ପଶ୍ଚିମବଙ୍ଗ ଚିଟ୍‌ ଫଣ୍ଡ ମାମଲା;ରାଜୀବ ତଦନ୍ତରେ ସହଯୋଗ କରିବାକୁ ବାଧ୍ୟ: ସୁପ୍ରିମ୍‌କୋର୍ଟ

କୋଲକତା ପୁଲିସ୍‌ କମିଶନର ରାଜୀବ କୁମାର ବହୁଚର୍ଚ୍ଚିତ ଚିଟ୍‌ଫଣ୍ଡ ଦୁର୍ନୀତିର ତଦନ୍ତରେ ସହଯୋଗ କରୁନଥିବା ନେଇ ଆରମ୍ଭ ହୋଇଥିବା ମହାଭାରତରେ ଏବେ ନୂଆ ମୋଡ଼ ଆସିଛି। ଲଗାତାର ସିବିଆଇ ସମନ୍‌କୁ ଏଡ଼ାଇ ଆସୁଥିବା ରାଜୀବଙ୍କ ବାସଭବନକୁ ସିବିଆଇର ଟିମ୍‌କୁ ଯିବାକୁ ନଦେବା ସହ ଘଉଡ଼ାଇବା ପାଇଁ ପୁଲିସ ବଳ ପ୍ରୟୋଗ ପରେ ସୁପ୍ରିମ୍‌କୋର୍ଟରେ ସିବିଆଇ କରିଥିବା ଆବେଦନର ଆଜି ଶୁଣାଣି ହୋଇଛି। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗେଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ମାମଲାର ଶୁଣାଣି ଆରମ୍ଭ କରି କହିଛନ୍ତି ଯେ, ପୁଲିସ କମିସନର ରାଜୀବ କୁମାର ସିବିଆଇ ନିକଟରେ ମାମଲାର ତଦନ୍ତ ପାଇଁ ଉପଲବ୍ଧ ହେବା ସହିତ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ।

କୋଲକାତା ପୁଲିସ କମିସନରଙ୍କୁ ଗିରଫ କର ନାହିଁ : ସୁପ୍ରିମ କୋର୍ଟ

ତେବେ ସିବିଆଇ ଶ୍ରୀ କୁମାରଙ୍କୁ ଗିରଫ କରି ପାରିବ ନାହିଁ। କୋର୍ଟ ତାଙ୍କର ରାୟରେ ସ୍ପଷ୍ଟ କରିଛନ୍ତି ଯେ ସିବିଆଇ ଶ୍ରୀ କୁମାରଙ୍କୁ ପଚରାଉଚରା କରି ପାରିବେ। ମାତ୍ର ତାଙ୍କୁ ଗିରଫ କରି ପାରିବେ ନାହିଁ ବୋଲି ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ ଏହି ଘଟଣାରେ ପଶ୍ଚିମବଙ୍ଗ ମୁଖ୍ୟଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ ଓ ପୁଲିସ କମିସନର ଶ୍ରୀ କୁମାରଙ୍କୁ ଅଦାଲତ ଅବମାନନା ନୋଟିସ ଜାରି କରିଛନ୍ତି। ଚଳିତ ଫେବ୍ରୁଆରି ମାସ ୨୦ ତାରିଖ ସୁଦ୍ଧା ଏହି ନୋଟିସର ଉତ୍ତର ରଖିବାକୁ ସୁପ୍ରିମ କୋର୍ଟ ଏହି ୩ ଜଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆଜି ସକାଳେ ଏହି ମାମଲାର ଶୁଣାଣି ଆରମ୍ଭ ପୂର୍ବରୁ ସିବିଆଇ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେ କେ ଭେନୁଗୋପାଲ ସତ୍ୟପାଠ ଜରିଆରେ ଜଣାଇଥିଲେ ଯେ ଶାରଦା ଚିଟ୍‌ଫଣ୍ଡ ମାମଲାର ତଦନ୍ତ କରୁଥିବା ଏସଆଇଟି ମୁଖ୍ୟ ରାଜୀବ କୁମାର ଘଟଣାର ତଦନ୍ତ ସମୟରେ ଅଭିଯୁକ୍ତମାନଙ୍କ ଠାରୁ ଜବତ ହୋଇଥିବା ଲାପ୍‌ଟପ୍‌ ଓ ମୋବାଇଲରୁ ସମସ୍ତ ତଥ୍ୟ ସଂଗ୍ରହ ନ କରି ଏହି ଲାପଟପ୍‌ ଓ ମୋବାଇଲକୁ ସେମାନଙ୍କୁ ଫେରାଇ ଦେଇଥିଲେ। ତେଣୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବଳରେ ସିବିଆଇ ତଦନ୍ତ ଆରମ୍ଭ କରିବା ସମୟରେ ବହୁ ତଥ୍ୟ ମିଳି ନ ଥିଲା ବୋଲି ସିବିଆଇ ସତ୍ୟପାଠରେ ଜଣାଇଛି।

ରାଜୀବ କୁମାର ମେଘାଳୟର ଶିଲଂଠାରେ ସିବିଆଇ ନିକଟରେ ଉପସ୍ଥିତ ରହିବେ

ସୁପ୍ରିମ୍‌କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ରାଜୀବ କୁମାର ମେଘାଳୟର ଶିଲଂଠାରେ ସିବିଆଇ ନିକଟରେ ଉପସ୍ଥିତ ରହି ଏହି ମାମଲାର ତଦନ୍ତରେ ସହଯୋଗ କରିବେ। ଆଜି ସୁପ୍ରିମ୍‌କୋର୍ଟ ପ୍ରଧାନବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇ କହିଥିଲେ ସେ ତଦନ୍ତରେ ସହଯୋଗ କରିବାକୁ ବାଧ୍ୟ।

