ଟାଟା ଷ୍ଟିଲ ଯୁବ ଜ୍ୟୋର୍ତିବିଜ୍ଞାନୀ ପ୍ରତିଭା ଅନ୍ୱେଷଣ : ୨୦ ଜଣ ଯିବେ ଇସ୍ରୋ
ଭୁବନେଶ୍ୱର, (ଓଟି): ଟାଟା ଷ୍ଟିଲ ଦ୍ଵାରା ଆୟୋଜିତ ଯୁବ ଜ୍ୟୋର୍ତିବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟ୍ସ) ୨୦୧୯-୨୦ର ୨୦ ଜଣ ବିଜେତା ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଏକ ପ୍ରମୁଖ ସୁବିଧା ପରିଦର୍ଶନ କରିବା ଏବଂ ମହାକାଶ ବିଜ୍ଞାନର ବାସ୍ତବିକ ପ୍ରୟୋଗର ଅନୁଭୂତି ହାସଲ କରିବାର ସୁଯୋଗ ପାଇବେ । ମେ ମାସରେ ଏହି ଗସ୍ତ ଆୟୋଜିନ ହେବ। ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବିଜେତା ଘୋଷଣା ଅବସରରେ ଏହି ସୂଚନା ଦେଇଛି ଟାଟା ଷ୍ଟିଲ୍।
ୟାଟ୍ସ ୨୦୧୯-୨୦ରେ ସାରା ରାଜ୍ୟର ୩୦୦ ବିଦ୍ୟାଳୟର ମୋଟ ୬୨,୦୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଚଳିତ ବର୍ଷର ବିଷୟବସ୍ତୁ ଥିଲା “ଅନରାଭେଲିଂ ଦି ୱାଣ୍ଡର୍ସ ଅଫ ୟୁନିଭର୍ସ’ (ବ୍ରହ୍ମାଣ୍ଡର ଚମତ୍କାରକୁ ଉଜାଗର କରିବା) ।
ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି, ସାଧାରଣ ଶିଳ୍ପ, ସାମାଜିକ ସୁରକ୍ଷା ଓ ଦିବ୍ୟାଙ୍ଗ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ଅତିରିକ୍ତ ସଚିବ ତଥା ପଠାଣୀ ସାମନ୍ତ ପ୍ଲାନେଟାରିୟମର ନିର୍ଦେଶକ ରସିଦ ଖାନ, ଟାଟା ଷ୍ଟିଲର ସିଇଓ ତଥା ପରିଚାଳନା ନିର୍ଦେଶକ ଟି ଭି ନରେନ୍ଦ୍ରନ ଓ ଟାଟା ଷ୍ଟିଲ କର୍ପୋରେଟ ସେବା ବିଭାଗର ଉପ-ସଭାପତି ଚାଣକ୍ୟ ଚୈାଧାରୀ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ ।
ଉକ୍ତ ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କହିଲେ ଯେ ଯୁବ ଜ୍ୟୋର୍ତିବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ(ୟାଟ୍ସ), ଜ୍ୟୋର୍ତିବିଜ୍ଞାନ ଓ ମହାକାଶ ବିଜ୍ଞାନ କ୍ଷେତ୍ରରେ ପିଲାମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ପାଇଁ ଏକ ପ୍ଲାଟ୍ଫର୍ମ ଭାବେ ପ୍ରତିପାଦିତ ହୋଇପାରିଛି । ଏହା ଦେଶର ଜ୍ୟୋର୍ତିବିଜ୍ଞାନ ଓ ମହାକାଶ ବିଜ୍ଞାନର ଗବେଷଣା ଓ ବିକାଶ କ୍ଷେତ୍ରରେ ସହାୟକ ହେବ ।
