ଚିନ୍ତା କରନ୍ତୁ : ଗୋଟିଏ ଆସନରେ ଯଦି ହଜାରେ ଅଧିକ ପ୍ରାର୍ଥୀ ହେବେ

କୌଣସି ନିର୍ବାଚନରେ ଗୋଟିଏ ଆସନ ପାଇଁ ଯଦି ଏକ ହଜାରରୁ ଅଧିକ ପ୍ରାର୍ଥୀ ଯଦି ନାମାଙ୍କନ କରି ନିର୍ବାଚନ ଲଢ଼ନ୍ତି ତେବେ କ’ଣ ହେବ? ଏହା କିଛି ନୂଆ କଥା ନୁହେଁ। ଭାରତରେ ଆଗରେ ଏଭଳି ହଜାର ସଂଖ୍ୟାରେ ପ୍ରାର୍ଥୀ ଗୋଟିଏ ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦ୍ୱୀତା କରିଛନ୍ତି। ବେଶି ପୁରୁଣା କଥା ନୁହେଁ, ୧୯୯୬ରେ ତାମିଲନାଡୁ ବିଧାନସଭା ନିର୍ବାଚନରେ ଇରୋଡ଼ ଜିଲ୍ଲାରେ ଥିବା ମୋଡ଼ାକୁରୁଚି ବିଧାନସଭା ଆସନ ପାଇଁ ୧୦୩୩ ଲୋକ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଏହି ଲୋକମାନେ ସ‍୍‌ଥାନୀୟ ସମସ୍ୟାର ସମାଧାନ ନ ହେବାରୁ ଏହାର ପ୍ରତିବାଦରେ ଏତେ ସଂଖ୍ୟାରେ ପ୍ରାର୍ଥୀପତ୍ର ଦାଖଲ କରି ନିର୍ବାଚନ ଲଢ଼ିବାକୁ ସ୍ଥିର କରିଥିଲେ।

ଏହି ଲୋକମାନଙ୍କ କହିବା କଥା ନିର୍ବାଚିତ ହୋଇଥିବା ବିଧାୟକ ସ୍ଥାନୀୟ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନ ନେବାରୁ ସେମାନେ ଏତେ ସଂଖ୍ୟାରେ ନିର୍ବାଚନ ଲଢ଼ିବାକୁ ସ୍ଥିର କରିଛନ୍ତି। ଲୋକମାନେ ଏତେ ଜିଦରେ ଥିଲେ ଯେ ଠିକଣା ସମୟରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିନଥିଲେ। ଯାହା ଫଳରେ ଲୋକମାନଙ୍କ ସମସ୍ୟା ଅପେକ୍ଷା ନିର୍ବାଚନ କମିଶନଙ୍କ ସମସ୍ୟା ବହୁ ଗୁଣରେ ବଢ଼ିଯାଇଥିଲା। ଏହି ସମସ୍ୟା ଏପରି ଉତ୍କଟ ହୋଇଥିଲା ଯେ ଏହି ଆସନର ନିର୍ବାଚନକୁ କମିଶନଙ୍କୁ ସ୍ଥଗିତ କରିବାକୁ ପଡ଼ିଥିଲା।

ବର୍ତ୍ତମାନ ସୁଦ୍ଧା ଏତେ ସଂଖ୍ୟକ ପ୍ରାର୍ଥୀ ହେବା ରେକର୍ଡ଼ ଅତୁଟ ରହିଛି। ସମସ୍ତ ପ୍ରାର୍ଥୀମାନଙ୍କୁ ନିର୍ବାଚନ ଚିହ୍ନ ପ୍ରଦାନ କରିବା ସମସ୍ୟା ଦେଖାଦେଇଥିଲା। ପରେ ଏହି ସମସ୍ୟାର ସମାଧାନ ପାଇଁ ଭୋଟ ଦେବା ପାଇଁ ବ୍ୟାଲଟ ପେପରକୁ ବହି ଆକାରରେ ଛପା ଯାଇଥିଲା। ବହି ସିନା ଛପା ହେଲା ମତଦାତାମାନେ ଭୋଟ ଦେବା ପାଇଁ ବହିକୁ ବହୁତ ସମୟ ଧରି ଓଲଟ ପାଲଟ କରିଥିଲେ।

ଏହି ନିର୍ବାଚନ ଫଳାଫଳ ଉପରେ ଦେଶବାସୀଙ୍କ ନଜର ଥିଲା। ବହି ଭଳି ବ୍ୟାଲଟ ପେପର ଯୋଗୁ ଭୋଟ ଗଣତିରେ ମଧ୍ୟ ବହୁ ବିଳମ୍ୱ ହୋଇଥିଲା। ଏହି ନର୍ବାଚନରେ ପ୍ରାର୍ଥୀ ସୁବ୍ୱୁଲକ୍ଷ୍ମୀ ୬୪,୪୩୬ ଭୋଟ ପାଇ ବିଜୟୀ ହୋଇଥିଲେ। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କିଟ୍ଟୁସ୍ୱାମୀଙ୍କୁ ୨୪,୮୯୬ ଭୋଟ ମିଳିଥିଲା।

