ରାଜନୀତିରେ ଅପରାଧ ଚିନ୍ତା: ଏସ୍‌ସିଙ୍କ ନୂଆ ନିର୍ଦ୍ଦେଶ

ନୂଆଦିଲ୍ଲୀ(ଓଟି): ଯେତେ ନିୟମ କଡ଼ାକଡ଼ି ହେଲେ ମଧ୍ୟ ରାଜନୀତିରେ ଅପରାଧିକ ମାମଲା ବଢ଼ିବାରେ ଲାଗିଛି। ଏହା ସମାଜ ପାଇଁ ବଡ଼ ସମସ୍ୟା ସୃଷ୍ଟି କରୁଛି। ବିଭିନ୍ନ ରାଜନୀତିକ ଦଳ ଏଦିଗରେ ପୂର୍ଣ୍ଣ ସଜାଗ ହେଉନଥିବାରୁ ଅପରାଧିକ ମାମଲାରେ ସମ୍ପୃକ୍ତ ବ୍ୟକ୍ତିବିଶେଷ ରାଜନୀତି କ୍ଷେତ୍ରରେ ପଶି ନିର୍ଦ୍ଵନ୍ଦ୍ଵରେ ନିଜ ଦୋଷକୁ ଘଣ୍ଟ ଘୋଡ଼ାଇ ରଖୁଥିବା ଅନେକ ଅଭିଯୋଗ ହେଉଛି। ସମ୍ପ୍ରତି ଦେଶର ଏଭଳି ସମସ୍ୟାକୁ ଦୃଷ୍ଟିରେ ରଖି ସୁପ୍ରିମ୍‌କୋର୍ଟରେ ଏକ ଆବେଦନ ହୋଇଥିଲା। ସେନେଇ ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ସମସ୍ତ ରାଜନୀତିକ ଦଳଙ୍କୁ ଜବାବ ତଲବ କରିଛନ୍ତି। କେଉଁ ଆଧାରରେ ଜଣେ ଅପରାଧ ପୃଷ୍ଠଭୂମିରେ ସାମିଲ ଥିବା ବ୍ୟକ୍ତିଙ୍କୁ ନିର୍ବାଚନରେ ଟିକେଟ ଦିଆଯାଇଛି ସେ ନେଇ ଉତ୍ତର ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଆର୍‌ଏଫ୍‌ ନରିମନ ଏବଂ ଏସ୍ ରବୀନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠ ଆଜି କହିଛନ୍ତି ଯେ ପ୍ରାର୍ଥୀ ଘୋଷଣା କରିବାର ୪୮ ଘଣ୍ଚା ମଧ୍ୟରେ ଦଳୀୟ ଓ୍ୱେବସାଇଟ ଓ ସୋଶାଲ ମିଡିଆରେ ସମ୍ପୃକ୍ତ ପ୍ରାର୍ଥୀଙ୍କ ଅପରାଧିକ ରେକର୍ଡ ଆଦି ଅପଲୋଡ୍ କର। ଏଥିସହ ମୁଦ୍ରିତ ଅନ୍ୟ ପ୍ରମୁଖ ଗଣମାଧ୍ୟମଗୁଡ଼ିକରେ ମଧ୍ୟ ପ୍ରକାଶ କରିବାକୁ ଆଦେଶ ଦିଆଯାଇଛି। ସେହିପରି ୭୨ ଘଣ୍ଟା ମଧ୍ୟରେ ନିର୍ବାଚନ କମିଶନଙ୍କ ନିକଟରେ ସବୁ ତଥ୍ୟ ଓ ଉତ୍ତର ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି। ଏହି ନିର୍ଦ୍ଦେଶ ନମାନିଲେ କୋର୍ଟ ଅବମାନନା ମାମଲା ରୁଜୁ ହୋଇପାରିବ ବୋଲି ଖଣ୍ଡପୀଠ କହିଛନ୍ତି। ରାଜନୀତିକୁ ଅପରାଧ ମୁକ୍ତ କରିବା ନେଇ ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟ ସୁପ୍ରିମ କୋର୍ଟରେ ଆବେଦନ କରିବା ସହ ନିର୍ବାଚନ ଆୟୋଗଙ୍କୁ କୋର୍ଟ ନିର୍ଦ୍ଦେଶ ଦେବା ଦରକାର ବୋଲି ସେ ଅନୁରୋଧ କରିଥିଲେ। ତେବେ କୋର୍ଟ ଏହି ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କୁ ରିପୋର୍ଟ ତଲବ କରି ଏକ ଫ୍ରେମଓ୍ୱାର୍କ ତିଆରି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଥିଲେ।

Leave a Reply

Your email address will not be published. Required fields are marked *