ରୋମିଓଙ୍କୁ ନାଲିଆଖି: ମହିଳା ଏସ୍‌ପିଓ ଠୁଙ୍କିବେ, ବେଶୀ ଉତ୍ପାତ କଲେ ସହର ତଡ଼ି

ଭୁବନେଶ୍ଵର, (ଓଟି): ସହରର ବିଭିନ୍ନ ଅଞ୍ଚଳରେ ରୋଡ୍‌ ରୋମିଓଙ୍କୁ ସାବାଡ଼ କରିବାକୁ କମିଶନରେଟ୍‌ ପୁଲିସ ଏକ ଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ଠିକାରେ ନିଯୁକ୍ତ ମହିଳା ସ୍ଵତନ୍ତ୍ର ପୁଲିସ ଅଧିକାରୀଙ୍କୁ ସେମାନଙ୍କ ଉପରେ କଡ଼ା ନଜର ରଖିବା କ୍ଷମତା ଦେଇଛି । ଏହା ସହ ରୋଡ୍‌ ରୋମିଓଙ୍କୁ ସେମାନେ ଏଣିକି ଗିରଫ କରିପାରିବେ ବୋଲି ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି। ଖାଲି ସେତିକି ନୁହେଁ ବାରମ୍ବାର ଏପରି ଅଭିଯୋଗ ଆସିଲେ ସମ୍ପୃକ୍ତ ରୋମିଓଙ୍କୁ ସହରତଡ଼ି ଦଣ୍ଡ ବି ମିଳିବା ଆଶଙ୍କା ରହିଛି।

ଏଥିନେଇ ରାଜଧାନୀର ୩୦ଟି ଭିନ୍ନ ଭିନ୍ନ ଅନୁଷ୍ଠାନରୁ ୨୪୬ ମହିଳାଙ୍କୁ ସ୍ଵତନ୍ତ୍ର ପୁଲଇସ ଅଧିକାରୀ ( ଏସ୍‌ପିଓ) ଭାବରେ ନିଯୁକ୍ତି ଦିଆଯାଇଛି। ଏମାନେ ପରୀକ୍ଷାମୂଳକ ଭାବେ ତିନିମାସ କାମ କରିବେ। 

 

ଏହି ସ୍ଵତନ୍ତ୍ର ଅଧିକାରୀମାନେ  ରାଜଧାନୀର ରାସ୍ତାକଡ଼ରେ କିମ୍ବା କଲେଜ ଆଗରେ ଝିଅଙ୍କୁ କମେଣ୍ଟ ମାରୁଥିବା ତଥା  ଯୁବତୀ/ମହିଳାଙ୍କୁ ଅସଦାଚରଣ  କରୁଥିବା ଯୁବକଙ୍କ ଉପରେ ନଜର ରଖିବେ।  ଖାଲି ସେତିକି ନୁହେଁ, ଫେସବୁକ୍‌, ହ୍ୱାଟ୍‌ସ-ଆପ୍‌ ଭଳି ସୋସିଆଲ ମିଡିଆ ଜରିଆରେ ଯୁବତୀ/ମହିଳାଙ୍କୁ ଦୁର୍ବ୍ୟବହାର, ଅଶ୍ଳୀଳ ଭାଷାରେ ମନ୍ତବ୍ୟ କିମ୍ବା ଅନ୍ୟ ଯେକୌଣସି ଉପାୟରେ ନିର୍ଯାତନା ଦେଉଥିବା ଅଭିଯୋଗରେ ମଧ୍ୟ ସେମାନଙ୍କୁ ଗିରଫ କରିପାରିବେ।   

କମିସନରେଟ୍‌ ପୁଲିସର ଦ୍ବାଦଶ ପ୍ରତିଷ୍ଠା ଦିବସରେ ଆଜି ଆରମ୍ଭ ହୋଇଥିବା ଏହି ନୂଆ ବ୍ୟବସ୍ଥାକୁ ପୁଲିସ ଡିଜି ଅଭୟ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ।  

ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ sହିଛନ୍ତି,  ଏହି ଏସ୍‌ପିଓମାନେ କମିସନରେଟ୍‌ ପୁଲିସର ଆଖି ଓ କାନ ଭାବରେ କାମ କରିବେ। ତା’ ଛଡ଼ା ସେମାନେ ଅପରାଧୀକୁ ଗିରଫ ମଧ୍ୟ କରିପାରିବେ। ସହରାଞ୍ଚଳ ପୁଲିସ ଆଇନ ବଳରେ ସେମାନଙ୍କୁ ଏହି କ୍ଷମତା ଦିଆଯାଇଛି। ଖୁବ୍‌ଶୀଘ୍ର ସମସ୍ତଙ୍କୁ ଏକ ହ୍ବାଟ୍‌ସ୍‌-ଆପ୍‌ ଗ୍ରୁପ୍‌ରେ ସାମିଲ କରାଯାଇ ଏକାଠି କରାଯିବ ବୋଲି ସେ ସୂଚନା ଦେଇଥିଲେ।

ଆଜି ଏସ୍‌ପିଓମାନଙ୍କୁ ଦାୟିତ୍ବ ସହ ସ୍ବତନ୍ତ୍ର ଜର୍ସି ପ୍ରଦାନ କରାଯାଇଛି। ‘ୱିମେନ୍‌ ଏମପାୱାରମେଣ୍ଟ ଫର୍‌ ଜେଣ୍ଡର୍‌ ସେନ୍‌ସିଟିଭ୍‌ ପୁଲିସିଂ’ କାର୍ଯ୍ୟକ୍ରମ ଜରିଆରେ ଏହି ବ୍ୟବସ୍ଥା ହୋଇଛି। ଏ ବ୍ୟବସ୍ଥା ସଫଳ ହେଲେ ସମଗ୍ର ରାଜ୍ୟରେ ଆଦୃତ ହୋଇପାରିବ ବୋଲି ସେ ଆଶା ରଖିଛନ୍ତି। କାର୍ଯ୍ୟକ୍ରମରେ ଓଲିଉଡ୍‌ ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ, ଅଭିନେତ୍ରୀ ଅର୍ଚିତା, ନୀହାରିକା, ଭୂମିକା ପ୍ରମୁଖ ଯୋଗ ଦେଇଥିଲେ।  

 

Leave a Reply

Your email address will not be published.