୨୦୧୯ର ବିଧାନସଭା ନିର୍ବାଚନ : କିଏ କେଉଁଠି ଶକ୍ତିଶାଳୀ
ଭୁବନେଶ୍ୱର,(ଓଟି): ଆଗାମୀ ୨୦୧୯ ନିର୍ବାଚନ ବଡ଼ ମହତ୍ତ୍ୱପୂର୍ଣ୍ଣ ହେବ ବୋଲି ସୂଚନା ମିଳିବାରେ ଲାଗିଛି। ଚଳିତ ବର୍ଷ ଲୋକସଭା ସହିତ ୮ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅପୁଷ୍ଠିତ ହେବ। ଏହା ମଧ୍ୟରୁ ୩ଟିରେ ବିଜେପି ସରକାର ଥିବାବେଳେ କଂଗ୍ରେସ କେବଳ ଅରୁଣାଞ୍ଚଳ ପ୍ରଦେଶରେ କ୍ଷମତାରେ ରହିଛି।

ଆଠ ରାଜ୍ୟ
୨୦୧୪ରେ ଆନ୍ଧ୍ର ପ୍ରଦେଶ, ହରିୟାନା, ଜମ୍ମୁ-କାଶ୍ମୀର, ମହାରାଷ୍ଟ୍ର, ଝାରଖଣ୍ଡ, ଓଡ଼ିଶା, ଅରୁଣାଞ୍ଚଳ ପ୍ରଦଶ ଓ ସିକ୍କିମ ବିଧାନସଭା ନିର୍ବାଚନ ହୋଇଥିଲା। ଏହା ମଧ୍ୟରୁ ମହାରାଷ୍ଟ୍ର, ଝାରଖଣ୍ଡ, ହରିୟାନାରେ ବିଜେପି ବହୁମତ ସହିତ ସରକାର ଗଠନ କରିଥିବାବେଳେ ଜମ୍ମୁ-କାଶ୍ମୀରରେ ପିଡ଼ିପି ସହିତ ମେଣ୍ଟ ସରକାର ଗଠନ କରିଥିଲେ। ଓଡ଼ିଶାରେ ବିଜୁ ଜନତା ଦଳ ରେକର୍ଡ଼ ସଂଖ୍ୟକ ଭୋଟ ପାଇ ସରକାର ଗଠନ କରିଛି। କଂଗ୍ରେସ କେବଳ ଅରୁଣାଞ୍ଚଳ ପ୍ରଦେଶରେ ସରକାର ଗଠନ କରିଥିଲାବେଳେ ସିକ୍କିମରେ ଏସଡ଼ିଏଫ ସରକାର ଗଠନ କରିଛି।
ମହାରାଷ୍ଟ୍ର

ବିଜେପି ଓ କଂଗ୍ରେସ ମହାରାଷ୍ଟ୍ର, ହରିୟାନା, ଝାରଖଣ୍ଡ ବିଧାନସଭା ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମହାରାଷ୍ଟ୍ରେର ୨୮୮ଟି ବିଧାନସଭା ଓ ୪୮ଟି ଲୋକସଭା ଆସନ ରହିଛି। ଏହି ରାଜ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ଉତ୍ତରପ୍ରଦେଶ ପରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକସଭା ଆସନ ରହିଛି। ୨୦୧୪ ଅପେକ୍ଷା ବର୍ତ୍ତମାନ ମହାରାଷ୍ଟ୍ରର ସ୍ଥିତି ସମ୍ପୂର୍ଣ୍ଣ ଅଲଗା ରହିଛି। ମହାରାଷ୍ଟ୍ରରେ ବିଜେପିର ସହଯୋଗୀ ଶିବସେନା ଅସନ୍ତୁଷ୍ଟ ହୋଇ ମେଣ୍ଟ ଭାଙ୍ଗିବା ଚିନ୍ତାରେ ରହିଛି।
ଅପରପକ୍ଷରେ କଂଗ୍ରେସ-ଏନସିପି ମେଣ୍ଟ ପୂର୍ବ ଭଳି ମଜଭୂତ ରହିଛି। କାରଣ ଆଗାମୀ ନିର୍ବାଚନ କଂଗ୍ରେସ-ଏନସିପି ମେଣ୍ଟ ପୂର୍ବ ଭଳି ନିର୍ବାଚନ ଲଢ଼ିବ ବୋଲି ଶରଦ ପାୱାର ଘୋଷଣା କରିସାରିଲେଣି। ୨୦୧୪ ବିଧାନସଭା ନିର୍ବାଚନରେ ବିଜେପି-୧୨୨, ଶିବସେନା-୬୩, କଂଗ୍ରେସ-୪୨ ଓ ଏନସିପି-୪୧ ସିଟରେ ବିଜୟୀ ହୋଇଥିଲେ।
ହରିୟାନା

