ଶୁକ୍ରବାର ରାତିକୁ ସାବଧାନ, ୨୦ ସେଣ୍ଟିମିଟରରୁ ବି ଅଧିକ ବର୍ଷା ଆଶଙ୍କା

ଉପକୂଳ ଓଡ଼ିଶା ବିଶେଷକରି ପୁରୀ, ଗୋପାଳପୁର, ଚାନ୍ଦବାଲି ଅଞ୍ଚଳରେ ଶୁକ୍ରବାର ରାତି କାଳରାତି ଭାବେ ଆକଳନ କରାଯାଉଛି। ଏହି ଅଞ୍ଚଳରେ ସନ୍ଧ୍ୟାବେଳେ ସାମୁଦ୍ରିକ ଝଡ଼ବାତ୍ୟା ଫନି ବା ଫୋନି ସ୍ଥଳଭାଗ ଛୁଇଁବ। ଏହି ସମୟରେ ଏବଂ ତାହାର କିଛି ସମୟ ପୂର୍ବରୁ ଦକ୍ଷଣ ଏବଂ ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା, ଝଡ଼ ତୋଫାନ ଲାଗି ରହିବ। କିନ୍ତୁ ଶୁକ୍ରବାର ରାତିରେ ହଠାତ୍‌ ବର୍ଷା ପରିମାଣ କିଛି ସ୍ଥାନରେ ଅସ୍ଵଭାବିକ ଭାବେ ବଢ଼ିବା ଆଶଙ୍କା କରାଯାଉଛଇ। ଘଣ୍ଟାପ୍ରତି ୨୦୫ରୁ ୨୧୦ କିଲୋମିଟିର ବେଗରେ ପବନ ବହିବା ସହ ୨୦ ସେଣ୍ଟିମିଟର ବା ୨୦୦ ମିଲିମିଟିରରୁ ଅଧିକ ବର୍ଷା ହୋଇପାରେ ବୋଲି ଭାରତ ପାଣିପାଗ ବିଭାଗ ଆକଳନ କରିଛି।

ଗୁରୁବାର ସକାଳ ସାଢ଼େ୮ଟା ସୂଚନା ବୁଲେଟିନ୍‌ରେ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଫୋନିର ଗତିବିଧି ଉପରେ ବିଶାଖାପାଟଣାମ୍‌, ମଛଲି ପଟନମ୍‌ ଏବଂ ଚେନ୍ନାଇଠାରେ ଲଗାଯାଇଥିବା ଡପ୍‌ଲର ରାଡାର ସହାୟତାରେ ନଜର ରାଖାଯାଉଛି। ଏବେ ଏହି ସାମୁଦ୍ରିକ ଝଡ଼ବାତ୍ୟା ଫୋନିର କେନ୍ଦ୍ରସ୍ଥଳ ପୁରୀଠାରୁ ୪୫୦ କିଲୋମିଟର ଦକ୍ଷିଣ ଏବଂ ଦକ୍ଷିଣ ପଶ୍ଚିମ ଦିଗରେ ତଥା ବିଶାଖାବପାଟଣାଠାରୁ ୨୩୦ କିଲୋମିଟର ଏବଂ ଦୀଘାଠାରୁ ୬୫୦ କିଲୋମିଟର ଦୂରରେ ରହିଛି। ଏହା କ୍ରମଶଃ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରେ ଗତିକରି ଓଡ଼ିଶା ଉପକୂଳ ପାର କରିବା ସମ୍ଭାବନା ରହିଛି।

ବିଶେଷଜ୍ଞଙ୍କ ଆକଳନ ଅନୁସାରେ ଫୋନି ଶୁକ୍ରବାର ଅପରାହ୍ଣ ସାଢ଼େ ପାଞ୍ଚଟା ବେଳେ ପୁରୀ ଆଖପାଖରେ ଭୂମି ସ୍ପର୍ଶ କରିବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ସର୍ବାଧିକ ୧୭୦ କିଲୋମିଟର ରହିପାରେ। କିନ୍ତୁ ବର୍ଷା ୨୦ ସେଣ୍ଟିମିଟର ପାଖାପାଖି ହେବ।

ବିଶାଖା ପାଟଣା ନିକଟବର୍ତ୍ତୀ ହେଉଥିବା ଫୋନିର ପ୍ରଭାବ ଆଜି ସନ୍ଧ୍ୟା ସାଢ଼େ ୫ଟା ବେଳକୁ ଉତ୍କଟ ହେବ। ଏହି ସମୟରେ ଉପକୂଳ ଓଡ଼ିଶାରେ ପବନର ବେଗ ସର୍ବାଧିକ ୨୧୦ କିଲୋମିଟରକୁ ଛୁଇଁପାରେ। ଏହି ବର୍ଷା ଓ ତୋଫାନ ୫ ତାରିଖ ଯାଏ ଜାରି ରହିବ। ମୟୁରଭ୍ୟଞ୍ଜ ଓ ବାଲେଶ୍ଵରରେ ୪ ତାରିଖକୁ ପବନ ଓ ବର୍ଷା ଅଧକ ହେବା ଆଶଙ୍କା ରହିଛି। ଏହାପରେ ପଶ୍ଚିମବଙ୍ଗର ଗାଙ୍ଗେୟ ଉପକୂଳରେ ମଧ୍ୟ ଅତ୍ୟଧିକ ବର୍ଷା ଆଶଙ୍କା କରାଯାଇଛି।

Leave a Reply

Your email address will not be published.