ନିର୍ବାଚନରେ ୨୨୯୭ କୋଟିପତି ପ୍ରାର୍ଥୀଙ୍କୁ ଲୋକେ ଦେଇଛନ୍ତି ଭୋଟ

ଚଳିତ ୨୦୧୯ ନିର୍ବାଚନରେ ୨୨୯୭ ଜଣ କୋଟିପତି ପ୍ରାର୍ଥୀଙ୍କୁ ଲୋକେ ଭୋଟ ଦେଇଥିଲା ବେଳେ ୬୦ଜଣ ଏପରି ପ୍ରାର୍ଥୀ ଥିଲେ ଯେଉଁମାନଙ୍କ ପାଖରେ କୌଣସି ସମ୍ପତ୍ତି ନଥିବା ନିର୍ବାଚନ କମିଶନଙ୍କ ନିକଟରେ ଉଲ୍ଲେଖ କରାଯାଇଛି।

ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର) ରିପୋର୍ଟ ଅନୁସାରେ ଲୋକସଭା ନିର୍ବାଚନ ୨୦୧୯ରେ ପ୍ରାର୍ଥୀ ଥିବା ୭୯୮୨ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ବିଶ୍ଲେଷଣ କରି ରିପୋର୍ଟରେ ଉଲ୍ଲେଖ କରିଛି ଯେ, ଏହି ପ୍ରାର୍ଥୀଙ୍କ ମଧ୍ୟରୁ ୧୫୦୦ ନିଜ ଉପରେ ଅପରାଧିକ ମାମଲା ଥିବା ଉଲ୍ଲେଖ କରିଛନ୍ତି।

୨୦୧୪ ନିର୍ବାଚନରେ ୮୨୦୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୪୦୪ ପ୍ରାର୍ଥୀ ନିଜ ଉପରେ ଅପରାଧିକ ମାମଲା ଥିବା ସୂଚନା ଦେଇଥିଲେ। ଅର୍ଥାତ ୨୦୧୪ ତୁଳନାରେ ୨୦୧୯ରେ ଅପରାଧିକ ମାମଲା ଥିବା ପ୍ରାର୍ଥୀଙ୍କ ସଂଖ୍ୟାରେ ୧୪%ର ବୃଦ୍ଧି ଘଟିଛି।

ସେହିପରି ଏଡିଆର ୭୯୮୨ପ୍ରାର୍ଥୀଙ୍କ ନାମାଙ୍କନ ପତ୍ରକୁ ବିଶ୍ଲେଷଣ କରି ଉଲ୍ଲେଖ କରିଛି ଯେ, ସେମାନଙ୍କ ମଧ୍ୟରୁ ୧୦୭୦ଜଣ ପ୍ରାର୍ଥୀଙ୍କ ଉପରେ ଗମ୍ଭୀର ଅପରାଧିକ ମାମଲା ରହିଛି। ୨୦୧୪ରେ ୮୨୦୫ ପ୍ରାର୍ଥୀଙ୍କ ମଧ୍ୟରୁ ଗମ୍ଭୀର ଅପରାଧିକ ମାମଲା ଥିବା ପ୍ରାର୍ଥୀଙ୍କ ସଂଖ୍ୟା ଥିଲା ୯୦୮। ଅର୍ଥାତ ୨୦୧୯ ନିର୍ବାଚନରେ ଏହି ସଂଖ୍ୟାରେ ୧୩%ର ବୃଦ୍ଧି ଘଟିଛି।

ଏଡିଆର ପକ୍ଷରୁ ୨୦୧୯ ନିର୍ବାଚନ ପାଇଁ ମଇଦାନରେ ଥିବା ୭୯୮୨ ପ୍ରାର୍ଥୀଙ୍କ ବିଶ୍ଲେଷଣରୁ ଜଣାପଡିଛି ଯେ, ସେମାନଙ୍କ ମଧ୍ୟରେ ୨୨୯୭ ହେଉଛନ୍ତି କୋଟିପତି। ୨୦୧୪ରେ ୮୨୦୫ ମଧ୍ୟରୁ ୨୨୧୭ଜଣ ଥିଲେ କୋଟିପତି।

କୋଟିପତି ପ୍ରାର୍ଥୀ ସଂଖ୍ୟାରେ ମାତ୍ର ୨% ବଢିଛି। ମୋଟ ପ୍ରାର୍ଥୀଙ୍କ ମଧ୍ୟରୁ ୨୯% ହେଉଛନ୍ତି କୋଟିପତି। ସେହିପରି ଚଳିତ ନିର୍ବାଚନରେ ୬୦ଜଣ ପ୍ରାର୍ଥୀ ସେମାନଙ୍କ ନିକଟରେ କୌଣସି ସମ୍ପତ୍ତି ନଥିବା ଉଲ୍ଲେଖ କରିଛନ୍ତି।

Leave a Reply

Your email address will not be published.