ବିଧାନସଭା ସିଟ ଅନୁସାରେ ଛୋଟ ରାଜ୍ୟ କୁହାଯାଉଥିବା ହରିୟାନାର ରାଷ୍ଟ୍ରୀୟ ରାଜନୀତିରେ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ୯୦ ଆସନ ବିଶିଷ୍ଟ ବିଧାନସଭାରେ ୨୦୧୪ ନିର୍ବାଚନରେ ବିଜେପି-୪୭, ଆଇଏଡ଼ଏଲଡ଼ି-୧୯ ଓ କଂଗ୍ରେସ ୧୫ଟି ଆସନରେ ବିଜୟୀ ହୋଇଥିଲା। ହରିୟାନାରେ ବିଜେପି ପ୍ରଥମ ଥର ପାଇଁ ୨୦୧୪ରେ ବହୁମତ ହାସଲ କରିଥିଲା।
ଝାରଖଣ୍ଡ

ନୂଆ ରାଜ୍ୟ ଭାବେ ଗଠନ ହେବା ପରେ ୨୦୦୦ ନଭେମ୍ୱରରେ ବିଜେପି କ୍ଷମତାକୁ ଆସିଥିଲା। ଏହାପରେ ୩ଥର ବିଜେପି ଏଠାରେ କ୍ଷମତାକୁ ଆସି ଶାସନ କରିଥିଲା। ୨୦୧୪ ନିର୍ବାଚନରେ ଝାରଖଣ୍ଡର ୮୨ଟି ଆସନରୁ ୪୩ଟିରେ ବିଜୟୀ ହୋଇ କ୍ଷମତା ହାସଲ କରିଥିଲା।
ଜମ୍ମୁ-କାଶ୍ମୀର

୨୦୧୪ରେ ଜମ୍ମୁ-କାଶ୍ମୀରର ନିର୍ବାଚନୀ ରାଜନୀତିରେ ବିଜେପିର ପ୍ରଭାବ ବୃଦ୍ଧି ପାଇଥିଲା। ରାଜ୍ୟ ବିଧାନସଭାର ୮୭ଟି ଆସନ ମଧ୍ୟରୁ ବିଜେପି ୨୫ଟିରେ ବିଜୟୀ ହୋଇଥିଲା। ଏହି ନିର୍ବାଚନରେ କୌଣସି ଦଳକୁ ବହୁମତ ନ ମିଳିବାରୁ ରାଜ୍ୟ ରାଜନୀତିର ସମୀକରଣ ପରିବର୍ତ୍ତନ ହୋଇଥିଲା। ୨୮ଟି ଆସନ ପାଇ ପିଡ଼ିପି ସବୁଠାରୁ ବଡ଼ ଦଳଭାବେ ଉଭା ହୋଇଥିଲା। ଏହା ପରେ ବିଜେପି ପିଡ଼ିପି ସହିତ ମେଣ୍ଟ ସରକାର ଗଠନ କରିଥିଲେ ହେଁ ତାହା ଅଧାରୁ ଭାଙ୍ଗିଯାଇଛି।
ଆନ୍ଧ୍ରପ୍ରଦେଶ

