ରାଜ୍ୟରେ ଆନ୍ତର୍ଜାତୀୟ ବିପର୍ଯ୍ୟୟ ପ୍ରଶମନ କେନ୍ଦ୍ର ପ୍ରତିଷ୍ଠା ପାଇଁ ପ୍ରସ୍ତାବ
ଭୁବନେଶ୍ୱର, (ଓଟି): ଓଡ଼ିଶାରେ ଆନ୍ତର୍ଜାତିକ ବିପର୍ଯ୍ୟୟ ପ୍ରଶମନ ଓ ପୁନରୁଦ୍ଧାର କେନ୍ଦ୍ର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ
ନବୀନ ପଟ୍ଟନାୟକ ମିଳିତ ଜାତିସଂଘ ଅଧିକାରୀମାନଙ୍କୁ ପ୍ରସ୍ତାବ ଦେଇଛନ୍ତି । କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ଅର୍ଥନୈତିକ ବ୍ୟାପାର ବିଭାଗ ନେତୃତ୍ୱରେ ଓଡ଼ିଶା ଗସ୍ତରେ ଆସିଥିବା ମିଳିତ ଜାତିସଂଘ, ବିଶ୍ୱବ୍ୟାଙ୍କ, ଏସୀୟ ଉନ୍ନୟନ ବ୍ୟାଙ୍କ ଓ ଅନ୍ୟ ଆନ୍ତର୍ଜାତିକ ସଂଗଠନର ଅଧିକାରୀମାନଙ୍କ ସହ ଆଲେଶଚନା ବେଳେ ଶ୍ରୀ ପଟ୍ଟନାୟକ ଏହି ପ୍ରସ୍ତାବ ଉଲ୍ଲେଖ କରିଛନ୍ତି।
ଏହି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ଯେ ବିଶ୍ୱବ୍ୟାପି ସାମୂହିକ ଜନସ୍ୱାର୍ଥ ବିକାଶ କ୍ଷେତ୍ରରେ ମିଳିତ
ଜାତିସଂଘର ଭୂମିକା ଅତୀବ ଗୁରୁତପୂଣ୍ଣ । ତେଣୁ ଓଡ଼ିଶାରେ ଆନ୍ତର୍ଜାତିକ ବିପର୍ଯ୍ୟୟ ପ୍ରଶମନ ଓ ପୁନରୁଦ୍ଧାର କେନ୍ଦ୍ର ପ୍ରତିଷ୍ଠା କରିବା ନେଇ ୟୁନାଇଟେଡ୍ ନେସନ୍ସ ୟୁନିଭରସିଟି ଜରୁରୀ ପଦକ୍ଷେପ ନେବା ଆବଶ୍ୟକ । ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଓ ପୁନରୁଦ୍ଧାର କ୍ଷେତ୍ରରେ ଓଡ଼ିଶା ବିଶଦ ଜ୍ଞାନ ଓ ଦକ୍ଷତା ହାସଲ କରିପାରିଛି ।
ଏହି ଅନୁଭୂତି, ଜ୍ଞାନ ଓ ଦକ୍ଷତାକୁ ସାରା ବିଶ୍ୱରେ ବିନିଯୋଗ କରିବା ସଙ୍ଗେ ସଙ୍ଗେ ଆନ୍ତର୍ଜାତିକ ସ୍ତରର ମାନକ ଓ ବୈଷୟିକ ଜ୍ଞାନକୌଶଳ ବିକଶିତ ହେବା ଜରୁରୀ । ରାଜଧାନୀ ଭୁବନେଶ୍ୱରରେ ଏହି କେନ୍ଦ୍ର ପ୍ରତିଷ୍ଠା ହେଲେ ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇଦେବେ । ବିପର୍ଯ୍ୟୟ ନିରୋଧକ ବିଦୁ୍ୟତ ଶକ୍ତି ଭିତ୍ତିଭୂମି ଓ ଶକ୍ତିଶାଳୀ ଯୋଗାଯୋଗ ନେଟ୍ୱାର୍କର ବିକାଶ ସହ ଜୀବନଜୀବିକା ପୁନରୁଦ୍ଧାର ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗୁରୁତ୍ୱାରୋପ କରିଥିଲେ । ଓଡ଼ିଶାରେ ମିଳିତ ଜାତିସଂଘ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା କାର୍ଯ୍ୟକ୍ରମରେ ସଂଶୋଧନ ଆଣି ବିପର୍ଯ୍ୟୟ ପ୍ରଶମନ ଓ ପୁନରୁଦ୍ଧାରକୁ ଏଥିରେ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ ।
ଫନୀ ବାତ୍ୟାର ଅବ୍ୟବହିତ ପୂର୍ବରୁ ଓଡ଼ିଶା ସରକାରଙ୍କ ବ୍ୟାପକ ସ୍ଥାନାନ୍ତର ଉଦ୍ୟମକୁ ଭୂୟସୀ ପ୍ରଶଂସା କରି ମିଳିତ ଜାତିସଂଘ ଦଳ ଓଡ଼ିଶା ସରକାରଙ୍କ ସମୟୋପଯୋଗୀ ଓ ତ୍ୱରିତ ଉଦ୍ୟମ ଯୋଗୁଁ ବହୁ ରାଜ୍ୟବାସୀଙ୍କ ଜୀବନ ରକ୍ଷା ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ । ରାଜ୍ୟ ସରକାରଙ୍କ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ବେଶ୍ ପ୍ରଶଂସନୀୟ ବୋଲି କହିବା ସହ ମିଳିତ ଜାତିସଂଘ ଦଳ ଏହି କାର୍ଯ୍ୟରେ ପୂଣ୍ଣ ସହଯୋଗ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।