#କରୋନା ଆତଙ୍କ: ଦିନକୁ ୧୯ ଘଣ୍ଟା ସଟ୍ଡାଉନ୍ ରହିବ ଗଞ୍ଜାମ
ବ୍ରହ୍ମପୁର(ଓଟି): କେବଳ ଜରୁରୀ କାର୍ଯ୍ୟ ପାଇଁ ୫ ଘଣ୍ଟା କୋହଳ। ବାକି ୧୯ ଘଣ୍ଟା ସଟ୍ଡାଉନ୍ ମଧ୍ୟରେ ରହିବ ଗଞ୍ଜାମ ଜିଲ୍ଲା। ସାମାଜିକ ଦୂରତ୍ଵକୁ ସାଧାରଣରେ ମାନୁନଥିବା ଅଭିଯୋଗ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଅର୍ଥାତ୍ ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ କେବଳ ନିୟମ କୋହଳ ରହିବ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ ସଟ୍ଡାଉନ ସମୟରେ କୌଣସି ଗାଡ଼ିମୋଟର ଚଳାଚଳ କରିବନାହିଁ । କେବଳ ସକାଳ ୭ଟାରୁ ୧୨ଟା ଯାଏଁ ଅତ୍ୟାବଶ୍ୟକ ଓ ଜରୁରୀ ସେବା ଜାରି ରହିବ। ସେହି ସମୟ ମଧ୍ୟରେ ଲୋକେ ଚାଲି ଚାଲି ଯିବାକୁ ଅନୁମତି ମିଳିଛି। ସେହିପରି କିଛି ଔଷଧ ଦୋକାନ ଖୋଲା ରହିବ। ଡାକ୍ତରଖାନାରେ ଓପିଡି ବନ୍ଦ ରହିବ ଏବଂ ଫୋନ୍ ଯୋଗେ ଡାକ୍ତରଙ୍କ ସହ ଲୋକମାନେ ସମ୍ପର୍କ କରିବେ। ଏହି ନିର୍ଦ୍ଦେଶକୁ ଯିଏ ଉଲ୍ଲଂଘନ କରିବେ ସେମାନଙ୍କୁ ୧୪ଦିନିଆ କ୍ୱାରେଣ୍ଟାଇନକୁ ନିଆଯିବ। ସେହିପରି ଘରୁ ବାହାରିବା ବେଳେ ସମସ୍ତେ ମୁହଁକୁ ଘୋଡ଼ାଇ ରଖିବେ। ଏପରିକି ଥଣ୍ଡା ହୋଇଥିଲେ ଘର ଭିତରେ ମଧ୍ୟ ମାସ୍କ ପିନ୍ଧିବେ। ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗୋ।
ଶୁକ୍ରବାର ଗୋଟିଏ ଦିନରେ ରାଜ୍ୟରେ ୧୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବଳେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ସମେତ ବିଭିନ୍ନ ଜିଲ୍ଲା ପ୍ରଶାସନ ପକ୍ଷରୁ କଠୋର ନିଷ୍ପତ୍ତି ନିଆଯାଇଛି। ନିୟମକୁ କଡ଼ାକଡ଼ି କରାଯାଇଛି। ଏହା ଜନହିତ ପାଇଁ ଆବଶ୍ୟକ ବୋଲି କୁହାଯାଇଛି।