ତୃତୀୟ ସଂକ୍ରମିତଙ୍କ ସଂସ୍ପର୍ଶରେ ୧୧୨ ବ୍ୟକ୍ତି, ୧୫ଜଣଙ୍କ ପତ୍ତା ମିଳୁନି
ଭୁବନେଶ୍ଵର, (ଓଟି): ରାଜ୍ୟରେ ତୃତୀୟ ଚିହ୍ନିତ କରୋନା ପଜିଟିଭ୍ ସଂକ୍ରମିତଙ୍କ ସଂସ୍ପର୍ଶରେ ୧୧୨ଜଣ ବ୍ୟକ୍ତି ଆସିଛନ୍ତି। ସେଥିରୁ ୧୫ ଜଣଙ୍କ ପାଖରେ ଏଯାଏ ସରକାରୀ କଳ ପହଞ୍ଚିପାରି ନାହିଁ। ଅନ୍ୟମାନଙ୍କୁ ଆବଶ୍ୟକ ଆସୋଲୋସନ (ଏକାନ୍ତବାସ)ରେ ରହିବାକୁ ପରାମର୍ଶ ଦିଆଯାଇଛି। ସ୍ଵାସ୍ଥ୍ୟ ବିଭାଗର କର୍ମଚାରୀ ଏବଂ ଜିଲ୍ଲା ପ୍ରଶାସନ ଏମାନଙ୍କ ଘର ଉପରେ ନଜର ରଖିଛନ୍ତି। ଏହି ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ମଧ୍ୟରୁ କିଛି ଲକ୍ଷଣ ଦେଖାଯିବାରୁ ୧୧ଟି ନମୁନାକୁ ପରୀକ୍ଷଣ ପାଇଁ ପଠାଯାଇଥିଲା। ସେଥିରୁ ଜଣଙ୍କ ସାମ୍ପଲ୍ ନେଗେଟିଭ୍ ଆସିଥିବା ବେଳେ ଅନ୍ୟ ୧୦ ଜଣଙ୍କ ସାମ୍ପଲ୍କୁ ଅପେକ୍ଷା କରାଯାଇଛି।
ଯେଉଁ ତୃତୀୟ କରୋନା ପଜିଟିଭ୍ଙ୍କୁ ଡାକ୍ତରଖାନାରେ ଚିକିତ୍ସିତ କରାଯାଉଛି ସେ ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତି। ଦିଲ୍ଲୀରୁ ଭୁବନେଶ୍ଵର ସେ ଇଣ୍ଡିଗୋ ବିମାନରେ ଆସିଥିଲେ। ଏହି ସମୟରେ ୩୨ଜଣ ଯାତ୍ରୀ ତାଙ୍କ ସଂସ୍ପର୍ଶରେ ଆସିଥିଲେ।ସେହିପରି ତାଙ୍କଘରେ ଝିଅ, ପତ୍ନୀ, ଡ୍ରାଇଭର ଏବଂ ତିନିଜଣ ସହାୟିକା ମଧ୍ୟ ରହିଛନ୍ତି। ଏହାଛଡ଼ା ସେ ବିଧାନସଭା ଡିସ୍ପେନ୍ସାରୀ ୭ଜଣ, କର କ୍ଲିନିକ୍ରେ ୨୧ଜଣ ଯେଉଁ ବ୍ୟାଙ୍କ୍ରେ ସେ କାର୍ଯ୍ୟ କରନ୍ତି ସେଠାରେ ୪୪ ଜଣ, ଯେଉଁ ପାଥୋ ଲ୍ୟାବ୍ରେ ସେ ରକ୍ତ ପରୀକ୍ଷାପାଇଁ ଯାଇଥିଲେ ସେଠାରେ ତିନିଜଣଙ୍କ ସଂସ୍ପର୍ଶରେ ଆସିଥିବା ରାଜ୍ୟ ସରକାର ଜଣାଇଛନ୍ତି।
ବିଶ୍ଵସ୍ଵାସ୍ଥ୍ୟ ସଂଗଠନର ନିୟମାବଳୀ ଅନୁସାରେ ଏହିସଂସ୍ପର୍ଶ ତାଲିକା ପ୍ରସ୍ତୁତ କରାଯାଇଛି।
ରାଜ୍ୟରେ ଏବେ କରୋନା ପଜିଟିଭ୍ ରୋଗୀଙ୍କ ସଂଖ୍ୟା ୩ ରହିଛି। ସେମାନଙ୍କୁ ହସ୍ପିଟାଲ୍ରେ ଚିକିତ୍ସା କରାଯାଉଛି। ଏମାନଙ୍କ ସ୍ଵାସ୍ଥ୍ୟବସ୍ଥା ଭଲ ରହିଛି। ତୃତୀୟ ରୋକୀଙ୍କ ଅବସ୍ଥାରେ ଉନ୍ନତି ଆସିଥିବା କୋଭିଡ୍-୧୯ ମୁଖପାତ୍ର ସୁବ୍ରତୋ ବାଗ୍ଚୀ କହିଛନ୍ତି। ସେ ହସ୍ପୀଟାଲ୍ ଖାଦ୍ୟ ଖାଉଛନ୍ତି ବୋଲି କୁହାଯାଇଛି।
ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ରାଜ୍ୟର ୨୫୬ଜଣଙ୍କ ସାମ୍ପଲ୍ ପରୀକ୍ଷା କରାଯାଇଛି। ଏ ଭିତରେ ୭୦୮୦ ଜଣ ସରକାରଙ୍କ ୧୦୪ ହେଲ୍ପଲାଇନ୍ରେ ପଞ୍ଜିକୃତ ହୋଇଛନ୍ତି ।ସେମାନଙ୍କ ଭିତରୁ ୪୨୮୬ ଜଣ ବିଦେଶରୁ ରାଜ୍ୟକୁ ଫେରିଥିବା ବେଳେ ୨୭୯୪ ଜଣ ବିଭିନ୍ନ ରାଜ୍ୟରୁ ଫେରିଛନ୍ତି। ସେମାନଙ୍କ ସ୍ଵାସ୍ଥ୍ୟାବସ୍ଥା ଉପରେ ସରକାରୀ କଳ ନଜର ରଖିଛି।
ଏବେ ବିଶ୍ଵର ୧୯୯ ରାଷ୍ଟ୍ରରେ କରୋନା କାୟା ବିସ୍ତାର କରିଛି। ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୬ଲକ୍ଷ ୦୧ ହଜାର ୫୨୦ ରହିଛି। ସେମାନଙ୍କ ଭିତରୁ ୨୭୪୪୧ଜଣଙ୍କ ମୃତ୍ୟୁ ଘଟିଛି।
ଭାରତରେ ଏବେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୦୮ ରହିଛି। ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ଶ୍ରୀ ବାଗ୍ଚୀ ଦର୍ଶାଇଛନ୍ତି।