୍ୟରେ ୨୧୯ ଜଣ ପୁରୁଷ ଓ ୨୫ ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ଏହି ନିର୍ବାଚନରେ ୨୪୪ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୯୭ ଜଣ ଜାତୀୟ ଦଳର, ୩୫ ଜଣ ରାଜ୍ୟସ୍ତରୀୟ ଦଳ, ୪୨ ଜଣ ଅନ୍ୟାନ୍ୟ ଦଳର ହୋଇଥିବାବେଳେ ୭୦ ଜଣ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନରେ ଅଂଶଗ୍ରହଣ କରିଛନ୍ତି ।
ଅନ୍ୟପଟେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୯ ହଜାର ୧୧୭ ବୁଥରେ ୩୯ ଲକ୍ଷ ୪୫ ହଜାର ୦୨୫ ପୁରୁଷ ଭୋଟର, ୩୭ ଲକ୍ଷ ୪୭ ହଜାର ୪୯୩ ମହିଳା ଭୋଟର ଓ ୬୦୫ ଜଣ ତୃତୀୟ ଲିଙ୍ଗ ଭୋଟରଙ୍କୁ ମିଶାଇ ମୋଟ ୭୬ ଲକ୍ଷ ୯୩ ହଜାର ୧୨୩ ଜଣ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ।