ପୁରୀରେ ଘର, ଜାଗା କିଣୁଛନ୍ତି, ଧ୍ୟାନ ଦିଅନ୍ତୁ-ଏହି ୧୨ ମୌଜାରେ ଅନୁମତି ରଦ୍ଦ କରିଛନ୍ତି ଶ୍ରୀମନ୍ଦିର
ପୁରୀ (ଓଟି): ମରାଠା ଓ ମୋଗଲଙ୍କ ସମୟରେ ବିବଦ ଭିତରେ ଫସିଥିବା ସତେଇଶ ହଜାର ମହାଲ ଏବେ ଶ୍ରୀମନ୍ଦିର ସମ୍ପତ୍ତି ବୋଲି ରେକଡର୍ର୍ ପାଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ଏହିକ୍ରମରେ ଏହି ପୁରାତନ ସତେଇଶ ହଜାର ମହାଲରେ ଆଉ ଗୃହ ବା କୌଣସି ନିମାଣ ପାଇଁ ଅନୁମତି ନଦେବାକୁ ରୋକ୍ଠୋକ୍ ମନା କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ପିକେଡିଏ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି।
ପ୍ରଶ୍ନ ଉଠୁଛି ଏ ସତେଇଶ ହଜାର ମହାଲ କେଉଁ ଅଞ୍ଚଳ ଅନ୍ତର୍ଭୁକ୍ତ। ପୁରୀ ସହରର ଗୁରୁତ୍ଵପୂଣ୍ଣ ସାହି ଏବଂ ଗଳି ଯେମିତି କାଳିକାଦେବୀ ସାହି, କୁଣ୍ଢେଇବେଣ୍ଟ ସାହି, କୁମ୍ଭାରପଡ଼ା, ଚୂଡ଼ଙ୍ଗ ସାହି, ଦଇତାପଡ଼ା ସାହି, ବାଲିସାହି, ମାର୍କେଣ୍ଡଶ୍ବର ସାହି, ମାଟିଆପଡ଼ା, ହରଚଣ୍ଡୀ ସାହି, ଦାଣ୍ଡିମାଳ ସାହି, ବଡ଼ଦେଉଳ ସାହି, ବାସେଳୀ ସାହି ଭଳି ୧୨ଟି ମୌଜା ଅନ୍ତର୍ଭୁକ୍ତ। ଏହାବ୍ୟତୀତ ସଦର ଅଞ୍ଚଳର ୫୫ଟି ମୌଜାର ଜମି ଉପରେ ବି ଏନ୍ଓସି ଦେବ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ଜଣାଇ ଦେଇଛି। ଶ୍ରୀମନ୍ଦିର ପ୍ରଶାସନର ଏପରି ନିଷ୍ପତ୍ତି ଏହିସବୁ ମୌଜାରେ ଘର କିଣିବା, ତୋଳିବା ଉପରେ ଏକ ବଡ଼ ପ୍ରଶ୍ନବାଚୀ ଲଗାଇଛି।
ସଦର ଓ ସହରର ୬୭ଟି ମୌଜା ଅର୍ରଥାତ୍ ୨୭ ହଜାର ମାହାଲର ଜମି ଉପରେ କୌଣସି ନିର୍ମାଣ ନକ୍ସାର ପ୍ଲାନ୍ ଅନୁମୋଦନ ପାଇଁ ଏନ୍ଓସି ନମାଗିବାକୁ ଶ୍ରୀମନ୍ଦିର ପ୍ରଶାସନର ଉପ ପ୍ରଶାସକ ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ (ପିକେଡିଏ)କୁ ଚିଠି ଲେଖି (ନଂ-୩୪୬୦) ଜଣାଇଛନ୍ତି।
ଶ୍ରୀଜଗନ୍ନାଥଙ୍କ ସତେଇସି ହଜାରୀ ମାହାଲକୁ ହଜାର ହଜାର ଲୋକ ପିଢ଼ି ପିଢ଼ି ଧରି ଭୋଗ ଦଖଲ କରୁଛନ୍ତି। ଘରଦ୍ବାର ନିର୍ମାଣ କରି ରହିଛନ୍ତି। ପୁରୀ ସହର ବଢ଼ୁଥିବାରୁ ସଦର ଅଞ୍ଚଳରେ ବି ବସତି ଏବଂ ବିଭିନ୍ନ ପ୍ରକଳ୍ପ ନିର୍ମାଣ ହେଉଛି। ଏହି ସବୁ ନିର୍ମାଣ ପାଇଁ ପିକେଡିଏ ଯୋଜନା ଅନୁମୋଦନ କରୁଛି। ପ୍ରତିଟି ଯୋଜନା ଅନୁମୋଦନ ବେଳେ ପିକେଡିଏ ଶ୍ରୀମନ୍ଦିରରୁ ଏନ୍ଓସି ମାଗିଥାଏ। ପୂର୍ବରୁ କେତେକ ନିର୍ମାଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏନ୍ଓସି ମଧ୍ୟ ଦେଇଛି। ତେବେ ଏହି ସବୁ କଟକଣା ପୁରୀ ସହର ମଧ୍ୟରେ ସୀମିତ ଥିଲା। ମାତ୍ର ଏବେ ଶ୍ରୀମନ୍ଦିର ପ୍ରଶାସନ ସତେଇସି ହଜାରୀ ମାହାଲ ଉପରେ ଆଖି ପକାଇଛି। ଶ୍ରୀମନ୍ଦିର ପ୍ରଶାସନ ମହାପ୍ରଭୁଙ୍କର ୬୦ ହଜାର ଏକର ଜମି ଥିବା ରେକର୍ଡ ପାଇଥିବା ବେଳେ ଏବେ ଠାକୁରଙ୍କର ୧ ଲକ୍ଷ ୭୭ ହଜାର ଏକର ଜମିର ରେକର୍ଡ ମନ୍ଦିର ପ୍ରଶାସନ ହାତକୁ ଆସିଛି।