ସେହି ସମୟରେ ତାମିଲନାଡ଼ୁର ଅନ୍ୟ ଦୁଇଟି ନିର୍ବାଚନ ମଣ୍ଡଳୀରେ ସମାନ ସମସ୍ୟା ଦେଖାଦେଇଥିଲା। ସେହି ନିର୍ବାଚନ ମଣ୍ଡଳୀରେ ହଜାରେ ସଂଖ୍ୟାରେ ପ୍ରାର୍ଥୀ ନଥିଲେ ହେଁ ମାତ୍ରାଧିକ ଯୋଗୁ ନିର୍ବାଚନ ସ୍ଥଗିତ ହୋଇଥିଲା।

ପ୍ରଥମ ସାଧାରଣ ନିର୍ବାଚନରେ ସମସ୍ୟା

ନିର୍ବାଚନରେ ପ୍ରାର୍ଥୀ ସଂଖ୍ୟା ବଢ଼ିଯିବା କାରଣରୁ ଏତେ ସମସ୍ୟା ହେଉଥିବାବେଳେ ଦେଶରେ ପ୍ରଥମ ସାଧାରଣ ନିର୍ବାଚନ ପାଇଁ କେତେ ଯେ ଅସୁବିଧା ହୋଇନଥିବ। କାରଣ ସେତେବେଳେ ଦେଶରେ ମତଦାତାଙ୍କ କୌଣସି ତାଲିକା ନଥିଲା। ଏପରି କି ଭୋଟ ବାକ୍ସ ନଥିଲାବେଳେ ଭୋଟ କେନ୍ଦ୍ର ବି ସ୍ଥିର ହୋଇନଥିଲା। ୮୫ ପ୍ରତିଶତ ମତଦାତା ନିରକ୍ଷର ଥିଲେ। ଏପରିକି ପାହାଡ଼ି ଓ ଦୁର୍ଗମ ଗାଁକୁ ପୋଲିଂ ପାର୍ଟି ପହଞ୍ଚିବାର କୌଣସି ବ୍ୟବସ୍ଥା ନଥିଲା। ଏହି ସବୁ ଅ୍ରଞ୍ଚଳରେ ଯାତାୟତ ପାଇଁ ସଡ଼କ ଓ ପୋଲ ନିର୍ମାଣ ପାଇଁ ସେ ସ୍ଥାନରେ ନିର୍ବାଚନ କରାଇବା ଜରୁରୀ ଥିଲା।

ଏତେ ସମସ୍ୟା ପରେ ବି ଦେଶର ପ୍ରଥମ ମୁଖ୍ୟ ନିର୍ବାଚନ କମିଶନର ସୁକୁମାର ସେନ ଦାୟିତ୍ୱର ସହିତ ସଫଳତା ପୂର୍ବକ ନିର୍ବାଚନ କରାଇଥିଲେ। ମିଳିଥିବା ସୂଚନା ଅନୁସାରେ ପ୍ରଥମ ସାଧାରଣ ନିର୍ବାଚନରେ ଆବଶ୍ୟକ ଭୋଟ ବାକ୍ସ ନିର୍ମାଣ ପାଇଁ ୮୨୦୦ଟନ ଷ୍ଟିଲର ଆବଶ୍ୟକ ପଡ଼ିଥିଲା। ଅନେକ ଚରଣରେ ନିର୍ବାଚନର ଭୋଟ ଗ୍ରହଣ ପ୍ରକ୍ରିୟା ଶେଷ ହୋଇଥିଲା। ଦେଶର ପ୍ରଥମ ଚରଣ ଭୋଟ ଗ୍ରହଣ ୧୯୫୧ ଅକ୍ଟୋବର ୨୫ ତାରିଖରେ ହୋଇଥିଲା। ଦେଶର ପ୍ରଥମ ଲୋକସଭା ୧୯୫୨ ଫେବ୍ରୁଆରି ୨ ତାରିଖରେ ବିଧିବଦ୍ଧ ଭାବରେ ଗଠନ ହୋଇଥିଲା।

ସେତେବେଳର ଆଜିର ଇଲେକ୍ଟ୍ରୋନିକ୍ସ ଭୋଟିଂ ମେସିନ ଯୁଗରେ ନୂଆ ପୀଢ଼ିର ମତଦାତାମାନଙ୍କର ଜାଣିବା ନିହାତି ଆବଶ୍ୟକ। କାରଣ ସେତେବେଳେ ଅଲଗା ଅଲଗା ପ୍ରାର୍ଥୀଙ୍କ ପାଇଁ ଅଲଗା ଅଲଗା ରଙ୍ଗର ଭୋଟ ବକ୍ସ ରଖାଯାଉଥିଲା। ମତଦାତାମାନେ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଭୋଟ ବକ୍ସରେ ବ୍ୟାଲଟ ପେପର ପକାଉଥିଲେ।

