ଶାରଦା ଚିଟଫଣ୍ଡ: ରାଜୀବ କୁମାରଙ୍କୁ ମିଳିଲାନି କଲିକତା ହାଇକୋର୍ଟଙ୍କ ସୁରକ୍ଷା
ଶାରଦା ଚିଟ ଫଣ୍ଡ ମାମଲାରେ ସିବିଆଇର ସମନ ବାବଦରେ ତୁରନ୍ତ ଶୁଣାଣି ପାଇଁ କୋଲକତା ପୁଲିସ କମିଶନର ରାଜୀବ କୁମାରଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି କଲିକତା ହାଇକୋର୍ଟ । ଏ ମାମଲାରେ କେନ୍ଦ୍ର ସରକାରଙ୍କ ଆପତ୍ତି ପରେ ଜଷ୍ଟିସ ଶିବକାନ୍ତ ପ୍ରସାଦ ଏହାକୁ ମଙ୍ଗଳବାର ଦିନ ପାଇଁ ତାଲିକାଭୁକ୍ତ କରିଛନ୍ତି । ସିବିଆଇ ପକ୍ଷରୁ ରାଜୀବ କୁମାରଙ୍କୁ ଜେରା ପାଇଁ ସମନ ପଠାଯାଇଥିବାରୁ ତାହା ଉପରେ ରୋକ ଲଗାଇବାକୁ ସେ ହାଇକୋର୍ଟରେ ଆବେଦନ କରିଥିଲେ ।
ଶାରଦା ଏବଂ ରୋଜ ଭ୍ୟାଲି ଦୁର୍ନୀତି ମାମଲାରେ ଗତକାଲି ସିବିଆଇ କୋଲକାତା ପୁଲିସ କମିସନରଙ୍କ ପଚରାଉଚରା ଲାଗି ତାଙ୍କ ବାସଭବନକୁ ଆସିଥିବା ବେଳେ ଏହାର ବିରୋଧ କରିଥିଲା ପଶ୍ଚିମବଙ୍ଗ ପୁଲିସ। ସିବିଆଇ ଅଧିକାରୀଙ୍କୁ ବଳପୂର୍ବକ ଥାନକୁ ନେଇଗଲା ପୁଲିସ୍। ଏହି ମୁହାଁମୁହିଁ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିବିଆଇର ମନମୁଖୀ କାର୍ଯ୍ୟାନୁଷ୍ଠାନ ବିରୋଧରେ ଧାରଣାରେ ବସିଛନ୍ତି। ତେଣେ ସିବିଆଇ ଠାରୁ ସୁରକ୍ଷା ଦେବା ଲାଗି ସୋମବାର କଲିକତା ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି କୋଲକାତା ପୁଲିସ କମିସନର ରାଜୀବ କୁମାର। ଚିଟଫଣ୍ଡ ଦୁର୍ନୀତିର ତଦନ୍ତ କରୁଥିବା ରାଜ୍ୟ ପୁଲିସର ଏସ୍ଆଇଟିର ମୁଖ୍ୟ ଥିବା ଆଇପିଏସ୍ରାଜୀବ କୁମାର ଅଭିଯୁକ୍ତଙ୍କ ବିରୋଧରେ ଥିବା ପ୍ରମାଣ ନଷ୍ଟ କରିଛନ୍ତି ବୋଲି ସିବିଆଇ କହିଛି।

ଶାରଦା ଏବଂ ରୋଜ ଭ୍ୟାଲି ଦୁର୍ନୀତି ମାମଲାରେ କୋଲକାତା ପୁଲିସ କମିସନର ରାଜୀବ କୁମାରଙ୍କୁ ସିବିଆଇ ପଚରାଉଚରା କରିବାର ଉଦ୍ୟମ ପରେ ରବିବାର ସଂଧ୍ୟାରେ ମମତା ବାନାର୍ଜୀ ଏହାକୁ ବିରୋଧ କରି ‘ଧାରଣା’ରେ ବସିଛନ୍ତି। ଅଧିକାଂଶ ବିପକ୍ଷ ଦଳ ସିବିଆଇକୁ ବିରୋଧ କରି ମମତା ବାନାର୍ଜୀଙ୍କୁ ତାଙ୍କ ସମର୍ଥନ ଦେଇଛନ୍ତି। ପଶ୍ଚିମବଙ୍ଗ ପୁଲିସ୍ତଦନ୍ତରେ ସହଯୋଗ କରୁନାହିଁ ବୋଲି ସିବିଆଇ ପକ୍ଷରୁ କରାଯାଇ ସୁପ୍ରିମ କୋର୍ଟରେ ମାମଲା ଦାୟର କରାଯାଇଛି, ଯାହାର ଶୁଣାଣି ମଙ୍ଗଳବାର ହେବ। ଅନ୍ୟପକ୍ଷରେ ରାଜ୍ୟ ପୁଲିସ ଓ କେନ୍ଦ୍ର ସରକାରଙ୍କ ତଦନ୍ତ ସଂସ୍ଥା ମୁହାଁମୁହିଁ ହେବା ପରେ ‘ସାମ୍ବିଧାନିକ ସଂକଟ’ ଉପୁଜିବା ପରିସ୍ଥିତି ସୃଷ୍ଟି ହୋଇଛି। ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ବିଜେପି ପକ୍ଷରୁ ଦାବି ହୋଇଛି।
ସୁପ୍ରିମ୍କୋର୍ଟରେ ଆସନ୍ତାକାଲି ଶୁଣାଣି

