ଆଇଆଇଟି ପାଠ ପ୍ରତି ଛାତ୍ରଙ୍କ ମୋହଭଙ୍ଗ

୨୪୬୧ଜଣ ଛାତ୍ର ଆଇଆଇଟି ଛାତ୍ର ଅଧାରୁ ପାଠ ଛାଡ଼ିଲେ
ଭବନେଶ୍ୱରରୁ ୩୯ଜଣ

ଆଇଆଇଟିରେ ଇଞ୍ଜିନିୟରିଂ ପାଠ ପଢ଼ିବାକୁ ପ୍ରତ୍ୟେକ ଛାତ୍ରର ମନରେ ସ୍ୱପ୍ନ ଥାଏ। କିନ୍ତୁ ଏବେ ଏହି ଆଇଆଇଟି ପାଠପଢ଼ା ପ୍ରତି ଛାତ୍ରଛାତ୍ରୀମାନଙ୍କର ମୋହଭଙ୍ଗ ହେବାରେ ଲାଗିଛି। ଫଳରେ ଗତ ଦୁଇ ବର୍ଷ ୨୩ଟି ଆଇଆଇଟିରୁ ମଧ୍ୟରେ ୨୪୬୧ଜଣ ଛାତ୍ର ଅଧାରୁ ପାଠପଢ଼ା ଛାଡ଼ିଛନ୍ତି। ଏଥିରେ ଭୁବନେଶ୍ୱର ଆଇଆଇଟିର ୩୯ଜଣ ଛାତ୍ରଥିବା ଜଣାପଡ଼ିଛି।

ଏସମ୍ପର୍କରେ ମିଳିଥିବା ଖବର ଅନୁସାରେ ଅଧାରୁ ଆଇଆଇଟି ପାଠପଢ଼ା ଛାଡ଼ିଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ୧୧୭୧ଜଣ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗର ହୋଇଥିବାବେଳେ ୧୨୯୦ଜଣ ସାଧାରଣ ବର୍ଗର ରହିଛନ୍ତି। ପାଠପଢ଼ା ଛାଡ଼ୁଥିବା ଆଇଆଇଟି ମଧ୍ୟରେ ଦିଲ୍ଲୀ ସବୁଠାରୁ ଆଗରେ ରହିଛି। ଦିଲ୍ଲୀ ଆଇଆଇଟିର ସର୍ବାଧିକ ୭୮୨ଜଣ ଛାତ୍ରଛାତ୍ରୀ ଅଧାରୁ ପାଠପଢ଼ା ଛାଡ଼ିଛନ୍ତି। ଏହା ପଛକୁ ଖଡ଼ଗପୁର ଆଇଆଇଟି ୬୨୨ଜଣ ସହିତ ୨ୟ ସ୍ଥାନରେ ଥିବାବେଳେ ବମ୍ୱେ ଆଇଆଇଟି ୨୬୩ଜଣ ସହିତ ୩ୟ ସ୍ଥାନରେ ରହିଛି। କାନପୁର ଆଇଆଇଟିରୁ ୧୯୦ଜଣ, ମାଡ଼୍ରାସ ଆଇଆଇଟିରୁ ୧୨୮ଜଣ, ପାଟନା ଆଇଆଇଟିରୁ ୯୨ଜଣ, ହାଇଦ୍ରାବାଦ ଆଇଆଇଟିରୁ ୮୫ଜଣ, ରୁରକି ଆଇଆଇଟିରୁ ୫୭ଜଣ, ଇନ୍ଦୋର ଆଇଆଇଟିରୁ ୫୦ଜଣ, ଭୁବନେଶ୍ୱର ଆଇଆଇଟିରୁ ୩୯ଜଣ, ରୋପାର ଓ ମଣ୍ଡିରୁ ୩୪ଜଣ ଲେଖାଏଁ, ଯୋଧପୁରରୁ ୨୧ଜଣ, ତିରୁପତିରୁ ୧୮ଜଣ, ବିଏଚୟୁରୁ ୭ଜଣ ଓ ଗାନ୍ଧୀନଗରରୁ ୪ଜଣ ଛାତ୍ରଛାତ୍ରୀ ଅଧାରୁ ପାଠପଢ଼ା ଛାଡ଼ିଛନ୍ତି।

ଆଇଆଇଟିରୁ ଛାତ୍ରଛାତ୍ରୀମାନଙ୍କର ଅଧାରୁ ପାଠପଢ଼ା ଛାଡ଼ିବା ନେଇ ଅନେକ କାରଣ ରହିଛି ବୋଳି କୁହାଯାଉଛି। ଅନେକ ଛାତ୍ର ପାଠପଢ଼ାର ଚାପ ସମ୍ଭାଳି ପାରୁନଥିବାବେଳେ ସଂରକ୍ଷିତ ବର୍ଗର ଛାତ୍ରଛାତ୍ରୀମାନେ ଭେଦଭାବ କାରଣରୁ ଆଇଆଇଟିରୁ ଅଧାରୁ ପାଠଛାଡ଼ି ପଳାଇ ଆସୁଛନ୍ତି। ପିଜିରେ ନାମ ଲେଖାଇଥିବା ଛାତ୍ରଚାତ୍ରୀମାନେ ଚାକିରି ପାଇବା ପରେ ଅଧାରୁ ପାଠ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି।

ଆଇଆଇଟିରୁ ଛାତ୍ରଛାତ୍ରୀମାନଙ୍କର ଅଧାରୁ ପାଠ ଛାଡ଼ିବା ଘଟଣାକୁ ମାନବ ସମ୍ୱଳ ବିକାଶ ମନ୍ତ୍ରାଳୟ ଗୁରୁତ୍ୱ ପ୍ରଦାନ କରି କାରଣ ଖୋଜିବାରେ ଲାଗିଛି। ଛାତ୍ରଛାତ୍ରୀମାନଙ୍କ ମନୋବୈଜ୍ଞାନିକ ଚିକିତ୍ସା ପାଇଁ ପରାମର୍ଶଦାତା ନିଯୁକ୍ତି କରିଛି। ଏହି ପରାମର୍ଶଦାତାମାନେ ଛାତ୍ରଛାତ୍ରୀମାନଙ୍କର ପାଠପଢ଼ା ଅଗ୍ରଗତି ଉପରେ ନଜର ରଖିଛନ୍ତି। ପାଠପଢ଼ାରେ ଦୁର୍ବଳ ଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଅତିରିକ୍ତ ସମୟରେ ପଢ଼ାଇବା ବନ୍ଦୋବସ୍ତ କରିବାକୁ ଏହି ପରାମର୍ଶଦାତାମାନଙ୍କୁ ଦାୟିତ୍ୱ ଦିଆଯାଇଛି।

Leave a Reply

Your email address will not be published. Required fields are marked *