ସୀମାନ୍ତରେ ସେନା ମରୁଛନ୍ତି; ସରକାର ଠିକରେ କାମ କରୁନି: ଭାଗବତ

ଲୋକସଭା ନିର୍ବାଚନ ପୂର୍ବରୁ ନେତାମାନଙ୍କର ବୟାନବାଜୀର ବହୁତ ଗୁରୁତ୍ୱ ରହିଥାଏ। କିନ୍ତୁ ଏହି ସମୟରେ ଗତକାଲି ଆରଏସଏସ ପ୍ରମୁଖ ମୋହନ ଭାଗବତ ଦେଇଥିବା ମନ୍ତବ୍ୟର ରାଜନୈତିକ ଗୁରୁତ୍ୱ କ’ଣ ରହିବ ତାହା ଏବେ ତର୍ଜମା କରାଯାଉଛି। ସେ କହିଛନ୍ତି ଏବେ ଦେଶ କାହା ସହିତ ଯୁଦ୍ଧ କରୁନାହିଁ। ତଥାପି ମଧ୍ୟ ସୀମାନ୍ତରେ ପ୍ରତିଦିନ ସେନା ମରୁଛନ୍ତି। ଏହାର କାରଣ ସରକାର ତାର କାମ ଠିକରେ କରୁନାହିଁ ବୋଲି ଆରଏସଏସ ପ୍ରମୁଖ ମୋହନ ଭାଗବତ ମୋଦି ସରକାରଙ୍କୁ କଟାକ୍ଷ କରିଛନ୍ତି। ନିର୍ବାଚନ ଅଳ୍ପ ଦିନ ରହିଥିବାବେଳେ ଭାଗବତଙ୍କ ଏଭଳି ବୟାନ ଶାସକ ବିଜେପି ତଥା ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି।

ଗତକାଲି ନାଗପୁରଠାରେ ଜାଗୃତି ସଂସ୍ଥାର ରଜତ ଜୟନ୍ତୀ ଅବସରରେ କହିଛନ୍ତି, ଦେଶକୁ କୌଣସି ଦେଶ ଆକ୍ରମଣ କରିନଥିଲେ ଓ କାହା ସହିତ ଯୁଦ୍ଧ ହେଉନଥିଲେ ବି ଆମ ସୈନିକ ମରୁଛନ୍ତି। ଆମେ ଠିକ୍ ଭାବରେ କାମ କରୁନଥିବାରୁ ସୀମାରେ ଆମ ସୈନିକ ମରୁଛନ୍ତି। ଭାଗବତ କହିଛନ୍ତି ଦେଶ ପରାଧିନ ଥିବାବେଳେ ଦେଶ ପାଇଁ ପ୍ରାଣବଳୀ ଦେବାକୁ ସମସ୍ତେ ପ୍ରସ୍ତୁତ ଥିଲେ। ଦେଶ ସ୍ୱାଧିନ ପରେ ଯୁଦ୍ଧ ସମୟରେ ସୈନିକଙ୍କୁ ସୀମା ପାରରେ ପ୍ରାଣବଳୀ ଦେବାକୁ ପଡ଼ୁଛି। କିନ୍ତୁ ଏବେ ସରକାରଙ୍କ କାମ ଠିକରେ ହେଉନଥିବାରୁ ସୈନିକ ମରୁଛନ୍ତି।

ଏହି ସମାବେଶରେ ଭାଗବତ କାହାର ନାମ ନେଇନଥିଲେ ବି କାହା ଉପରକୁ ଅଙ୍ଗୁଳି ଉଠାଇଛନ୍ତି ତାହା ସ୍ପଷ୍ଟ ଜଣାପଡୁଛି। ସେ କହିଛନ୍ତି ବର୍ତ୍ତମାନ ଦେଶରେ ଯେଉଁ ନୀତି ପ୍ରଚଳିତ ହେଉଛି ତା ଦ୍ୱାରା ସମସ୍ତେ ପ୍ରଭାବିତ ହେଉଛନ୍ତି। ଫଳରେ ଆମେ ସମସ୍ତେ ଏହାର କୁପରିଣାମ ଭୋଗୁଛେ ବୋଲି ଭାଗବତ କହିଛନ୍ତି।

Leave a Reply

Your email address will not be published. Required fields are marked *