ଆସନ୍ତାକାଲି ସିବିଆଇ ଓ ପଶ୍ଚିମବଙ୍ଗ ପୁଲିସ ମଧ୍ୟରେ ଉପୁଜି ଥିବା ବିବାଦ ମାମଲାର ଶୁଣାଣି ହେବ ବୋଲି ଭାରତର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ସୋମବାର ଦିନ କହିଛନ୍ତି। ଶାରଦା ଚିଟ୍ ଫଣ୍ଡ୍ ମାମଲାରେ ଚାଲିଥିବା ତଦନ୍ତରେ ସହଯୋଗ କରିବାକୁ ପଶ୍ଚିମବଙ୍ଗ ସରକାର ଓ ପୁଲିସକୁ ନିର୍ଦେଶ ଦେବା ଲାଗି ସୋମବାର ଦିନ ସିବିଆଇ ସୁପ୍ରିମ୍ କୋର୍ଟରେ ଏକ ଅନ୍ତରୀଣ ଆବେଦନ କରିଥିଲେ। ସୁପ୍ରିମ୍ କୋର୍ଟଙ୍କର ପୂର୍ବ ଆଦେଶ ମାନୁ ନ ଥିବା ଦର୍ଶାଇ ସିବିଆଇ ଏଥିସହ ମମତା ବାନାର୍ଜୀ ପ୍ରଶାସନ ଏବଂ ରାଜ୍ୟ ପୁଲିସ ବିରୋଧରେ ଅଦାଲତ ଅବମାନନା କେସ୍ ମଧ୍ୟ ଦାଏର କରିଛି। ଆବେଦନରେ ଦର୍ଶାଯାଇଥିଲା କି, କୋଲ୍କାତା ପୁଲିସ କମିସନର୍ ରାଜୀବ କୁମାରଙ୍କୁ ବହୁଥର ସମନ୍ ଦିଆଯାଇଛି, କିନ୍ତୁ ସେ କୌଣସି ଜବାବ ନ ଦେଇ ତଦନ୍ତରେ ବାଧା ସୃଷ୍ଟି କରିଛନ୍ତି। ଆସନ୍ତାକାଲି ମାମଲା ଶୁଣାଣି ସମୟକୁ ସମସ୍ତ ଦଲିଲପତ୍ର ପ୍ରସ୍ତୁତ କରିବାକୁ ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ ହାଜର ହୋଇଥିବା ଆଡ୍ଭୋକେଟ୍ଙ୍କୁ ସୁପ୍ରିମ୍ କୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି। ସିବିଆଇକୁ ପ୍ରଧାନ ବିଚାରପତି କହିଛନ୍ତି ପ୍ରଥମେ ପ୍ରମାଣ ଉପସ୍ଥାପନ କର, ଯଦି କମିଶନରଙ୍କ ବିରୋଧରେ ପ୍ରମାଣ ଥାଏ ଓ ସେ ଦୋଷି ହୋଇଥାନ୍ତି ତାହାହେଲେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ସେପଟେ ପଶ୍ଚିମବଙ୍ଗ ବିବାଦ ନେଇ ରାଜ୍ୟପାଳ କେଶରୀନାଥ ତ୍ରିପାଠୀଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ । ଗତକାଲିଠାରୁ ଆରମ୍ଭ ହୋଇଥିବା ହାଇଭୋଲଟେଜ୍ ଡ୍ରାମା ନେଇ ବିସ୍ତୃତ ରିପୋର୍ଟ ମାଗିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ଡାକିଥିବା ରାଜନାଥଙ୍କୁ କହିଛନ୍ତି ରାଜ୍ୟପାଳ । ଏହି ବିବାଦ ଉପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତୀକ୍ଷଣ ନଜର ରଖିଛି ।

ସେପଟେ କୋଲାକତାସ୍ଥିତ ସିବିଆଇ କାର୍ଯ୍ୟାଳୟକୁ କଡା ସୁରକ୍ଷା ବଳୟ ଭିତରେ ରଖାଯାଇଛି । ସିଆରପିଏଫର ଯବାନମାନେ ସିବିଆଇ କାର୍ଯ୍ୟାଳୟକୁ ଘେରି ରହିଛନ୍ତି । ଗତକାଲି ସିବିଆଇ ଓ ପଶ୍ଚିମବଙ୍ଗ ପୁଲିସ ମୁହାଁମୁହିଁ ହେବା ପରେ ସିବିଆଇ କାଯ୍ୟାଳୟକୁ ଘେରାଉ କରିଥିଲା ବେଙ୍ଗଲ ପୁଲିସ୍ । ହେଲେ ସିଆରପିଏଫ୍ ଯବାନମାନେ ମୂତୟନ ହେବା ପରେ ପୁଲିସ ହଟିଯାଇଥିଲା।