ଉକ୍ତ ଅବସରରେ ୟାଟସର ୧୩ତମ ସଂସ୍କରଣର ବିଜେତା ଓ ଅଂଶଗ୍ରହଣକାରୀମାନଙ୍କୁ ଅଭିନନ୍ଦନ ଜଣାଇ ଶ୍ରୀଯୁକ୍ତ ଟି ଭି ନରେନ୍ଦ୍ରନ, ସିଇଓ ଓ ଏମଡି, ଟାଟା ଷ୍ଟିଲ କହିଥିଲେ ଯେ, “ଏକ ଉନ୍ନତ ଭବିଷ୍ୟତ ଗଠନ ଲାଗି ଆମର ପ୍ରତିବଦ୍ଧତାର ସ୍ୱୀକୃତି ହେଉଛି ଯୁବ ଜ୍ୟୋର୍ତିବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟସ) । ଜ୍ୟୋର୍ତି ବିଦ୍ୟା ଏବଂ ମହାକାଶ ବିଜ୍ଞାନ କ୍ଷେତ୍ରରେ ଆମ ଦେଶ ଉଲ୍ଲେଖନୀୟ ପଦକ୍ଷେପ ଗ୍ରହଣ କରିଛି । ଯୁବ ପିିଢ଼ିଙ୍କୁ ପ୍ରଯୁକ୍ତି ଓ ଉଦ୍ଭାବନ କ୍ଷେତ୍ରରେ ନିଜର ଆଗ୍ରହ ଓ ଜ୍ଞାନକୁ ବଢାଇବା ଲାଗି ଉତ୍ସାହିତ କରିବା ଦିଗରେ ହେଉଛି ଏକ ଉଦ୍ୟମ । ଆସନ୍ତା ବର୍ଷଗୁଡ଼ିକରେ ଟାଟା ଷ୍ଟିଲ ଏହି ଅଭିଯାନକୁ ଆହୁରି ଆଗକୁ ନେବାକୁ ପ୍ରତିବଦ୍ଧ । ମୁଁ ସମସ୍ତ ବିଜେତା ଓ ଅଂଶଗ୍ରହଣକାରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରୁଛି ।’
ବିଶିଷ୍ଟ ଗବେଷକ, ବୈଜ୍ଞାନିକ ତଥା ଇନଷ୍ଟିଚ୍ୟୁଟ ଅଫ ଫିଜିକ୍ସ ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ଏଜୁକେସନ ଆଣ୍ଡ ରିସର୍ଚ (ନାଇଜର)ର ନିର୍ଦେଶକ ଡକ୍ଟର ସୁଧାକର ପଣ୍ଡାଙ୍କୁ ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ । ଆଜି ଆୟୋଜିତ ଏକ ମତ ବିନିମୟ ଅଧିବେଶନରେ ଶ୍ରୀ ପଣ୍ଡା ୟାଟସର ବିଜେତାଙ୍କୁ ଉଦବୋଧନ ଦେଇଥିଲେ ।
ୟାଟସ୍ ହେଉଛି ରାଜ୍ୟର ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଟାଟା ଷ୍ଟିଲ୍ ତରଫରୁ କାର୍ଯ୍ୟକାରୀ ହେଉଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଯାହାକୁ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଅଧୀନରେ ଥିବା ପଠାଣୀ ସାମନ୍ତ ପ୍ଲାନେଟାରିୟମ୍ ସହଯୋଗରେ ଆୟୋଜନ କରାଯାଉଛି । ଜ୍ୟୋତିର୍ବିଜ୍ଞାନ ଓ ମହାକାଶ ବିଜ୍ଞାନ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ଭିତରେ ସଚେତନତା ସୃଷ୍ଟି କରିବା ସହିତ ବୈଜ୍ଞାନିକ ଓ ମହାକାଶଚାରୀ ହେବା ପାଇଁ ଯୁବ ମସ୍ତିଷ୍କଗୁଡ଼ିକୁ ଉତ୍ସାହିତ କରିବା ହେଉଛି ଏହାର ଲକ୍ଷ୍ୟ । ଏହା ରାଜ୍ୟର ଗ୍ରାମାଚଂଳ ଓ ଦୁର୍ଗମ ଅଂଚଳର ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିବା ଓ ଜ୍ୟୋତିର୍ବିଜ୍ଞାନ କ୍ଷେତ୍ରରେ ଆଗକୁ ଆସିବା ପାଇଁ ସୁଯୋଗ ପ୍ରଦାନ କରୁଛି ।