ମହାରାଷ୍ଟ୍ର ସରକାର: ‘ପଦ’ କୁ ନେଇ ଶିବସେନାର ଅସନ୍ତୋଷ
ମୁମ୍ବାଇ: ଏନ୍ସିପି ଆଉ କଂଗ୍ରେସକୁ ମିଳିଗଲା ବଡ଼ବଡ଼ ବିଭାଗ । ସେମାନଙ୍କ ବିଭାଗ ପାଇଲେ ବଡ଼ବଡ଼ ପଦବୀ । ଏଭଳି ଅସନ୍ତୋଷ ପ୍ରକାଶ କରିଛନ୍ତି ଶିବସେନାର ବିଧାୟକବୃନ୍ଦ । ହଁ, ମହାରାଷ୍ଟ୍ର ସରକାରରେ ବିଭାଗ ତଥା ପଦବୀ ବଣ୍ଟନ ପରେ ଏଭଳି ବିବାଦ ଘନେଇଛି । ଦଳୀୟ ଆଭିମୁଖ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଶିବସେନାର ଅନେକ ନେତା ।
ରାଜ୍ୟପାଳ ଭଗତ ସିଂହ କେଶିଆରୀ ବିଭାଗ ବଣ୍ଟନକୁ ଅନୁମୋଦନ କରିବା ପରେ ଏହାକୁ ନେଇ ଶିବସେନାରେ ଅସନ୍ତୋଷ ପ୍ରକାଶ ପାଇଛି ।
ଉଦ୍ଧବଙ୍କ ସରକାରରେ ମୁଖ୍ୟମନ୍ତ୍ରୀଙ୍କ ସମେତ ୪୩ ମନ୍ତ୍ରୀ ରହିଛନ୍ତି । ସେଥିରେ ୩୩ ଜଣ କ୍ୟାବିନେଟ୍ ଓ ୧୦ ଜଣ ରାଜ୍ୟପାହ୍ୟା ମନ୍ତ୍ରୀ । ତେବେ ଶିବସେନା ପାଖରେ ରହିଛି ୧୫ଟି ବିଭାଗ। ବାକି ବିଭାଗ ସରସକାରରେ ସହଯୋଗ କରିଥିବା ଅନ୍ୟଦଳମାନଙ୍କ ପାଖକୁ ଯାଇଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ନିଜ ପାଖରେ ସାଧାରଣ ପ୍ରଶାସନ, ସୂଚନା ଓ ଲୋକସମ୍ପର୍କ, ଆଇନ ବିଭାଗ ରଖିଥିବାବେଳେ ଏନ୍ସିପି ନିକଟରେ ଉପମୁଖ୍ୟମନ୍ତ୍ରୀ ପଦବୀ ସମେତ ଗୃହ, ଜଳସେଚନ, ପରିବହନ, ଖାଦ୍ୟ, ଅର୍ଥ, ସାମାଜିକ ନ୍ୟାୟ ଓ ସଂଖ୍ୟାଲଘୁ ବିଭାଗ ଆଦି ରହିଛି । ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି ଅଜିତ୍ ପାୱାର । ଅନୁରୂପ ଭାବେ ବିଧାୟକ ଅନୀଲ ଦେଶମୁଖଙ୍କ ନିକଟରେ ଗୃହ ଓ ଛଗନ ଭୂଜବଳଙ୍କ ପାଖରେ ରହିଛି ଖାଦ୍ୟ ଓ ସାମାଜିକ ନ୍ୟାୟ ବିଭାଗ । ଉଦ୍ଧବଙ୍କ ପୁଅ ଆଦିତ୍ୟଙ୍କ ପାଖରେ ରହିଛି ପର୍ଯ୍ୟଟନ ବିଭାଗ ଏବଂ କଂଗ୍ରେସ ନିକଟରେ ରାଜସ୍ୱ, ସ୍ୱାସ୍ଥ୍ୟ ଓ ପିଡବ୍ଲ୍ୟୁଡି ଆଦି ରହିଥିବା ସୂଚନା ମିଳିଛି । ତେବେ ଏହି ବିଭାଗ ଭାଗବଣ୍ଟାକୁ ନେଇ କୁହୁଳୁଥିବା ଅସନ୍ତୋଷକୁ ମୁଖ୍ୟମନ୍ତ୍ରୀ କେଉଁଭଳି ଭାବେ ନିୟନ୍ତ୍ରଣ କରୁଛନ୍ତି ତାହା ସମୟ କହିବ ।