୧୧ କେଭିର ଟ୍ରାଜେଡି, ୪ ନିଲମ୍ବିତ
ଭୁବନେଶ୍ୱର(ଓଟି): ବ୍ରହ୍ମପୁର ନିକଟରେ ୧୧ କେଭିର ଟ୍ରାଜେଡିରେ ୧୦ଜଣଙ୍କ ଜୀବନ ଚାଲିଯାଇଛି। ବସ୍ରେ ଥିବା ଅନ୍ୟ ଆହତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତେବେ ଏହି ଦୁର୍ଘଟଣାକୁ ଜିଲ୍ଲା ପ୍ରଶାସନ ସମେତ ରାଜ୍ୟ ସରକାର ଗୁରତ୍ଵର ସହ ନେଇଛନ୍ତି। ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍ ତାର ଲାଗି ମୃତ୍ୟୁ ଘଟଣାରେ ୪ ଜଣ ଇଞ୍ଜିନିୟର ନିଲମ୍ବିତ ହୋଇଛନ୍ତି। ନିଲମ୍ବିତ ଅଧିକାରୀମାନେ ହେଲେ ବ୍ରହ୍ମପୁର ଇଲେକ୍ଟ୍ରିକାଲ ଡିଭିଜନ୍ର ଜେଇ ଓ ସହକାରୀ ଯନ୍ତ୍ରୀ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ଜେଇ ଓ ସହକାରୀ ଯନ୍ତ୍ରୀ।
ଲୋକସେବା ଭବନରେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦୁର୍ଘଟଣା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବା ପରେ ୪ଜଣଙ୍କ ନିଲମ୍ବନ ଲାଗି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। ବୈଠକରେ ଶକ୍ତି, ଗ୍ରାମ୍ୟ ଉନ୍ନୟନ ଓ ପରିବହନ ବିଭାଗ ସଚିବମାନେ ସାମିଲ ହୋଇଥିଲେ। ଅନ୍ୟପକ୍ଷରେ ଦୁର୍ଘଟଣାସ୍ଥଳରେ ଓହଳି ଥିବା ୧୧ କେଭି ତାରକୁ ଉଚ୍ଚ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି। ୧୧ କେଭି ତାର ରାସ୍ତା ଉପରୁ ୨୦ ଫୁଟ ଉଚ୍ଚରେ ରହିବାକୁ ଥିବାବେଳେ ବିଭାଗୀୟ ଜେଇ ୨୦ ଫୁଟରୁ ତଳେ ଥିବା ତାରକୁ ଚିହ୍ନଟ କରି ତୁରନ୍ତ ସର୍କଲ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଜଣାଇବେ। ଫଳରେ ଏହାର ପ୍ରତିକାର ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ। ସେହିଭଳି ବିଦ୍ୟୁତ୍ ନିରାପତ୍ତା ସମ୍ପର୍କରେ କର୍ମଶାଳା କରାଯିବ ବୋଲି ଶକ୍ତିମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି।











