ଆକାଶ ମାର୍ଗ ଅଧିକ ଉନ୍ମୁକ୍ତ ହେବ: ୬ ବିମାନବନ୍ଦରରେ ଘରୋଇ ସହଭାଗୀତା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଆତ୍ମ ନିର୍ଭରଶୀଳ ଭାରତ ଗଠନ ଲାଗି ଯେଉଁ ନୀତିଗତ ପରିବର୍ତ୍ତନ ନିଷ୍ପତ୍ତି ନେଇଛନ୍ତି ସେଥିରେ ମୁଖ୍ୟତଃ ଘରୋଇ ସହଭାଗୀତା ଆଶା କରାଯାଇଛି। ଅଧିକ ପୁଞ୍ଜି ନିବେଶ ପାଇଁ ଯୋଜନା କରାଯାଇଛି। ଏହିକ୍ରମରେ କେନ୍ଦ୍ର ସରକାର ଅଧିକରୁ ଅଧିକ ବିମାନ ପଥକୁ ବେସାମରିକ ବିମାନ ଚଳାଚଳ ଲାଗି ଉନ୍ମୁକ୍ତ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଏହି ପଦକ୍ଷେପ ଦ୍ଵାରା  ବିମାନଗୁଡ଼ିକ ନିର୍ଦିଷ୍ଟ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ଲାଗି ଅଧିକ ସମୟ ଆବଶ୍ୟକ ପଡ଼ିବ ନାହିଁ। ସମୟ ବଞ୍ଚିବା ସହ  ଯାତ୍ରୀଙ୍କୁ ଭଡ଼ା କମ୍‌ ଦେବାକୁ ହେବ ବୋଲି ଆଶା କରାଯାଇଛି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଘୋଷିତ ଆତ୍ମ ନିର୍ଭରଶୀଳ ପ୍ୟାକେଜ୍‌ର ଚତୁର୍ଥ ପର୍ଯ୍ୟାୟ ଘୋଷଣା କରିବା ସମୟରେ କହିଛନ୍ତି ଯେ, ଦେଶରେ ମାତ୍ର ୬୦ ପ୍ରତିଶତ ବିମାନ ପଥ ଉପଲବ୍ଧ ହେଉଛି। ଅନ୍ୟସବୁ ବିମାନ ମାର୍ଗକୁ ପ୍ରତିରକ୍ଷା ଏବଂ ଅନ୍ୟ ବିମାନ ଚଳାଚଳ ପାଇଁ ସଂରକ୍ଷିତ ରଖାଯାଇଛି। ଏହିକ୍ରମରେ ଅଧିକ ପଥ ଉନ୍ମୁକ୍ତ କରିବା ଏବଂ ଉପଲବ୍ଧ ଆକାମାର୍ଗକୁ ଅଧିକରୁ ଅଧିକ ବ୍ୟବହାର କରିବା ଉପରେ ସରକାର ଗୁରୁତ୍ଵ ଦେଇଛନ୍ତି।  ମିଲଇଟାରୀ ବ୍ୟାପାର ବିଭାଗ ସହ ସମନ୍ବୟ କରାଯାଇ ଏହି ଅସୁବିଧା ଦୂର କରାଯିବ। ଏହାଦ୍ଵାରା ଏୟାର ଟର୍ବାଇନ୍‌ ଫ୍ୟୁଏଲ୍‌ କମିବ। ଦୁଇ ମାସ ଭିତରେ ଏହାର ସମାଧାନ କରାଯିବ। ଏହି ପଦକ୍ଷେପ ଦ୍ଵାରା ୧୦୦୦ କୋଟି ଟଙ୍କା ଫାଇଦା ମିଳିବ।

ସରକାର ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆକୁ ଅଧିକ ଅର୍ଥ ଯୋଗାଣ ଏବଂ ବିମାନ ବନ୍ଦରଗୁଡ଼ିକୁ ଅଧିକ ପାରଦର୍ଶୀ କରିବା, ଯାତ୍ରୀମାନଙ୍କ ଲାଗି ସୁବିଧା ଉପଲବ୍ଧ କରିବା ଉଦ୍ଦେଶ୍ୟରେ ଘରୋଇ କମ୍ପାନୀଙ୍କ ଭାଗିଦାରୀକୁ ଆହୁରି ପ୍ରୋତ୍ସାହନ ଦେବାକୁ ଯାଉଛନ୍ତି। ଏହିକ୍ରମରେ କେନ୍ଦ୍ର ସରକାର ଦେଶର ଆହୁରି ୬ଗୋଟି ବିମାନ ବନ୍ଦରକୁ ଘରୋଇ ଭାଗିଦାରୀରେ ପରିଚାଳନା କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ସୀତାରମଣ ସୂଚନା ଦେଇଛନ୍ତି।

ଏବେ ୬ଟି ବିମାନବନ୍ଦରକୁ ଘରୋଇ ଭାଗିଦାରୀରେ ପରିଚାଳନା କରିବାକୁ ନିଷ୍ପତ୍ତି ନିଆଯାଇଛି। ସେଥିରୁ ତିନୋଟି ବିମାନବନ୍ଦର ଲାଗି ଅବାଶ୍ୟକ ଆଦେଶ ପ୍ରଦାନ କରାଯାଇଛି। ଏହାଦ୍ଵାରା ଯେଉଁ ଆୟ ପ୍ରତିବର୍ଷ ୫୩୪ କୋଟି ଟଙ୍କା ଥିଲା ତାହା ୧୦୦୦ କୋଟି ଟଙ୍କା ହୋଇଛି। ଏହା ସହ ଡାଉନ୍‌ ପେମେଣ୍ଟ ବାବଦରେ୨୩୦୦ କୋଟି ଟଙ୍କା ମିଳିବ। ଏହି ୧୨ ବିମାନ ବନ୍ଦରେ ୧୩ ହଜାର କୋଟି ଟଙ୍କା ନିବେଶ ହେବ ବୋଲି ଆଶା କରାଯାଇଛି।

ତୃତୀୟ ପର୍ଯ୍ୟାୟରେ ମଧ୍ୟ ୬ ଅନ୍ୟ ବିମାନ ବନ୍ଦର ପାଇଁ ନିଲାମି ପ୍ରକ୍ରିୟା ଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ।  ପ୍ରଥମ ପର୍ଯ୍ୟାୟରେ ୬ଟିରୁ ୩ଟିରେ ପିପିପି ମୋଡ୍‌ରେ ପରିଚାଳିତ ହେଉଛି। ଦ୍ଵିତୀୟ ପର୍ଯ୍ୟାୟ ବିମାନ ବନ୍ଦର ଚିହ୍ନଟ ଶେଷ ହୋଇଛି।

Leave a Reply

Your email address will not be published.