କେନ୍ଦ୍ରାପଡ଼ାରେ ବିପଦ ଶଙ୍କୁଳ ପ୍ରାଥମିକ ବିଦ୍ୟାଳୟ: କୋମଳମତି ଛାତ୍ର ଛାତ୍ରୀଙ୍କ ଜୀବନ ପ୍ରତି ବିପଦ
କେନ୍ଦ୍ରାପଡା଼, (ଓଟି): ପ୍ରାଥମିକ ଶିକ୍ଷାକୁ ସରକାର ଗୁରୁତ୍ୱ ଦିଆଯିବା ସହ କୋମଳମତି ଛାତ୍ର ଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଥିବା ସରକାରଙ୍କ ପକ୍ଷରୁ ଡିଣ୍ଡିମ ପିଟାଯାଉଛି । କିନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଦେଖାଯାଉଛି । ଏଥିସହ କୋମଳମତି ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ସୃଷ୍ଟି ହୋଇଥିଲେ ମଧ୍ୟ କର୍ତୃପକ୍ଷ ନୀରବଦ୍ରଷ୍ଟା ସାଜିଥିବା ପ୍ରତିୟମାନ ହେଉଛି । ଏହିଭଳି ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକର କାଉପଡ଼ା ପଂଚାୟତର ପରବାରୀ ଗ୍ରାମରେ ଥିବା ପ୍ରଥମିକ ବିଦ୍ୟାଳୟରେ । ଏହି ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସୁରକ୍ଷିତ ଭାବେ ପାଠପଢିବା ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରି ସୁନ୍ଦର କୋଠା ଘର ନିର୍ମାଣ କରିଛନ୍ତି । ହେଲେ ବିଦ୍ୟାଳୟକୁ ଲାଗି ସେହି ଗ୍ରାମର ଜଣେ ବ୍ୟକ୍ତିଙ୍କ ବାଡ଼ିରେ ଥିବା ବଡ଼ ବଡ଼ ଗଛର ଡାଳ ଗୁଡ଼ିକ ସ୍କୁଲ ଗୃହ ଛାତକୁ ଦୀର୍ଘ ଦିନ ହେଲା ଢାଙ୍କି ରହିଥିଲେ ବି ତାହା କର୍ତ୍ତୃପକ୍ଷଙ୍କ ନଜରକୁ ଆସୁନାହିଁ । ଦୈବାତ୍ ଝଡ଼ ବାତ୍ୟା ହେଲେ ଗଛର ଡାଳଗୁଡ଼ିକ ଭାଙ୍ଗି ସ୍କୁଲ ଗୃହ ଛାତ ଉପରେ ପଡ଼ି ଛାତର କ୍ଷତି ପହଞ୍ଚାଇବାର ଆଶଙ୍କା ସୃଷ୍ଟି ହୋଇଛି । ଆଗକୁ ଝଡ଼ ବାତ୍ୟାର ଋତୁ ଆସୁଛି । ଝଡ଼ତୋଫାନରେ ଗଛର ଡାଳ ଭାଙ୍ଗି ସ୍କୁଲ ଘର ଛାତର କ୍ଷତି ହେଲେ ସେଥିପ୍ରତି କିଏ ଦାୟି ରହିବ ସେଥି ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି କୋମଳମତି ଛାତ୍ରଛାତ୍ରୀମାନେ ସ୍କୁଲରେ ପାଠ ପଢୁଥିବା ସମୟରେ ଗଛ ଡାଳ ଭାଙ୍ଗି ଛାତ୍ରଛାତ୍ରୀମାନେ ମୃତାହତ ହେଲେ ବା ସେହିପରି କିଛି ଅଘଟଣ ଘଟିଲେ କିଏ ଉତ୍ତରଦାୟୀ ହେବ ବୋଲି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି । ଏଳହି ସମସ୍ୟା ନେଇ ସ୍ଥାନୀୟ ଲୋକେ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ଦୃଷ୍ଟି ଦେଉ ନଥିବା ଅଭିଯୋଗ ହେଉଛି ।