ଆନ୍ଧ୍ରପ୍ରଦେଶର ଶକ୍ତିଶାଳୀ ରାଜନୈତିକ ଦଳ ଟିଡ଼ିପି ୨୦୧୪ରେ ବିଜେପି ମେଣ୍ଟ କରି କ୍ଷମତାକୁ ଆସିଥିଲେ ହେଁ ଏବେ ମେଣ୍ଟ ଭାଙ୍ଗିଯାଇଛି। ୨୦୧୪ ନିର୍ବାଚନରେ ୧୭୫ ବିଧାନସଭା ଆସନ ମଧ୍ୟରୁ ୧୦୨ଟିରେ ବିଜୟୀ ହୋଇଥିବାରୁ ଟିଡ଼ିପିକୁ କୌଣସି ଅସୁବିଧା ନାହିଁ। ୨୦୧୯ ନିର୍ବାଚନରେ ଦେଶରୁ ବିଜେପିକୁ ଶାସନ କ୍ଷମତାରୁ ତଡ଼ିବା ପାଇଁ ଟିଡ଼ିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁ ସମସ୍ତ ବିରୋଧିଦଳକୁ ଏକତ୍ରିତ କରିବାରେ ଲାଗିଛନ୍ତି।
ଓଡ଼ିଶା

ଭାରତୀୟ ଜନସଂଘର ସମସ୍ତ ନେତାମାନେ ଓଡ଼ିଶାରୁ ବିଜେପି ଟିକଟରେ ନିର୍ବାଚନ ଲଢ଼ିଥିଲେ ହେଁ ସେମାନେ କେବେ ବି କ୍ଷମତାକୁ ଆସିନାହାନ୍ତି। ୨୦୦୦ରେ ବିଜେପି ଓଡ଼ିଶାରେ ବିଜେଡ଼ି ସହିତ ମେଣ୍ଟ କରି କ୍ଷମତାର ଅଂଶୀଦାର ହୋଇଥିଲା। ୨୦୧୪ ନିର୍ବାଚନରେ ବିଜେପି ବିଜେଡ଼ି ଅଲଗା ଅଲଗା ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନରେ ବିଜେପି ମାତ୍ର ୧୦ଟି ଆସନରେ ବିଜୟୀ ହୋଇଥିବାବେଳେ ବିଜେଡ଼ି ୧୧୭ଟି ଆନରେ ବିଜୟୀ ହୋଇ ସରକାର ଗଠନ କରିଥିଲାବେଳେ କଂଗ୍ରେସ ମାତ୍ର ୧୬ଟି ଆସନରେ ବିଜୟୀ ହୋଇଥିଲା।
ଅରୁଣାଞ୍ଚଳ ଓ ସିକ୍କିମ

୨୦୧୪ ନିର୍ବାଚନରେ ହାରି କ୍ଷମତା ହରାଇଥିବା କଂଗ୍ରେସ କେବଳ ଅରୁଣାଞ୍ଚଳ ପ୍ରଦେଶରେ ବିଜୟୀ ହୋଇ କ୍ଷମତା ହାସଲ କରିଥିଲା। ରାଜ୍ୟର ୬୦ଟି ବିଧାନସଭା ଆସନରୁ କଂଗ୍ରେସ ୪୨ଟି ଆସନରେ ବିଜୟୀ ହୋଇ ସରକାର ଗଠନ କରିଥିଲା।
୨୦୧୪ ନିର୍ବାଚନରେ ସିକିମରେ ବିଜେପି ଓ କଂଗ୍ରେସ କ୍ଷମତା ହାସଲ କରିପାରିନଥିଲେ। ୩୦ଟି ଆସନ ବିଧାନସଭା ଆସନରୁ ଏସଡ଼ିଏଫ ୨୨ଟିରେ ବିଜୟୀ ହୋଇ ସରକାର ଗଠନ କରିଥିଲା। ଏହି ରାଜ୍ୟରେ କଂଗ୍ରେସ ଓ ବିଜେପି ଖାତା ଖୋଲି ପାରିନଥିଲେ।