ପରେ ଏହି ବ୍ୟବସ୍ଥାକୁ ପରିବର୍ତ୍ତନ କରାଯାଇଥିଲା। କାରଣ କୌଣସି ପ୍ରାର୍ଥୀଙ୍କ ଭୋଟ ବକ୍ସ ପୁରି ଗଲେ ତାକୁ ପୁଣି ବଦଳାଇବାକୁ ପଡ଼ୁଥିଲା। ଫଳରେ ମତଦାନ ପ୍ରକ୍ରିୟାର ଗୋପନୀୟତା ଭଙ୍ଗ ହେଉଥିଲା। ଭୋଟ ଗଣତି ହେବା ପୂର୍ବରୁ କେଉଁ ପ୍ରାର୍ଥୀ ବିଜୟୀ ହେବ ତାହା ଜଣାପଡ଼ିଯାଉଥିଲା। ନୂଆ ବ୍ୟବସ୍ଥାରେ ନିଜ ପସନ୍ଦର ପ୍ରାର୍ଥୀଙ୍କ ନିର୍ବାଚନ ଚିହ୍ନରେ ମୋହର ଦେବା ପରେ ବ୍ୟାଲଟ ପେପରକୁ ଗୋଟି ସମସ୍ତ ପ୍ରାର୍ଥୀଙ୍କ ଥିବା ଗୋଟିଏ ଭୋଟ ବକ୍ସରେ ପକାଗଲା। ଇଲେକ୍ଟ୍ରୋନିକ୍ସ ଭୋଟିଂ ମେସିନ ଆସିବା ପରେ ଭୋଟ ବକ୍ସ, ବ୍ୟାଲଟ ପେପର, ମୋହର ସିଲ‍୍‌ ଏବେ ଇତିହାସ ପାଲଟି ଯାଇଛି।

ହଜି ଯାଇଛି ପ୍ରଚାର ଚିହ୍ନ

ଇଲେକ୍ଟ୍ରୋନିକ୍ସ ଭୋଟିଂ ମେସିନ ଯୁଗରେ ଭୋଟ ବକ୍ସ, ବ୍ୟାଲଟ ପେପର, ମୋହର ସିଲ‍୍‌ ସହିତ ନିର୍ବାଚନରେ ବ୍ୟବହାର ହେଉଥିବା ଚିହ୍ନ ସହିତ ପ୍ରଚାର ଚିହ୍ନ ବି ହଜି ଯାଇଛି। ଆଗରୁ ନିର୍ବାଚନ ସମୟରେ କୌଣସି ପ୍ରାର୍ଥୀଙ୍କର ପ୍ରଚାର ଗାଡ଼ି ଆସିଲେ ପିଲାଙ୍କଠାରୁ ଆରମ୍ଭ କରି ବୁଢ଼ାଙ୍କ ପର୍ଯ୍ୟନ୍ତ ସେମାନଙ୍କ ନିର୍ବାଚନ ଚିହ୍ନ ବା ପ୍ରାର୍ଥୀଙ୍କ ଚିତ୍ର ଥିବା ପ୍ରଚାର ପତ୍ର ପାଇବା ପାଇଁ ଦୌଡ଼ୁଥିଲେ। କିନ୍ତୁ ଏବେ ସେପରି ଦେଖିବାକୁ ମିଳୁନାହିଁ।

ପ୍ରଥମେ ଏହି ପ୍ରଚାର ଚିହ୍ନ ଟିଣରେ କରଯାଉଥିଲା। ପରେ କାଗଜ ଓ ପ୍ଲାଷ୍ଟିକରେ ତିଆରି କରାଗଲା। ଏହି ଚିହ୍ନ ଏତେ ଆକର୍ଷକ ଥିଲା ଯେ ତାହାକୁ ପାଇବା ପାଇଁ ସହରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଲୋକମାନଙ୍କ ମନରେ ଆଗ୍ରହ ରହିଥିଲା। କିନ୍ତୁ ଏବେର ପ୍ରାର୍ଥୀମାନେ ନିର୍ବାଚନ କମିଶନଙ୍କ।ହାନାରେ ସେଭଳି ପ୍ରଚାର ଚିହ୍ନ ବାଣ୍ଟୁନାହାନ୍ତି। ଯାହାକି ସତ ନୁହେଁ।

ଏପରିକି ନିର୍ବାଚନରେ ମହିଳାମାନଙ୍କୁ ପ୍ରଭାବିତ କରିବା ପାଇଁ ବିଭିନ୍ନ ରଙ୍ଗର ବିନ୍ଦିରେ ନିର୍ବାଚନ ଚିହ୍ନ ପ୍ରସ୍ତୁତ କରି ବାଣ୍ଟୁଥିଲେ। ଏପରି କି ଏହି ଚିହ୍ନ ମାଧ୍ୟମରେ ପ୍ରାର୍ଥୀମାନେ ନିଜ ବିରୋଧିଙ୍କୁ ବ୍ୟଙ୍ଗ କରି ପ୍ରଚାର କରୁଥିଲେ।

Leave a Reply

Your email address will not be published.