ନିର୍ବାଚନ ଘୋଷଣାପତ୍ର : ପ୍ରତି ପରିବାରକୁ ମାସିକ ୧୦ ଲିଟର ମଦ

ଗୃହିଣୀମାନଙ୍କୁ ଘର ଚଳାଇବା ପାଇଁ ମାସିକ ୨୫ ହଜାର ଟଙ୍କା
ନବ ବିବାହିତଙ୍କୁ ୧୦ଲକ୍ଷ ଟଙ୍କା ସହିତ ୧୦ଟି ସୁନା ଟଙ୍କା

ନିର୍ବାଚନ ଜିତିବା ପାଇଁ ପ୍ରାର୍ଥୀମାନେ ପ୍ରତିଶ୍ରୁତି ଦେବା ବେଳେ ନିଜର ତଥା ସମାଜର ମର୍ଯ୍ୟାଦାକୁ କିପରି ଭୂଲି ଯାଇ ପାରନ୍ତି ଏହାର ତାଜା ଉଦାହରଣ ଚଳିତ ନିର୍ବାଚନରେ ଦେଖିବାକୁ ମିଳିଛି। ତାମିଲନାଡୁର ଜଣେ ସ୍ୱାଧିନ ପ୍ରାର୍ଥୀ ପ୍ରତି ପରିବାରକୁ ମାସିକ ୧୦ ଲିଟର ମଦ ଦେବା ସହିତ ୨୫ ହଜାର ଟଙ୍କା ଦେବାକୁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଛନ୍ତି।

ତାମିଲନାଡୁ ରାଜ୍ୟର ଏରୋଡ ଜିଲ୍ଲା ଅନ୍ତ୍ୟୁର ଅଞ୍ଚଳର ମୂଳ ନିବାସୀ ଶେଖ୍ ଦାଉଦ‍୍‌ ପେଶାରେ ଜଣେ ସିଲେଇ କାମ କରୁଥିବା ବ୍ୟକ୍ତି। ଚଳିତ ନିର୍ବାଚନରେ ଦାଉଦ‍୍‌ ରାଜ୍ୟର ତିରୁପୁର ଲୋକସଭା ଆସନରୁ ସ୍ୱାଧିନ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ଏହି ନିର୍ବାଚନରେ ଜିତିବା ପାଇଁ ଦାଉଦ‍୍‌ ଯେପରି ବଡ ବଡ ପ୍ରତିଶ୍ରୁତି ଦେଇଛନ୍ତି ତାହା ଚର୍ଚ୍ଚାର ବିଷୟ ହୋଇଛି। ଯଦି ସେ ଳୋକସଭା ନିର୍ବାଚନ ଜିତିବେ ତେବେ ମଦ ବ୍ୟତୀତ ଗୃହିଣୀମାନଙ୍କୁ ଘର ଚଳାଇବା ପାଇଁ ମାସିକ ୨୫ ହଜାର ଟଙ୍କା ଦେବେ। ଏହା ଛଡା ନବବିବାହିତ ଦମ୍ପତ୍ତିମାନଙ୍କୁ ୧୦ଲକ୍ଷ ଟଙ୍କା ସହିତ ୧୦ଟି ସୁନା ମୁଦ୍ରା ମଧ୍ୟ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଏହି ଘୋଷଣା ପରେ ଦାଉଦ‍୍‌ ଦାବି କରିଛନ୍ତି ତାଙ୍କ ଦ୍ୱାରା ଘୋଷରା ହୋଇଥିବା ୧୫ ସୂତ୍ରୀ କାର୍ଯ୍ୟକ୍ରମ ଲୋକମାନଙ୍କର ହିତ ସାଧନ କରିବ। ୧୦ ଲିଟର ମଦ ସମ୍ପର୍କରେ ଦାଉଦ‍୍‌ କହିଛନ୍ତି, ଆଜିକାଲି ପ୍ରାୟତଃ ସମସ୍ତେ ମଦ ପିଉଛନ୍ତି। ଲୋକମାନେ ନକଲି ମଦ ପିଇ ନିଜ ସ୍ୱାସ୍ଥ୍ୟ ଖରାପ କରୁଛନ୍ତି। ତେଣୁ ସେ ପୁଡୁଚେରୀରୁ ଉତ୍ତମମାନର ମଦ ଆଣି ବିତରଣ କରିବେ।

Leave a Reply

Your email address will not be published. Required fields are marked *