ଚଳିତ ମାସ ୨୦ ତାରିଖରେ ହେବାକୁ ଥିବା ଶୁଣାଣି ପୂର୍ବରୁ ମୁଖ୍ୟ ଶାସନ ସଚିବ, ଡିଜିପି ଏବଂ ରାଜୀବଙ୍କ ପକ୍ଷ ଶୁଣିବା ପରେ ଯାଇ କୋର୍ଟରେ ସେମାନଙ୍କ ବ୍ୟକ୍ତିଗତ ଉପସ୍ଥିତି କଥା ବିଚାର କରାଯିବ ବୋଲି କୋର୍ଟ କହିଛନ୍ତି।

ମଙ୍ଗଳବାର ସୁପ୍ରିମ୍‌କୋର୍ଟ ରାଜୀବଙ୍କ ଗିରଫଦାରୀ ଉପରେ ରୋକ୍‌ ଲଗାଇଥିଲେ ମଧ୍ୟ ଶାରଦା ଚିଟ୍‌ଫଣ୍ଡ ବାବଦରେ ସମସ୍ତ ପ୍ରମାଣ ସିବିଆଇକୁ ହସ୍ତାନ୍ତର କରିବାକୁ ତାଗିଦ୍‌ କରି କହିଛନ୍ତି। ରାଜୀବ ମହଜୁଦ ରହିଥିବା ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ଅଭିଯୁକ୍ତଙ୍କ ଢାଲ ସାଜିଛନ୍ତି ବୋଲି କେନ୍ଦ୍ର ସରକାର ଏବଂ ସିବିଆଇର ଆବେଦନ ଆଧାରରେ ସୁପ୍ରିମ୍‌କୋର୍ଟ ଆଜି ଏହି ଶୁଣାଣି କରିଛନ୍ତି।

ଗଣତନ୍ତ୍ରର ବିଜୟ : ମମତା ବାନାର୍ଜୀ

ଅନ୍ୟପକ୍ଷରେ ସୁପ୍ରିମ୍‌କୋର୍ଟଙ୍କ ରାୟକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗଣତନ୍ତ୍ରର ବିଜୟ କହି ସ୍ୱାଗତ ଜଣାଇଛନ୍ତି। ସେ କହିଛନ୍ତି, ଚିଟ୍‌ଫଣ୍ଡ ଦୁର୍ନୀତିରେ ଅନେକ ଲୋକ ଜଡ଼ିତ ଅଛନ୍ତି। ଆସାମର ପୂର୍ବତନ ଉପମୁଖ୍ରମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ବିଷୟରେ ଆଜି ସନ୍ଧ୍ୟା ସୁଦ୍ଧା ତଥ୍ୟ ଦେବି। ବାବୁଲ ସୁପ୍ରିୟୋଙ୍କ ବିଷୟରେ ମଧ୍ୟ ତଥ୍ୟ ଦେବି।

ଅନ୍ୟପକ୍ଷରେ ଆଜି ସରକାରଙ୍କ ପକ୍ଷ ରଖୁଥିବା ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଲ ରାଓ କହିଥିଲେ, ପଶ୍ଚିମବଙ୍ଗରେ ଯେଉଁଭଳି ଘଟଣା ଘଟିଲା ତାହା ସମ୍ବିଧାନ ଓ ବିଧିବ୍ୟବସ୍ଥାର ଉଲ୍ଲଂଘନ।

ସୂଚନାଯୋଗ୍ୟ ଯେ, ରାଜୀବ ସରକାରୀ ଦଳର ବହୁ ବରିଷ୍ଠ ନେତା ଜଡ଼ିତ ଥିବା ଚିଟ୍‌ଫଣ୍ଡ ଦୁର୍ନୀତିର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ହଜାଇ ସରକାରଙ୍କୁ ବଞ୍ଚାଇ ଆସିଥିବା ଅଭିଯୋଗ କରିଛି ସିବିଆଇ। ରାଜୀବ ସିବିଆଇର ସମନ୍‌ର ଉତ୍ତର ନଦେବା ପରେ ରାଜୀବଙ୍କ ବାସଭବନ ଆଗରେ ସିବିଆଇର ବୃହତ୍‌ ଟିମ୍‌ ଠୁଳ ହେବା ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅହେତୁକ ସମର୍ଥନରେ କୋଲକତା ପୁଲିସ୍‌ ବଳପୂର୍ବକଭାବରେ ସିବିଆଇଙ୍କୁ ଘଉଡ଼ାଇ ନେବା, ଅଟକ ରଖି ଛାଡ଼ିଦେବା ଏବଂ ଶେଷରେ ଗଣତନ୍ତ୍ର ସୁରକ୍ଷାର ଦ୍ୱାହି ଦେଇ ମମତା ଧାରଣାରେ ବସିବା ପରେ ସିବିଆଇ ସୁପ୍ରିମ୍‌କୋର୍ଟର ଦ୍ୱାରସ୍ଥ ହୋଇଥିଲା।

Leave a Reply

Your email address will not be published.