ପ୍ରମୋଦ ଭଗତ ଓ ଶ୍ରୀମତୀ ଭଦ୍ରାଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ଓ ସାହସିକତା ପୁରସ୍କାର
ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ପଟ୍ଟନାୟକ କ୍ରୀଡ଼ା ସାହସିକତା ଓ ସମାଜସେବା ପୁରସ୍କାର ପ୍ରଦାନ କରାଯାଇଛି। ବ୍ୟାଡମିଣ୍ଟନରେ ବିଶ୍ୱ ଚାମ୍ପିଅନସିପ ହାସଲ କରିଥିବା ପ୍ରମୋଦ ଭଗତ ଏବଂ ସାହସିକତାରେ ବନ୍ଧୁଙ୍କୁ ଦୁର୍ଘଟଣାରେ ବଞ୍ଚାଇଥିବା ଅନୁଗୁଳର ଛୋଟ ଝିଅ ଶ୍ରୀମତୀ ଭଦ୍ରାଙ୍କୁ ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ କରାଯାଇଛି । ଉଭୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଛି ।
ପୁରସ୍କାର ପ୍ରଦାନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ପ୍ରତିଭାବାନ ଖେଳାଳିମାନେ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଉଲ୍ଲେଖନୀୟ କୃତିତ୍ୱ ହାସଲ କରୁଛନ୍ତି । ସେମାନଙ୍କ ଏହି ସଫଳତା ଓ କ୍ରୀଡ଼ା ପାଇଁ ଅବଦାନ ଯୁବ ପ୍ରତିଭାମାନଙ୍କୁ ଉତ୍ସାହିତ କରିବ ।
ଭୁବନେଶ୍ୱରରେ ବର୍ତ୍ତମାନ ଧୀରେ ଧୀରେ ଦେଶର କ୍ରୀଡ଼ା ରାଜଧାନୀ ଭାବରେ ପ୍ରତିଷ୍ଠା ହାସଲ କରୁଛି । କ୍ରୀଡ଼ା ପରିଚାଳନାରେ ଏହା ଆନ୍ତର୍ଜାତୀୟ ସ୍ୱୀକୃତି ପାଇଛି । ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପ, ପୁରୁଷ ହକି ବିଶ୍ୱ ଲିଗ୍ ଫାଇନାଲ ଓ ପୁରୁଷ ହକି ବିଶ୍ୱକପ୍ର ସଫଳ ଆୟୋଜନ ପରେ ଏବେ ୧୭ ବର୍ଷ ବୟସରୁ କମ୍ ମହିଳା ହକି ବିଶ୍ୱକପ୍ କ୍ରୀଡ଼ା ଆୟୋଜନର ଆଶା ଉଜ୍ଜ୍ୱଳ ହୋଇଛି ।
କ୍ରୀଡ଼ା ଆକାଶରେ ଭୁବନେଶ୍ୱର ଏବେ ଏକ ଉଜ୍ଜ୍ୱଳ ତାରକା ଭାବେ ସୁନାମ ଅର୍ଜନ କରିଛି । ବିଭିନ୍ନ କ୍ରୀଡ଼ା କ୍ଷେତ୍ର ଯଥା ଆଥଲେଟିକ୍ସ, ଫୁଟବଲ, ଟେନିସ, ବ୍ୟାଡମିଣ୍ଟନ ଓ ଅନ୍ୟାନ୍ୟ ଖେଳରେ ଯୁବ ପ୍ରତିଭାମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ପ୍ରତିଷ୍ଠିତ ଟ୍ରେନିଂ ଇନ୍ଷ୍ଟିଚ୍ୟୁଟମାନଙ୍କ ସହିତ ସହବନ୍ଧନ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଯୁବ କଲ୍ୟାଣ ବୋର୍ଡର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ବିଜୟ ନାୟକ, କ୍ରୀଡ଼ା ବିଭାଗ ପ୍ରମୁଖ ସଚିବ ବିଶାଳ ଦେବ, ନିର୍ଦ୍ଦେଶକ ଭିଲିନ୍ କ୍ରିଷ୍ଣନ୍ ପ୍ରମୁଖ ଉପସ୍ଥିତ ଥିଲେ ।